ନାଁକୁ ମାତ୍ର ବ୍ୟାଙ୍କିଂ ସେବା, ଜମା ବଢ଼ିଛି କିନ୍ତୁ ୧୪୭୪ ପଞ୍ଚାୟତରେ ନାହିଁ ବ୍ୟାଙ୍କ

ଭୁବନେଶ୍ବର: ରାଜ୍ୟରେ ବ୍ୟାଙ୍କ ଜମାହାର ବଢିଛି। କିନ୍ତୁ ଏବେ ବି ରାଜ୍ୟର ଦୁର୍ଗମ ଏବଂ ଅପହଞ୍ଚ ଅଞ୍ଚଳରେ ଲୋକେ ବ୍ୟାଙ୍କସେବାରୁ ବଞ୍ଚିତ ହେଉଛନ୍ତି। ରାଜ୍ୟର ୧୪୭୪ପଞ୍ଚାୟତରେ ବ୍ୟାଙ୍କ ନାହିଁ। ପ୍ରାୟ ୨୨୬୮ ଗ୍ରାମ୍ୟ ବ୍ୟାଙ୍କ ସେବା ସୁବିଧାରୁ ବଞ୍ଚିତ ହେଉଛନ୍ତି। ତଥାପି ୨୦୧୯-୨୦ରେ ରାଜ୍ୟର ବ୍ୟାଙ୍କ ଜମା ହାର ୨୦୧୮-୧୯ଠାରୁ ୧୦.୯୭% ବଢିଛି। ବ୍ୟାଙ୍କରୁ ଋଣ ନେବା ବାବଦରେ ଅଗ୍ରିମ ରାଶି ମଧ୍ୟ ଏହି ସମୟ ଭିତରେ ୧୧.୯୦ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୮-୧୯ରେ ରାଜ୍ୟରେ ସମୁଦାୟ ଜମା ରାଶି ୩,୧୪,୯୭୮ କୋଟି ଟଙ୍କା ଥିବାବେଳେ ୨୦୧୯-୨୦ରେ ଏହି ପରିମାଣ ୩,୪୮,୯୭୫କୋଟି ଟଙ୍କାକୁ ବଢିଛି।

ଓଡ଼ିଶାରେ ୧୮ଟି ରାଷ୍ଟ୍ରାୟତ୍ତ ୧୮ଟି ଘରୋଇ, ୨ଟି ଆଞ୍ଚଳିକ ଗ୍ରାମ୍ୟବ୍ୟାଙ୍କ ଗୋଟିଏ ରାଜ୍ୟ ସମବାୟ ବ୍ୟାଙ୍କ ରହିଥିବା ବେଳେ ୩ଟି କ୍ଷୁଦ୍ର ଫାଇନାନସିଆଲ ବ୍ୟାଙ୍କର ଶାଖାମାନ ଅଛି। ୨୦୨୦ମାର୍ଚ୍ଚ ସୁଦ୍ଧା ଏସବୁ ବ୍ୟାଙ୍କର ମୋଟ ଶାଖା ସଂଖ୍ୟା ୫,୪୫୦ରେ ପହଞ୍ଚିଛି। ଯେଉଁଥିରୁ ୫୭% ହେଉଛି କେବଳ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଶାଖା। ଗୋଟିଏ ବ୍ୟାଙ୍କ ଉପରେ ପ୍ରାୟ ୮୬୪୨ଲୋକ ନିର୍ଭର କରୁଛନ୍ତି। ଓଡ଼ିଶା ଅର୍ଥନୀତି ସର୍ଭେ ରିପୋର୍ଟ ତଥ୍ୟ ଅନୁସାରେ ୨୦୧୧ରେ ପ୍ରାୟ ୪୫ପ୍ରତିଶତ ପରିବାର ଓଡ଼ିଶାରେ ବ୍ୟାଙ୍କ ସେବା ପାଉଥିବା ବେଳେ ଜାତୀୟ ସ୍ତରରେ ଏହି ହାର ଥିଲା ୫୮.୭%।

