ରାଜକ୍ଷମା ଆବେଦନ ପ୍ରତ୍ୟାହାର ଦାବି କଲା ଦୋଷୀ

ଆବେଦନରେ ସ୍ବାକ୍ଷର କରି ନଥିବା କହିଲା ନିର୍ଭୟା ମାମଲାର ଦୋଷୀ

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ବିନୟ ଶର୍ମା ତାର ରାଜକ୍ଷମା ଆବେଦନ ତୁରନ୍ତ ପ୍ରତ୍ୟାହାର କରିନେବାକୁ ଦାବି କରିଛି। ରାଜକ୍ଷମା ଆବେଦନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ବିଚାରାଧୀନ ଥିବାବେଳେ ଏହାକୁ ଫେରାଇ ନେବାକୁ ଅନୁମତି ଲୋଡିଛି। ଶନିବାର ଦୋଷୀ ବିନୟ ତାର ଓକିଲ ଏପି ସିଂହ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ଏହି ନିବେଦନ କରିଛି। ବିନୟ ଦାବି କରିଛି ଯେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିବା ରାଜକ୍ଷମା ଆବେଦନରେ ସେ ସ୍ବାକ୍ଷର କରି ନାହିଁ। ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ସେ ସମୀକ୍ଷା ଆବେଦନ ଏ ପର୍ଯ୍ୟନ୍ତ କରି ନ ଥିବାବେଳେ ରାଜକ୍ଷମା ଆବେଦନ କରିବା ଅସମ୍ଭବ। ଏହି ରାଜକ୍ଷମା ଆବେଦନ ତା’ ବିରୋଧରେ ଏକ ଷଡଯନ୍ତ୍ର ବୋଲି ବିନୟ କହିଛି। ଓକିଲ ସିଂହ କହିଛନ୍ତି ଯେ ତାଙ୍କ ମହକିଲ ଏ ପର୍ଯ୍ୟନ୍ତ ସମୀକ୍ଷା ଆବେଦନ କରି ନାହିଁ; ତେଣୁ ରାଜକ୍ଷମା ଆବେଦନ ଏକ ଷଡଯନ୍ତ୍ର। ଡିସେମ୍ବର ୧ରେ ସୁପ୍ରିମକୋର୍ଟ ବିନୟ ଶର୍ମାର ଆବେଦନକୁ ଅଗ୍ରାହ୍ୟ କରିବା ସହିତ ବିଚାର ବିଭାଗୀୟ ଅଦାଲତଙ୍କ ଦ୍ବାରା ଦିଆଯାଇଥିବା ମୃତ୍ୟୁ ଦଣ୍ଡାଦେଶକୁ କାଏମ ରଖିଥିଲେ। ବିନୟର ରାଜକ୍ଷମା ଆବେଦନକୁ ଅଗ୍ରାହ୍ୟ କରିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସୁପାରିସ କରିଛି। ଦୁଇଦିନ ପୂର୍ବରୁ ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜାଲ ଦୋଷୀ ବିନୟର ରାଜକ୍ଷମା ଆବେଦନକୁ ଅଗ୍ରାହ୍ୟ ପୂର୍ବକ ଏହାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଇଥିଲେ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହା ଉପରେ ଆବଶ୍ୟକ ତର୍ଜମା କରିବା ପରେ ଏହାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦେଇଛି। ଏହି ରାଜକ୍ଷମା ଆବେଦନ ଉପରେ ରାଷ୍ଟ୍ରପତି ଚୂଡାନ୍ତ ନିଷ୍ପତ୍ତି ନେବେ। ୨୦୧୨ ଡିସେମ୍ବର ୧୬ରେ ୨୩ବର୍ଷର ପାରା ମେଡିକାଲ ଛାତ୍ରୀ ନିର୍ଭୟାକୁ ଗଣବଳାତ୍କାର ଓ ହତ୍ୟା ମାମଲାରେ ଅଦାଲତ ୩ଜଣଙ୍କୁ ଦୋଷୀ ସାବସ୍ତ୍ୟ କରି ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ଏହି ଦୋଷୀମାନେ ହେଲେ ବିନୟ ଶର୍ମା, ମୁକେଶ ଓ ଅକ୍ଷୟ କୁମାର ସିଂହ। ଏକମାତ୍ର ଦୋଷୀ ବିନୟ ରାଜକ୍ଷମା ପାଇଁ ଆବେଦନ କରିଥିବାବେଳେ ମୁକେଶ ରାଜକ୍ଷମା ଆବେଦନ କରିବାକୁ ମନା କରିଛି। ଅକ୍ଷୟ କୁମାର ସିଂହ ରାଜକ୍ଷମା ଆବେଦନ କରି ନାହିଁ। ନିର୍ଭୟା ବଳାତ୍କାର ମାମଲାରେ ଅନ୍ୟ ଦୁଇଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଜଣେ ଦୋଷୀ ନାବାଳକ ହୋଇଥିବାରୁ ତାର ବିଚାର କିଶୋର ନ୍ୟାୟିକ ବୋର୍ଡରେ ଦଣ୍ଡିତ ହୋଇସାରିଛି। ଅନ୍ୟତମ ଦୋଷୀ ରାମ ସିଂହ ଜେଲ୍‌ରେ ଆତ୍ମହତ୍ୟା କରିଥିଲା।

Comments are closed.