ବାସଭୂଇଁକୁ ଫେରିଥିବା ପ୍ରବାସୀଙ୍କୁ ଯୋଗାଇ ଦିଆଯିବ ମନରେଗା କାମ

ନୂଆଦିଲ୍ଲୀ: ଲକ୍ଡ଼ାଉନ ଯୋଗୁଁ ବିଭିନ୍ନ ରାଜ୍ୟରେ କଳ କାରଖାନା ବନ୍ଦ । ବିଭିନ୍ନ ନିର୍ମାଣ କାର୍ଯ୍ୟ ମଧ୍ୟ ବନ୍ଦ । ସେଥିପାଇଁ ବହୁ ସଂଖ୍ୟାରେ ପ୍ରବାସୀ ନିଜ ରାଜ୍ୟକୁ ଫେରିଛନ୍ତି । ତେଣୁ ଦେଶର ଅର୍ଥନୀତିକୁ ପୁଣି ଥରେ ସଜାଡ଼ିବା ଓ ଲୋକଙ୍କୁ କାମ ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆର୍ଥନୀତିକ ପ୍ୟାକେଜ୍ ଆଧାରରେ ପ୍ରବାସୀଙ୍କୁ ସେମାନଙ୍କ ନିଜ ବାସଭୂଇଁରେ ଯୋଗାଇ ଦିଆଯିବ କାମ । ଫଳରେ ଲୋକଙ୍କ ହାତକୁ ନଗଦ ଅର୍ଥ ଆସିବ ଓ ଗ୍ରାମ୍ୟ ଅର୍ଥନୀତି ସମୃଦ୍ଧ ହେବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ସମ୍ପର୍କରେ ଘୋଷଣା କରିଛନ୍ତି ।

ଅର୍ଥମନ୍ତ୍ରୀଙ୍କ ସୂଚନା ଅନୁସାରେ ଗତ ଆର୍ଥିକ ବର୍ଷ  ତୁଳନାରେ ଚଳିତଥର ୪୦ରୁ ୫୦ ପ୍ରତିଶତ ଅଧିକ ଲୋକ ମନରେଗାରେ କାମ କରିବା ପାଇଁ ପଞ୍ଜିକରଣ କରିଛନ୍ତି । ମନେରଗାର ଦୈନିକ ମଜୁରୀକୁ ୧୮୨ ଟଙ୍କାରୁ ବୃଦ୍ଧି କରି ୨୦୨ ଟଙ୍କା କରାଯାଇଛି । ପ୍ରବାସୀ ଶ୍ରମିକଙ୍କୁ ମନରେଗାରେ କାମ ଦେବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆଗକୁ ମୌସୁମୀ ଆସୁଥିବାରୁ ବୃକ୍ଷରୋପଣ ଓ ଉଦ୍ୟାନ କାର୍ଯ୍ୟ ସହ ଅନ୍ୟ କ୍ଷେତ୍ରରେ କାମ ଦିଆଯାଇ ପାରିବ ।ଏଥିପାଇଁ ପଞ୍ଜିକରଣକୁ ୫୦ ପ୍ରତିଶତ ଯାଏଁ ବଢ଼ାଯାଇଛି । ମେ ୧୩ ସୁଦ୍ଧା ୧୪.୬୨ କୋଟି ଲୋକଙ୍କୁ କାମ ମିଳିଛି । ଏଥିରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।

 

Comments are closed.