ମାର୍ଚ୍ଚ ୨୦ରେ ନିର୍ଭୟା ଦୋଷୀଙ୍କୁ ଫାଶୀ

ନୂଆଦିଲ୍ଲୀ: ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଦୋଷୀ ମୁକେଶ, ପୱନ, ଅକ୍ଷୟ ଏବଂ ବିନୟକୁ ଆସନ୍ତା ୨୦ ତାରିଖରେ ଫାଶୀ ଦିଆଯିବ। ୨୦ ତାରିଖ ଭୋର ସାଢ଼େ ୫ଟାରେ ସମସ୍ତ ୪ ଦୋଷୀଙ୍କୁ ଫାଶୀ ଦିଆଯିବା ନେଇ ଦିଲ୍ଲୀର ପଟିୟାଲା ହାଉସ କୋର୍ଟ ଗୁରୁବାର ନୂଆ ଡେଥ୍‌ ୱାରେଣ୍ଟ ଜାରି କରିଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ୩ ଥର କୋର୍ଟଙ୍କ ପକ୍ଷରୁ ଡେଥ୍‌ ୱାରେଣ୍ଟ ଜାରି ହୋଇଥିଲା। କିନ୍ତୁ ଦୋଷୀମାନେ ପ୍ରତିଥର ଆଇନଗତ ବିକଳ୍ପର ସହାୟତା ନେଇ ଫାଶୀକୁ ବିଳମ୍ବିତ କରି ଚାଲିଥିଲେ। ଆଇନ ବ୍ୟବସ୍ଥାରେ ରହିଥିବା ଗଳାବାଟ ଦୋଷୀମାନଙ୍କ ବାରମ୍ବାର ଏଭଳି ପ୍ରୟାସକୁ ସୁହାଇଥିଲା। ଗତ ୩ ତାରିଖରେ ଦୋଷୀମାନଙ୍କୁ ଫାଶୀ ଦିଆଯିବା ନେଇ ଦିନ ଧାର୍ଯ୍ୟ ହୋଇଥିଲା। ମାତ୍ର ଦୋଷୀ ପୱନ ଗୁପ୍ତା ଏବଂ ଅକ୍ଷୟ ରାଜକ୍ଷମା ଆବେଦନ କରିବାରୁ ଫାଶୀ ତାରିଖକୁ ଟାଳି ଦିଆଯାଇଥିଲା। ଏହା ପରେ ତିହାର ଜେଲ୍‌ ପ୍ରଶାସନ ପକ୍ଷରୁ ପୁଣି ଥରେ ଫାଶୀ ତାରିଖ ଧାର୍ଯ୍ୟ କରିବାକୁ ଆବେଦନ କରାଯାଇଥିଲା। ଗୁରୁବାର ପଟିୟାଲା ହାଉସ କୋର୍ଟ ଏହାର ଶୁଣାଣି କରି ୨୦ ତାରିଖକୁ ଡେଥ ୱାରେଣ୍ଟ ଜାରି କରିଛନ୍ତି। ଦୋଷୀମାନଙ୍କ ନିକଟରେ ଆଉ କୌଣସି ଆଇନଗତ ବିକଳ୍ପ ନ ଥିବାରୁ ଏଥର ସେମାନେ ଫାଶୀରୁ ରକ୍ଷା ପାଇପାରିବେ ନାହିଁ।

Comments are closed.