ପ୍ରଶାସନିକ କଟକଣା ଯୋଗୁଁ ଫିକା ପଡିଲା ରଜ

ବେଗୁନିଆ : ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ  ଓ ପରମ୍ପରା ବିଶ୍ୱ ଦରବାରରେ ବେଶ ପରିଚିତ। ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳିତ ହୋଇଥାଏ। ସେଥିମଧ୍ୟରୁ ରଜ ପର୍ବ ଅନ୍ୟତମ। ତେବେ ଗତ ଦୁଇବର୍ଷ ହେବ ମହାମାରୀ କରୋନା ପାଇଁ ସବୁକିଛି ବିଗିଡି ଯାଇଛି। ଲୋକମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଥିବାବେଳେ ସମସ୍ତ ପର୍ବପର୍ବାଣି ଫିକା ପଡିଛି। ଚଳିତ ବର୍ଷ କରୋନା ସବୁ ମଉଜ ଛଡାଇ ନେଇଥିବା ବେଳେ ଖୋର୍ଦ୍ଧା ସବଡିଭିଜନର ସମସ୍ତ ଅଂଚଳରେ ରଜ ଉତ୍ସବ ପାଳନ ଉପରେ ଉପଜିଲ୍ଲାପାଳ ଅଶୋକକୁମାର ବେହୁରିଆ କଟକଣା ଜାରି କରିଛନ୍ତି। ରଜରେ ଭିଡ ଜମିବା ଆଶଙ୍କା କରି ଘରେ ରହି ପରିବାର ସହ ରଜ ପାଳିବାକୁ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି। କୌଣସି ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନକୁ ଅନୁମତି ଦିଆଯିବ ନାହିଁ । ମନ୍ଦିର ସେବାୟତ ଏବଂ ପୂଜକ ମାନେ ଅଳ୍ପ ସଂଖ୍ୟକ କର୍ମଚାରୀରେ ଦୈନିକ ରୀତିନୀତି ସମ୍ପର୍ଣ୍ଣ କରିବେ।ସ୍ଥାନୀୟ ବିଡ଼ିଓ ,ତହସିଲଦାର ଏବଂ ଥାନା ଅଧିକାରୀ ଏଥିପ୍ରତି ନଜର ଦେବେ ବୋଲି ଉପଜିଲ୍ଲାପାଳ ଜାରି କରିଥିବା ବିଜ୍ଞପ୍ତି ରେ ନିର୍ଦେଶ ରହିଛି।
ସେଥିପାଇଁ ବେଗୁନିଆ ବ୍ଲକ ଜନସାଧାରଣଙ୍କ ମନ ଫିକା ପଡିଯାଇଛି। କାରଣ ବେଗୁନିଆର ପତିତପାବନ ଯୁବକ ସଂଘ ଦ୍ୱାରା ଜଗନ୍ନାଥଙ୍କ ଆମ୍ର କାନନରେ,ବରମୂଳେଇ ଠାକୁରାଣୀଙ୍କ ପୀଠରେ, ଗଡମାଣତୀର ରାମଚଣ୍ଡୀଙ୍କ ପୀଠ ସହିତ ଅନ୍ୟାନ୍ୟ ସ୍ଥାନରେ ଧୁମ ଧାମରେ ରଜ ପର୍ବ ପାଳିତ ହୋଇଥାଏ । କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ସବୁ କିଛି ବିଗିଡି ଯାଇଛି। ସାଧାରଣ ଲୋକଙ୍କ ଆର୍ଥିକ ଅବସ୍ଥା ଦୁର୍ବଳ ହୋଇଯାଇଛି। ରଜ ପର୍ବକୁ ଝିଅ ମାନେ ଆନନ୍ଦ ଉଲ୍ଲାସ ସହିତ ପାଳନ କରିଥାନ୍ତି। ଏଥିପାଇଁ ସମସ୍ତଙ୍କ ଘରେ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଥାଏ। ପିଠା ପଣା ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଡ଼ କରିବା ଠାରୁ ଆରମ୍ଭ କରି ନୂଆ ବସ୍ତ୍ର କିଣାକିଣିରେ ସମସ୍ତେ ବ୍ୟସ୍ତ ରହିଥାନ୍ତି। ପହିଲି ରଜ ଦିନକ ପୂର୍ବରୁ ରଜ ସଜବାଜ ପର୍ବ ହୋଇଥାନ୍ତା। ମାତ୍ର ଲକଡାଉନ ଏବଂ ସଟଡାଉନ ବଳବତ୍ତର ରହିଥିବାରୁ କେହି କେଉଁଆଡ଼େ ଯାଇ ପାରୁନାହାନ୍ତି। ସମସ୍ତ ଦୋକାନ ବଜାର ଖୋଲୁନଥିବା ଯୋଗୁଁ ପହିଲି ରଜ ଏବଂ ସଜବାଜ ଫିକା ପଡିଛି। ରଜ ସମୟରେ ସମସ୍ତେ ସପରିବାର ସହ ବିଭିନ୍ନ ସ୍ଥାନକୁ ବୁଲିଯିବାପାଇଁ ପ୍ରସ୍ତାବ ରହିଥାଏ। କିନ୍ତୁ କରୋନା ସଂକ୍ରମଣ ପାଇଁ ରଜ ଉତ୍ସବ ପାଇଁ କାହା ମନରେ ଆଗ୍ରହ ନଥିବା ବେଳେ ବୁଲାବୁଲି କଥା ପଚାରୁଛି କିଏ। ଏହି ସମୟରେ ପରିବାରକୁ ନେଇ ସମସ୍ତେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ବୁଲିବାକୁ ଯାଇଥାନ୍ତି  ଏବଂ ଅନେକ ସ୍ଥାନରେ ଲୋକମାନଙ୍କର ଭିଡ ମଧ୍ୟ ଦେଖିବାକୁ ମିଳିଥାଏ। ତେବେ ଚଳିତ ବର୍ଷ ଏହି ସବୁ ସ୍ଥାନଗୁଡିକ ଖାଁ ଖାଁ ଲାଗିବ ବୋଲି ଅନୁମାନ କରାଯାଉଛି।  ୪ ଦିନ ବ୍ୟାପି ଘରର ମହିଳା ମାନେ ପିଠା ପଣା ଆଦି ନାନା ବ୍ୟଞ୍ଜନ ପ୍ରସ୍ତୁତ କରି ସାହି ପଡିଶା ,ବନ୍ଧୁ ବାନ୍ଧବଙ୍କୁ ଆପ୍ୟାୟିତ କରିବାସହ ଖେଳ କୁଦରେ ମଜି ରହିଥାନ୍ତି। ମାତ୍ର ଏଥର କରୋନା ଏ ସବୁକୁ ଫିକା ପକାଇ ଦେଇଛି। ରଜ ସମୟରେ ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ପ୍ରତିଯୋଗିତା ଆଦି ପାରମ୍ପରିକ କାର୍ଯ୍ୟକ୍ରମ ଉପରେ ମଧ୍ୟ କଟକଣା ରହିଛି। ଫଳରେ କୌଣସି ଜାଗାରେ ରଜ ଉତ୍ସବ ପାଳନର ଆଭାସ ମଧ୍ୟ ଦେଖିବାକୁ ମିଳୁନି। କୌଣସି ସ୍ଥାନରେ ଏକତ୍ରିତ ହୋଇ କେହି କେଉଁଠାରେ ରଜ ଉତ୍ସବ ପାଳନ କରୁନଥିବାବେଳେ ଘରେ ଘରେ ମଧ୍ୟ ରଜ ଉତ୍ସବର ମାହୋଲ ପୂର୍ବବର୍ଷ ଅପେକ୍ଷା ଫିକା ପଡିଯାଇଛି।

Comments are closed.