ଘରୋଇ ବିଶ୍ୱବିଦ୍ୟାଳୟକୁ ନିୟନ୍ତ୍ରଣ ପାଇଁ ୟୁପି ସରକାର ଆଣିଲେ ଅଧ୍ୟାଦେଶ

ଲକ୍ଷ୍ନୌ: ଘରୋଇ ବିଶ୍ୱବିଦ୍ୟାଳୟଗୁଡିକୁ ନିୟନ୍ତ୍ରଣ କରିବା ଲାଗି ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱ ଉତ୍ତରପ୍ରଦେଶ ସରକାର ଏକ ଅଧ୍ୟାଦେଶ ଆଣିଛନ୍ତି। ଉତ୍ତରପ୍ରଦେଶ ଘରୋଇ ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶ ୨୦୧୯ ରାଜ୍ୟ କ୍ୟାବିନେଟର ଅନୁମୋଦନ ଲାଭ କରିଥିବାବେଳେ ଏହାକୁ ବିଧାନସଭାର ଆଗାମୀ ଅଧିବେଶନରେ ଆଗତ କରାଯିବ। ଅଧ୍ୟାଦେଶ ଅନୁଯାୟୀ କୌଣସି ଘରୋଇ ବିଶ୍ୱବିଦ୍ୟାଳୟ ଜାତୀୟତା ବିରୋଧୀ କାର୍ଯ୍ୟରେ ଲିପ୍ତ ରହିପାରିବେ ନାହିଁ।

ଏଥିପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏକ ଅଣ୍ଡରଟେକିଙ୍ଗ ଦାଖଲ କରିବେ। ବିଶ୍ୱବିଦ୍ୟାଳୟ ନିୟମର ଉଲ୍ଲଙ୍ଘନ କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାଜ୍ୟରେ ଏବେ ୨୭ଟି ଘରୋଇ ବିଶ୍ୱବିଦ୍ୟାଳୟ ଥିବାବେଳେ ସମସ୍ତଙ୍କୁ ଏହି ନୂଆ ଆଇନ ପରିସରକୁ ଅଣାଯିବ। ନୂଆ ଆଇନ ଅନୁଯାୟୀ ଘରୋଇ ବିଶ୍ୱବିଦ୍ୟାଳୟର ୭୫% ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯିବ। ଅନୁଷ୍ଠାନର କ୍ୟାମ୍ପସ ପରିସର ସର୍ବନିମ୍ନ ୨୦ ଏକରରୁ ସର୍ବାଧିକ ୫୦ ଏକର ପର୍ଯ୍ୟନ୍ତ ରହିଥିବ। ସମସ୍ତ ବିଶ୍ୱବିଦ୍ୟାଳୟ ଏକ ବର୍ଷ ମଧ୍ୟରେ ନୂଆ ନିୟମକୁ କାର୍ଯ୍ୟକାରୀ କରିବେ।

Comments are closed.