‘ନିତି’ ଆୟୋଗ ବୈଠକ : ସ୍ୱତନ୍ତ୍ର ରାଜ୍ୟପାହ୍ୟା ଓ ‘ଫଣି’ ସହାୟତା ପ୍ରସଙ୍ଗ ଉଠାଇଲେ ନବୀନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ନିତି’ ଆୟୋଗ ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଓ ସାମୁଦ୍ରିକ ବାତ୍ୟା ‘ଫଣି’ ପରବର୍ତ୍ତୀ ରିଲିଫ, ଥଇଥାନ ଓ ପୁନର୍ନିର୍ମାଣ ପାଇଁ ଜାତୀୟ ବିପର୍ଯ୍ୟୟ ପାଣ୍ଠିରୁ କେନ୍ଦ୍ରୀୟ ସହାୟତା ପ୍ରସଙ୍ଗ ଉତ୍ଥାପନ କରିଛନ୍ତି। ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ନିମନ୍ତେ ପ୍ରାକୃତିକ ବିପର୍ଯ୍ୟୟକୁ ଏକ ମାନଦଣ୍ଡ ଭାବେ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରଟ୍ଟନାୟକ ପ୍ରସ୍ତାବ ଦେଇଛନ୍ତି। ସବୁ କ୍ଷେତ୍ରରେ ମହିଳାଙ୍କ ସଶକ୍ତୀକରଣ, ଏକ ସଙ୍ଗେ ନିର୍ବାଚନ ମାଧ୍ୟମରେ ଦେଶରେ ବିକାଶ ପାଇଁ ଅନୁକୁଳ ପରିସ୍ଥିତି ସୃଷ୍ଟି କରିବା, କୃଷି କ୍ଷେତ୍ରର ବିକାଶ, ଜଳସଂପଦର ସୁବିନିଯୋଗ ମାଧ୍ୟମରେ ଶୁଖିଲା ଜମିରେ ଦ୍ୱିତୀୟ ସବୁଜ ବିପ୍ଳବ ଶୁଭାରମ୍ଭ କରିବା, ପରିବେଶ ସୁରକ୍ଷା ସହ ଅର୍ଥନୀତିର ଅଭିବୃଦ୍ଧି, ବିଜ୍ଞାନଭିତ୍ତିକ ସର୍ଭେ ମାଧ୍ୟମରେ ହିତାଧିକାରୀଙ୍କ ସୁଫଳ ପାଇଁ ଆବଶ୍ୟକ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରସ୍ତାବ ଦେଇଥିଲେ।
ବିଗତ ଦିନରେ ଓଡ଼ିଶା ସରକାରଙ୍କ ସଫଳତା ବିଷୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରି କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ପୂର୍ବରୁ ଏକ ଅସହାୟ ରାଜ୍ୟ ଭାବେ ପରିଚିତ ଓଡ଼ିଶା ଏବେ ପ୍ରାକୃତିକ ବିପର୍ଯୟ ପରିଚାଳନରେ ଆନ୍ତର୍ଜାତିକସ୍ତରର ମାନଦଣ୍ଡ ସ୍ଥାପନ କରିଛି। ସେହିପରି ଧାନ ଉତ୍ପାଦନରେ ମଧ୍ୟ ଏକ ବଳକା ରାଜ୍ୟରେ ପରିଣତ ହୋଇଛି ଏବଂ ଧାନ ସଂଗ୍ରହ ସଂପର୍କିତ କେନ୍ଦ୍ର ସରକାରଙ୍କ ସେଣ୍ଟ୍ରାଲ ପୁଲ୍‌ରେ ଓଡ଼ିଶାର ଭାଗିଦାରୀ ଖୁବ୍‍ ଅଧିକ ରହିଛି। ଗତ ଦଶ ବର୍ଷରେ ଦାରିଦ୍ର ଦୂରୀକରଣରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାର ସଫଳତା ଖୁବ୍‍ ଅଧିକ ରହିଛି ବୋଲି ପଞ୍ଚମ ‘ନିତି’ ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦର୍ଶାଇଥିଲେ।

Comments are closed.