ଜାନ୍ ଯାଉ ଜୀବନ ଯାଉ, ନିୟମଗିରି ବଞ୍ଚିଥାଉ

ନିୟମଗିରି ଶିଖରରେ କୃଷି ବିଲ୍ ତାତି ; ଶେଷ ହେଲା ନିୟମରାଜା ପର୍ବ

ଲାଞ୍ଜିଗଡ : ଜାନ୍ ଯାଉ ଜୀବନ ଯାଉ, ନିୟମଗିରି ବଞ୍ଚିଥାଉ ଏହି ନାରାରେ ତିନିଦିନ ବ୍ୟାପି ପ୍ରକମ୍ପିତ ହୋଇଥିଲା ନିୟମଗିରି ଶିଖର। ପ୍ରକୃତିର ଆଦିମ ସନ୍ତାନମାନେ ମାଁ ମାଟିର ସୁରକ୍ଷା ପାଇଁ ଜାଗି ଉଠିଥିଲେ। ଆରାଧ୍ୟ ଦେବତା ନିୟମରାଜାକୁ ସାକ୍ଷୀ ରଖି ନିଜର ଜୀବନ ଜୀବିକା ନିୟମଗିରିକୁ ସୁରକ୍ଷିତ ରଖିବାକୁ ପଣ କରିଥିଲେ। ନିୟମରାଜାଙ୍କୁ ବଳିଭୋଜା ଦ୍ୱାରା ସନ୍ତୁଷ୍ଟ କରିବା ପରେ ରେରେକାର ସ୍ୱରରେ ବହୁରାଷ୍ଟ୍ରୀୟ କଂପାନୀକୁ ଦେଇଥିଲେ ଚରମ ଚେତାବନୀ। ରକ୍ତ ଚାଉଳ ଧରି ଶପଥ ନେଇଥିଲେ ଜୀବନ ଥିବା ପର୍ଯ୍ୟନ୍ତ ନିୟମଗିରିର ସୁରକ୍ଷା ହିଁ ସେମାନଙ୍କ ଏକମାତ୍ର ନିଷ୍ପତ୍ତି। ସରକାର ଆଉ ପ୍ରଶାସନ ଯେତେ ଭୁତେଇଲେ ବି ନିୟମଗିରି ଛାଡିବୁ ନାହିଁ ବୋଲି ସେମାନେ ମିଳିତ ଭାବେ ଆହ୍ୱାନ ଦେଇଥିଲେ। ପ୍ରକୃତିର ଉପାସନା ନିୟମରାଜା ପରବ ସହିତ ବହୁ ରାଷ୍ଟ୍ରୀୟ କଂପାନୀର ଖଣିଖନନ ବିରୁଦ୍ଧରେ ହଜାର ହଜାର ଆଦିବାସୀଙ୍କ ମେଳି ଭଳି ଏକ ସମ୍ମନ୍ୱୟର ପର୍ବ ଉଦ୍‌ଯାପିତ ହୋଇଯାଇଛି।

ବିଶ୍ୱର ବହୁ ଚର୍ଚ୍ଚିତ ନିୟମଗିରି ଶିଖରରେ ତିନିଦିନ ବ୍ୟାପି ଚାଲିଥିବା ନିୟମରାଜା ପର୍ବ ଏଥର ଅନେକ କାରଣ ଯୋଗୁଁ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶିଳ୍ପ ପ୍ରତିଷ୍ଠା ଓ ଖଣିଖନନ ପାଇଁ ସବୁ ପ୍ରକାର କୋହଳ ନୀତି ଜାରି କରିଥିବାବେଳେ ନିୟମଗିରିରେ ଖଣି ଖନନକୁ ତୀବ୍ର ବିରୋଧ ସହିତ ସରକାରଙ୍କ ଆଦିବାସୀ ଓ ଲୁପ୍ତପ୍ରାୟ ଆଦିମ ଜନଜାତିଙ୍କ ଜୀବନ ଜୀବିକାକୁ ବିପନ୍ନ କରିବାକୁ ତୀବ୍ର ବିରୋଧ ଜାରି ରହିବ ବୋଲି ଆଦିବାସୀମାନେ ଶପଥ ନେଇଥିଲେ। ଏହାସହିତ ସାରାଦେଶରେ କେନ୍ଦ୍ର ସରକାରଙ୍କ କୃଷି ବିଲକୁ ବିରୋଧ ତୀବ୍ରରୁ ତୀବ୍ରତର ହେଉଥିବାବେଳେ ଏହାର ସମର୍ଥନରେ ଝରଣିଆ ଓ ଆଦିବାସୀମାନେ ସମବେତ ହୋଇ କୃଷକ ବିରୋଧୀ ଏହି ଆଇନକୁ ବିରୋଧ କରିବାକୁ ବଜ୍ର ଶପଥ ନେଇଥିଲେ। ନିୟମଗିରି ସଂଲଗ୍ନ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ହଜାର ହଜାର ଆଦିବାସୀ, ଝରଣିଆ ଓ କୁଟିଆ କନ୍ଧଙ୍କ ଆସ୍ଥାର ସୂଚକ ତଥା ପରମ ଆରାଧ୍ୟ ନିୟମରାଜାଙ୍କ ବାର୍ଷିକ ଉତ୍ସବ ନିୟମରାଜା ପର୍ବ ସମାପନ ହେବା ସହିତ ଏଠାରେ ଖଣିଖନନକୁ ନେଇ ତୀବ୍ର ବିରୋଧର ନମୁନା ଦେଖିବାକୁ ମିଳିଛି। ସେହିପରି ସରକାର ଅନୁଦାନ ପ୍ରାପ୍ତ ବିଭିନ୍ନ ସଂସ୍ଥା ଆଦିବାସୀଙ୍କ ବିକାଶ ନାଁରେ କୋଟିକୋଟି ଟଙ୍କା ହରିଲୁଟ୍ କରୁଥିବା ନିରୀହ ଆଦିବାସୀମାନେ ଆଜି ବି ଅବହେଳିତ ହୋଇ ରହିଛନ୍ତି। ଏହାକୁ ଆଦୌ ବରଦାସ୍ତ କରାଯିବ ନାହିଁ, ଏହା ବିରୁଦ୍ଧରେ ରାଜାରାସ୍ତାରେ ଲଢେଇ ହେବ ବୋଲି ସେମାନେ ଆହ୍ୱାନ ଦେଇଥିଲେ। ଆଦିବାସୀ ସଂସ୍କୃତି ଓ ପରମ୍ପରାର ଅନନ୍ୟ ନିଦର୍ଶନ ନିୟମରାଜା ପରବ ପ୍ରଥମ ଦିନରେ ଶୁଭଖମ୍ବ ସ୍ଥାପନ ସହିତ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ପନ୍ଦରରୁ ଅଧିକ ଆଦିବାସୀ ମହିଳାଙ୍କ ଦେହରେ କାଳିସୀ ସବାର ହେବା ପୂଜାର୍ଚ୍ଚନା ଜମିବାକୁ ଲାଗିଥିଲା। ଆଦିବାସୀ ସଂପ୍ରଦାୟ ବ୍ୟତୀତ ଜିଲ୍ଲା ତଥା ଜିଲ୍ଲା ବାହାର ଶହଶହ ସାଧାରଣ ଲୋକେ, ପରିବେଶବିଦ୍, ଗଣମାଧ୍ୟମ ପ୍ରତିନିଧିମାନେ ପର୍ବତ ଶିଖରର ଉତ୍ସବରେ ସାମିଲ ହୋଇଥିଲେ। ନିଜର ମାଁ ମାଟିର ସୁରକ୍ଷା ପାଇଁ ଅଞ୍ଚଳର ହଜାର ହଜାର ଆଦିବାସୀ ପୁରୁଷ, ମହିଳା ଏଥିରେ ସାମିଲ ହେବା ଅଭୁତପୂର୍ବ ଦୃଶ୍ୟ ଥିଲା। ନିୟମଗିରି ସୁରକ୍ଷା ସମିତି ଆହ୍ୱାନରେ ଆୟୋଜିତ ଏହି ପରବରେ ଲଦ ସିକୋକା, ଦଧି ପୁସିକା, ଡ୍ରେଞ୍ଜୋ ସିକୋକା, ସମାଜବାଦୀ ଜନପରିଷଦର ରାଜ୍ୟ ଆବାହକ ଲିଙ୍ଗରାଜ ଆଜାଦ, ସତ୍ୟ ମାହାର, ଆଦି ଆଦିବାସୀ ନେତା ଓ ସମାଜକର୍ମୀ ନେତୃତ୍ୱ ନେଇଥିବାବେଳେ ନିୟମଗିରି ସଂଲଗ୍ନ ଅଞ୍ଚଳର ୧୧୨ଟି ଗାଁର ହଜାର ହଜାର ଆଦିବାସୀ ପୁରୁଷ ଓ ମହିଳା ଏଥିରେ ସାମିଲ ହୋଇଥିଲେ।

Comments are closed.