ଖୋଲା ଆକାଶ ତଳେ ଶୋଇବେନି ଶିଶୁ : ସ୍ଥିତି ପରଖିଲେ ଶିଶୁ ଆୟୋଗ ଅଧ୍ୟକ୍ଷା

ଭୁବନେଶ୍ୱର : ଶୀତଦିନେ ରାଜ୍ୟର କୌଣସି ଶିଶୁ ଖୋଲା ଆକାଶ ତଳେ ଶୋଇବେନି। ଯେଉଁ ଶିଶୁମାନେ ସେମାନଙ୍କ ପରିବାର ସହ ବାସହୀନ ହୋଇ ଖୋଲା ଆକାଶ ତଳେ ଶୋଉଛନ୍ତି, ସେମାନଙ୍କ ପାଇଁ ରହଣି ବ୍ୟବସ୍ଥା କରାଯାଉଛି। ତେବେ ନିର୍ଦେଶର ମାସକ ପରେ ରାଜଧାନୀ​‌ରେ ଶିଶୁଙ୍କ ସ୍ଥିତି କେମିତି ରହିଛି, ସେମାନଙ୍କୁ ଆଶ୍ରୟସ୍ଥଳ ନିଆଯାଉଛି କି ନାହିଁ ତା’ର ସ୍ଥିତି ପରଖିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ।

ସୋମବାର ରାତ୍ରି ୧୦ଟା ପରେ ରାଜଧାନୀର ବିଭିନ୍ନ ଅଞ୍ଚଳ ବୁଲି ସେ ସ୍ଥିତି ପରଖିଥିଲେ। ତାଙ୍କ ସହିତ ବିଏମ୍‌ସି ଡେପୁଟି କମିସନର କମଳାକାନ୍ତ ବେହେରା, ଦିବ୍ୟା ଶତପଥୀ ଓ ଘାସିରାମ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ବୟସ୍କ ଲୋକଙ୍କୁ ଉଦ୍ଧାର କରିଥିଲେ। ସେମାନେ ରାଜମହଲ, ମାଷ୍ଟର କ୍ୟାଣ୍ଟିନ, ଶ୍ରୀୟା ଟକିଜ, ରାମମନ୍ଦିର ଭଳି ପ୍ରମୁଖ ଅଞ୍ଚଳ ବୁଲିଥିଲେ। ଆସନ୍ତାକାଲି ଉଦ୍ଧାର ବ୍ୟକ୍ତିଙ୍କୁ ସୁରକ୍ଷିତ ସ୍ଥାନରେ ନେଇ ରଖିବା ପାଇଁ ବିଏମ୍‌ସି ଅଧିକାରୀଙ୍କୁ ଆୟୋଗର ଅଧ୍ୟକ୍ଷା ନିର୍ଦେଶ ଦେଇଛନ୍ତି। ତେବେ ଦୁଇ ଦିନ ଧରି ଅଧ୍ୟକ୍ଷାଙ୍କ ରାଜଧାନୀର ବିଭିନ୍ନ ଅଞ୍ଚଳ ଭ୍ରମଣ କରି ସ୍ଥିତି ପରଖିବା କାର୍ଯ୍ୟକ୍ରମ ରହିଛି।

ସୂଚନାଯୋଗ୍ୟ, ରାଜ୍ୟରେ ଶୀତଦିନେ ଅନେକ ଶିଶୁ ପରିବାର ସହ ବାସହୀନ ହୋଇ ଖୋଲା ଆକାଶ ତଳେ ରାତି କଟାଉଥିଲେ। ବିଶେଷକରି ସହରାଞ୍ଚଳରେ ଏହି ଶିଶୁଙ୍କ ସଂଖ୍ୟା ଅଧିକ। ଯେହେତୁ ଶୀତ ବଢୁଛି ଏବଂ କରୋନା ସଂକ୍ରମଣ ଭୟ ରହିଛି ସେଥିପାଇଁ ଶିଶୁଙ୍କୁ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ଆୟୋଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଥିଲା।

Comments are closed.