ତେବେ ଜନଧନ ଯୋଜନାରେ ୨୦୨୦ ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ୧.୫୪କୋଟି ବ୍ୟାଙ୍କ ଆକାଉଣ୍ଟ ଖୋଲିପାରିଛି। ଗ୍ରାମାଞ୍ଚଳରେ ୧୧୧.୨୯ଲକ୍ଷ ଆକାଉଣ୍ଟ ଖୋଲିଥିବା ବେଳେ ସହରାଞ୍ଚଳରେ ଖୋଲିଛି ୪୩.୧୩ଲକ୍ଷ ଆକାଉଣ୍ଟ। ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ୧.୨୭କୋଟି ଲୋକ ଆକାଉଣ୍ଟ ଖୋଲିଛନ୍ତି। ତାପଛକୁ ରହିଛି ଆଞ୍ଚଳିକ ଗ୍ରାମ୍ୟବ୍ୟାଙ୍କ ଏବଂ ଘରୋଇ ବ୍ୟାଙ୍କ। ଜିଲାୱାରୀ ୧.୫୪ସଞ୍ଚୟ ଆକାଉଣ୍ଟ ମଧ୍ୟରୁ ମୟୂରଭଞ୍ଜରେ ୭.୩୯, ଗଞ୍ଜାମରେ ୬.୧୫ ଏବଂ ଖୋର୍ଦ୍ଧାରେ ୫.୫୯ପ୍ରତିଶତ ଆକାଉଣ୍ଟ ଖୋଲାଯାଇ ପାରିଛି ଏବଂ ଏହି ୩ଟି ଜିଲା ବ୍ୟାଙ୍କ ଆକାଉଣ୍ଟ ଖୋଲିବାରେ ଆଗରେ ରହିଛନ୍ତି।

ରାଜ୍ୟର ଗ୍ରାମାଞ୍ଚଳରେ ୫୨%ବ୍ୟାଙ୍କ ଶାଖା ରହିଥିଲେ ହେଁ ଏଟିଏମର ବିଶେଷ ସୁବିଧା ନାହିଁ। କାରଣ ଏଟିଏମ୍‌ ସୁବିଧା ସହରାଞ୍ଚଳ ଏବଂ ଅର୍ଦ୍ଧ ସହରାଞ୍ଚଳରେ ସୀମିତ ରହିଯାଇଛି। ସହରାଞ୍ଚଳରେ ୪୪୨୨ ଏଟିଏମ ଥିବାବେଳେ ଗ୍ରାମାଞ୍ଚଳରେ ଏହି ସଂଖ୍ୟା ୨,୩୪୬। ବ୍ୟାଙ୍କ କର୍ତ୍ତୃପକ୍ଷ ଗ୍ରାମାଞ୍ଚଳରେ ଏଟିଏମ ଖୋଲିବା ଉପରେ ସେତେଟା ଗୁରୁତ୍ବ ଦେଉନାହାନ୍ତି। ତେବେ ଯେଉଁସବୁ ଦୁର୍ଗମ ଅଞ୍ଚଳରେ ଏଟିଏମ ସେବା ନାହିଁ ସେଠାରେ ନାବାର୍ଡ ପକ୍ଷରୁ ପ୍ରାୟ ୩୦୦୦ ମାଇକ୍ରୋ ଏଟିଏମ ଖୋଲଯାଇଛି। କିନ୍ତୁ ବାସ୍ତବରେ ଅଧିକାଂଶ ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ଏଟିଏମ ସେବା ଏବେ ବି ଅପହଞ୍ଚ ହୋଇରହିଛି। ୨୦୧୮ ମାର୍ଚ୍ଚ ୩୧ସୁଦ୍ଧା ରାଜ୍ୟର ୧୪୭୪ ବ୍ୟାଙ୍କ ନଥିବା ଗ୍ରାମପଞ୍ଚାୟତ ମଧ୍ୟରୁ ୧,୦୫୮ ପଞ୍ଚାୟତରେ ଗୋଟିଏ ଲେଖାଏଁ ବ୍ୟାଙ୍କିଂ ଆଉଟଲେଟ ଖୋଲାଯାଇପାରିଛି। ସେହିପରି ୨୨୬୮ ଗାଁରେ ବ୍ୟଙ୍କା ସେବା ପହଞ୍ଚିପାରି ନଥିବାବେଳେ ସେଠାରେ ନାଁକୁ ମାତ୍ର ବ୍ୟାଙ୍କିଂ ସେବା ମିଳୁଛି। ଲୋକେ ଉପକୃତ ହୋଇପାରୁନାହାନ୍ତି।

Comments are closed.