୧୭ ହଜାର କୋଟି ନିବେଶରେ ତାପଜ ବିଦ୍ୟୁତ ପ୍ରକଳ୍ପ ପ୍ରତିଷ୍ଠା କରିବ ଏନଏଲସି

ସମ୍ବଲପୁର(ବିଶେଷ ପ୍ରତିନିଧି): ଓଡ଼ିଶାରେ ତାପଜ ବିଦ୍ୟୁତ ପ୍ରକଳ୍ପ ପାଇଁ ନେଭଲି ଲିଗନାଇଟ କମ୍ପାନୀ (ଏନଏଲସି) ୧୭ ହଜାର କୋଟି ଟଙ୍କା ନିବେଶ କରିବାର ଯୋଜନା କରିଛି । ଏହି କମ୍ପାନୀ କୋଇଲା ଖଣି ଏବଂ ଏହାର ଆଖପାଖ ବନାଞ୍ଚଳର ବିକାଶ କରିବା ଦିଗରେ ମଧ୍ୟ କାର୍ଯ୍ୟ କରୁଛି।
ସୂଚନା ଅନୁସାରେ, ଏହି କମ୍ପାନୀ ୩୨ ଶହ ମେଗାୱାଟ ତାପଜ ବିଦ୍ୟୁତ ପ୍ରକଳ୍ପ ପାଇଁ ସମ୍ବଲପୁରର କୋଲାବିରା-୨ ଏବଂ ଅନ୍ୟ ତିନୋଟି ଖଣିରୁ ବର୍ଷକୁ ଦୁଇ କୋଟି ଟନ୍‍ କୋଇଲା ଉତ୍ପାଦନ କରିବ। ଜଙ୍ଗଲ ସୁରକ୍ଷା ଏବଂ ନୂତନ ଜଙ୍ଗଲ ସୃଷ୍ଟି ଦିଗରେ ପୂର୍ବରୁ ଏହି କମ୍ପାନୀ ଓଡ଼ିଶା ବନ ବିଭାଗ ସହିତ କାର୍ଯ୍ୟ କରୁଛି। କାମ୍ପା ପାଣ୍ଠିରେ କମ୍ପାନୀ ୧୩୪.୩୬ କୋଟି ଜମା କରିସାରିଛି।
କମ୍ପାନୀ କୋଲାବିରା-୨କୋଇଲା ଖଣି ଓ ଏହାର ଆଖପାଖ ଅଞ୍ଚଳରେ ୨୫ଲକ୍ଷ ୮୭ ହଜାର ଗଛ ଲଗାଇବା ସହ ଏହାର ରକ୍ଷଣାବେକ୍ଷଣ କରିବାକୁ ଯୋଜନା କରିଛି। ଏହା ବ୍ୟତୀତ ଏନଏଲସି ରାଜ୍ୟ ପର୍ଯ୍ୟଟନ ବିଭାଗ ସହିତ ମିଶି ସମ୍ବଲପୁର ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥଳୀକୁ ପର୍ଯ୍ୟଟନସ୍ଥଳ ଭାବେ ବିକଶିତ କରିବ। ଏହି ପବ୍ଲିକ ସେକ୍ଟର କମ୍ପାନୀ ଖଣିଜ କାରବାର ଏବଂ ବିଜୁଳି ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟ କରୁଛି । କମ୍ପାନୀ ନିବେଲୀରେ ୧୩୦ ମେଗାୱାଟର ସୌର ପ୍ରକଳ୍ପ ଆରମ୍ଭ କରିଛି, ଯେଉଁଥିରେ ୭୫୨ କୋଟି ବ୍ୟୟ କରାଯାଉଛି। ନିବେଲୀ ପ୍ରକଳ୍ପ ଦ୍ୱାରା ତାମିଲନାଡୁକୁ ବିଜୁଳି ଯୋଗାଇ ଦିଆଯାଉଛି।

Comments are closed.