ଋଣଛାଡ଼କୁ ନେଇ ରାହୁଳ-ନିର୍ମଳା ମୁହାଁମୁହିଁ

ନୂଆଦିଲ୍ଲୀ: ଖିଲାପୀଙ୍କୁ ଋଣ ଛାଡ଼ ପ୍ରସଙ୍ଗକୁ ନେଇ ଦେଶର ରାଜନୀତି ସରଗରମ । କରୋନା ନେଇ ସାରା ଦେଶ ଚିନ୍ତିତ ଓ ବିବ୍ରତ ଥିବାବେଳେ ଏହି ଋଣ ଛାଡ଼ ମାମଲାକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଳ ଗାନ୍ଧି ଓ ବରିଷ୍ଠ ନେତା ରଣଦୀପ ସୁରଜେୱାଲା ମୋଦୀ ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ଆକ୍ରମଣକୁ ପ୍ରତିହତ କରିବାକୁ ଆଗେଇ ଆସିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କଂଗ୍ରେସ ଦେଶବାସୀଙ୍କୁ ବିଭ୍ରାନ୍ତ କରିବାରେ ଲାଗିଛି ବୋଲି ନିର୍ମଳା ପାଲଟା ଅଭିଯୋଗ କରିଛନ୍ତି ।

ଦିନକ ତଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଋଣ ଖିଲାପୀଙ୍କୁ ନେଇ ଏକ ଟ୍ବିଟ୍ କରିଥିଲେ । ଏଥିରେ ଋଣ ଛାଡ଼ କରାଯାଇଥିବା ପଳାତକମାନଙ୍କୁ ବିଜେପିର ‘ମିତ୍ର’ ବୋଲି ଉଲ୍ଲେଖ କରିଥିଲେ ।  ସେହିପରି ସୁରଜେଓ୍ୱାଲା ଟ୍ୱିଟ ମାଧ୍ୟମରେ ଅର୍ଥମନ୍ତ୍ରୀଙ୍କୁ  ୪ଟି ପ୍ରଶ୍ନ ପଚାରିଛନ୍ତି । ମୋଦି ସରକାର ୨୦୧୪-୧୫ ଏବଂ ୨୦୧୯-୨୦ ମଧ୍ୟରେ ଋଣ ଖିଲାପକାରୀଙ୍କୁ ୬,୬୬,୦୦୦ କୋଟି ଟଙ୍କା ବ୍ୟାଙ୍କ କର୍ଜକୁ କାହିଁକି ‘ରାଇଟ ଅଫ’ କରିଛନ୍ତି ? ସେହିପରି ଦ୍ୱିତୀୟ ପ୍ରଶ୍ନରେ ସେ ୯୫ ଡିଫଲ୍ଟରଙ୍କର ୬୮,୬୦୭ କୋଟି ଟଙ୍କା ଋଣ ଆରବିଆଇ ଛାଡ଼ କରିବା ଖବରର ସତ୍ୟତା କେତେ ? ମୋଦି ସରକାର ଦେଶର ଅର୍ଥକୁ ନେଇ ଫେରାର ହୋଇ ଯାଇଥିବା ପଳାତକ ନୀରବ ମୋଦି, ମେହୁଲ ଚୋକସି, ଜତିନ ମେହତା, ବିଜୟ ମାଲ୍ୟା ଓ ଅନ୍ୟ ପଳାତକଙ୍କୁ ରାଇଟ ଅଫ କାହିଁକି କରୁଛି ? ଏବଂ  ସେହିପରି ବଡ଼ ପରିମାଣର ୬,୬୬,୦୦୦ କୋଟି ଟଙ୍କା ଋଣ ଛାଡ଼ କରିବାକୁ ଅନୁମତି କିଏ ଓ କାହିଁକି ଦେଲା ବୋଲି ସୁରଜେୱାଲା ଅର୍ଥମନ୍ତ୍ରୀଙ୍କୁ କରିଛନ୍ତି ।

ସୁରଜେୱାଲାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଅର୍ଥମନ୍ତ୍ରୀ  ନିର୍ମଳା ସୀତାରମଣ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି ।  ରାହୁଲ ରାଇଟ ଅଫ ସମ୍ପର୍କରେ ଟ୍ୱିଟ କରିବା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସହିତ ଏହା ଉପରେ ଆଲୋଚନା କରିଛନ୍ତି କି ବୋଲି ନିର୍ମଳା ପ୍ରଶ୍ନ କରିଛନ୍ତି। ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି କି, ଏନପିଏ ପାଇଁ ଆରବିଆଇର କିଛି ନିୟମ ରହିଛି । ଯାହା ଅନୁସାରେ ୪ ବର୍ଷ ପର୍ଯ୍ୟନ୍ତ ତାହାର କାର୍ଯ୍ୟ ନିର୍ଦ୍ଧାରଣ କରାଯାଇଥାଏ। ଏହା ଧାର୍ଯ୍ୟ ହେବା ପରେ ବ୍ୟାଙ୍କ ରାଇଟ ଅଫରେ ଋଣ ଖିଲାଫକାରୀଙ୍କୁ ରାଇଟ ଅଫରେ ସାମିଲ କରିଦେଇଥାଏ। ଯାହାକୁ ’ଓ୍ୱେଭ ଅଫ’ କୁହାଯାଇ ପାରିବ ନାହିଁ । କୌଣସି ପ୍ରକାର ଋଣକୁ ଛାଡ଼ କରାଯାଇନାହିଁ ବରଂ ତାକୁ ରାଇଟ ଅଫ ବର୍ଗରେ ସାମିଲ କରାଯାଇଛି। ଯାହାକୁ କେବଳ ରାଇଟ ଅଫ କୁହାଯାଉଛି, ଓ୍ୱଭ ଅଫ ନୁହେଁ। ତେବେ ମେହୁଲ ଚୋକସି ବାବଦରେ ଯଦି କୁହାଯାଏ, ତେବେ ତାଙ୍କର ୧୯୩୬ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ସେଥିମଧ୍ୟରେ ବିପୁଳ ପରିମାଣର ବୈଦେଶିକ ସମ୍ପତ୍ତି ମଧ୍ୟ ରହିଛି। ତାଙ୍କୁ ଗିରଫ ପାଇଁ ଆଣ୍ଟିଗୁଆ ସରକାରଙ୍କ ସହିତ ଆଲୋଚନା କରାଯାଉଛି । ଏହା ସହିତ ତାଙ୍କୁ ପଳାତକ ଘୋଷଣା କରିବାକୁ ସରକାରଙ୍କ ତରଫରୁ ପ୍ରୟାସ ମଧ୍ୟ କରାଯାଉଛି ବୋଲି ସେ କହିଥିଲେ ।

ବିଜୟ ମାଲ୍ୟାଙ୍କ  ୮୦୪୦ କୋଟି ଟଙ୍କା ସମ୍ପତ୍ତି ସରକାର ଜବତ କରିଛନ୍ତି ।  ୧୬୯୩ କୋଟି ଟଙ୍କା ମୂଲ୍ୟର ସେୟାର ମଧ୍ୟ ଜବତ କରାଯାଇଛି। ତାଙ୍କୁ ପଳାତକ ଘୋଷିତ କରାଯାଇଛି। ଏହା ବ୍ୟତୀତ ସରକାର ନୀରବ ମୋଦିଙ୍କ ୨୩୮୭ କୋଟି ଟଙ୍କାର ସମ୍ପତ୍ତି ସଂଲଗ୍ନ କରିଛନ୍ତି କିମ୍ବା ଜବତ କରିଛନ୍ତି ବୋଲି ନିର୍ମଳା ସୀତାରମଣ କହିଛନ୍ତି ।

Comments are closed.