ଦେଶର ଅର୍ଥନୀତି ମଡେଲକୁ ନେଇ ଅର୍ଥମନ୍ତ୍ରୀ ଦମ୍ପତି ମୁହାଁମୁହିଁ

ନୂଆଦିଲ୍ଲୀ:କେନ୍ଦ୍ର ସରକାର ବିଗତ ୫ ବର୍ଷ ଭିତରେ ଭାରତୀୟ ଅର୍ଥନୀତିରେ ବ୍ୟାପକ ସଂସ୍କାର ଆଣିଛନ୍ତି। ଏହି ସମୟ ମଧ୍ୟରେ ସାମଗ୍ରୀ ଓ ସେବା କର (ଜିଏସଟି), ଭାରତୀୟ ଦେବାଳିଆ ଓ ପରିଶୋଧ ଅକ୍ଷମତା କୋଡ (ଆଇବିସି) ଏବଂ ଆଧାର ଭଳି ଗୁରୁତ୍ବପୂର୍ଣ୍ଣ ବ୍ୟବସ୍ଥା ଲାଗୁ କରାଯାଇଛି। ଭାରତୀୟ ଅର୍ଥନୀତି ସମ୍ବନ୍ଧରେ ସ୍ବାମୀ ତଥା ଅର୍ଥନୀତିଜ୍ଞ ପରାକଳା ପ୍ରଭାକର ଦେଇଥିବା ଏକ ମନ୍ତବ୍ୟ ପରିପ୍ରେକ୍ଷୀରେ ସୀତାରମଣ ଏହା କହିଛନ୍ତି। ପ୍ରମୁଖ ଇଂରାଜୀ ଖବରକାଗଜ ‘ଦି ହିନ୍ଦୁ’ରେ ସୋମବାର ପ୍ରକାଶିତ ନିଜର ଏକ ସ୍ତମ୍ଭରେ ପ୍ରଭାକର ଉଲ୍ଲେଖ କରିଥିଲେ ଯେ ବିଜେପି ନିଜର ନୀତି ସ୍ପଷ୍ଟ କରିବା ପରିବ​‌ର୍ତ୍ତେ କେବଳ ଭାରତର ଅର୍ଥନୈତିକ ସ୍ଥିତିକୁ ଅସ୍ବୀକାର କରି ଚାଲିଛି। ଭାରତୀୟ ଅର୍ଥ ବ୍ୟବସ୍ଥାକୁ ତ୍ବରାନ୍ବିତ କରିବାକୁ ହେଲେ ବିଜେପିକୁ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ଏବଂ ମନମୋହନ ସିଂହଙ୍କ ଅର୍ଥନୈତିକ ମଡେଲକୁ ଆପଣାଇବାକୁ ହେବ ବୋଲି ପ୍ରଭାକର ଏଥିରେ ପରାମର୍ଶ ଦେଇଥିଲେ। ଖୋଦ ଅର୍ଥମନ୍ତ୍ରୀଙ୍କ ସ୍ବାମୀ ଏଭଳି ମତ ଉପସ୍ଥାପନ କରିବା ବିଜେପି ପାଇଁ ଅରୁଚିକର ସ୍ଥିତି ସୃଷ୍ଟି କରିଥିଲା। ଏହାକୁ ନେଇ ରାଜନୈତିକ ତଥା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିବାରୁ ସୀତାରମଣ ସ୍ବାମୀଙ୍କ ଦ୍ବାରା ଦିଆଯାଇଥିବା ମନ୍ତବ୍ୟ ଉପରେ ଜବାବ ଦେଇଛନ୍ତି। ଏନଡିଏ ସରକାରର କାର୍ଯ୍ୟଧାରାକୁ ପ୍ରଶଂସା କରି ସୀତାରମଣ ଆହୁରି କହିଛନ୍ତି ଯେ ୨୦୧୪ରୁ ୨୦୧୯ ମଧ୍ୟରେ ଏନଡିଏ ଶାସନ କାଳରେ ହିଁ ସମସ୍ତ ସଂସ୍କାରମୂଳକ କାର୍ଯ୍ୟକ୍ରମ କରାଯାଇଛି। ଜିଏସଟି ଭଳି ଗଭୀର ଅର୍ଥନୈତିକ ସଂସ୍କାର କଂଗ୍ରେସ ଦ୍ବାରା କରାଯାଇ ନାହିଁ। ଆଇବିସି ଓ ଆଧାର ବ୍ୟବସ୍ଥା ଦ୍ବାରା ବ୍ୟାପକ ସଂଶୋଧନ ହୋଇଛି। ଉଜ୍ବଳା ଯୋଜନା ଦ୍ବାରା ୮ ଲକ୍ଷ ମହିଳା ଉପକୃତ ହୋଇଛନ୍ତି। ଶୁଳ୍କ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଅକ୍ଟୋବର ୧ ପରେ ଭାରତରେ କାରବାର ଆରମ୍ଭ କରୁଥିବା ବ୍ୟବସାୟୀଙ୍କୁ ସର୍ବନିମ୍ନ ଶୁଳ୍କ ଦେବାକୁ ହେବ। ଏସବୁ କାର୍ଯ୍ୟକ୍ରମକୁ ମଧ୍ୟ ପ୍ରଶଂସା କରାଯିବା ଉଚିତ ବୋଲି ସୀତାରମଣ ଦର୍ଶାଇଛନ୍ତି।
ପ୍ରଭାକରଙ୍କ ମନ୍ତବ୍ୟ ଉପରେ ବିଜେପି ଅଧ୍ୟକ୍ଷ ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ବ୍ୟକ୍ତିଗତ ମତାମତ ଉପସ୍ଥାପନ କରିବା ନେଇ ସଭିଙ୍କର ଅଧିକାର ରହିଛି। ଆମେ କ’ଣ ଏଭଳି ଦେଶ ଚାହୁଁଛେ ଯେଉଁଠି ସ୍ବାମୀ ଏବଂ ସ୍ତ୍ରୀଙ୍କ ମତ ଏକ ହେବା ଆବଶ୍ୟକ ବୋଲି ଶାହା ପାଲଟା ପ୍ରଶ୍ନ କରିଛନ୍ତି। ବିରୋଧୀ ଦଳକୁ ସମାଲୋଚନା କରି ସେ କହିଛନ୍ତି ସରକାରଙ୍କୁ ନିଶାଣ କରିବା ନେଇ ବିରୋଧୀ ଦଳଗୁଡିକ ପ୍ରଭାକରଙ୍କ ସ୍ତମ୍ଭକୁ ବ୍ୟବହାର କରିବା ଏକ ଶସ୍ତା କୌଶଳ। ତେବେ ଭାରତୀୟ ଅର୍ଥନୀତି ବିଶ୍ବର ଅନ୍ୟ ରାଷ୍ଟ୍ର ତୁଳନାରେ ଉତ୍ତମ ସ୍ଥିତିରେ ରହିଛି। ବିଶ୍ବସ୍ତରୀୟ କିଛି ପ୍ରସଙ୍ଗ କାରଣରୁ ଏହାକୁ ନୂତନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି ବୋଲି ​‌ସେ ଦର୍ଶାଇଛନ୍ତି।

Comments are closed.