ଏନ୍‍ଆଇଆର୍‍ଏଫ୍‍ ରାଙ୍କିଂ : ଶ୍ରେଷ୍ଠ ୧୦୦ରେ ଓଡ଼ିଶାର ୧୦ଶିକ୍ଷାନୁଷ୍ଠାନ, ଉତ୍କଳ ବିଶ୍ୱବିଦ୍ୟାଳୟକୁ ମିଳିଲା ୮୭ତମ ରାଙ୍କ

ଗବେଷଣା କ୍ୟାଟାଗରୀ ତାଲିକାରେ ରାଉରକେଲା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଆଣ୍ଡ ଟେକ୍ନୋଲୋଜି(ନିଟ)କୁ  ୩୧ତମ ଏବଂ ଭୁବନେଶ୍ୱର ଆଇଆଇଟିକୁ ୪୩ତମ ରାଙ୍କ

  • ଦେଶରେ ଆଇଆଇଟି ମାଡ୍ରାସ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ
  • ରାଜ୍ୟରେ ୬ଟି ରାଙ୍କ ପାଇ କିଟ୍‍ ବିଶ୍ୱବିଦ୍ୟାଳୟ ଆଗରେ
  • ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ ସୋଆ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନକୁ ନେଇ ନ୍ୟାସନାଲ୍‍ ଇନଷ୍ଟିଚ୍ୟୁସନାଲ୍‍ ର୍ୟାଙ୍କିଂ ଫ୍ରେମ୍ୱାର୍କ(ଏନ୍ଆଇଆର୍ଏଫ-୨୦୨୧) ତାଲିକା ପ୍ରକାଶ ପାଇଛି। ଦେଶରେ ଆଇଆଇଟି ମାଡ୍ରାସ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ବିବେଚିତ ହୋଇଛି। ସର୍ବଭାରତୀୟ ସ୍ତରରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ନେଇ ପ୍ରସ୍ତୁତ ୧୧ଟି କ୍ୟାଟେଗୋରିରେ ଓଡ଼ିଶାର ୧୦ଟି ଶିକ୍ଷାନୁଷ୍ଠାନକୁ ଶ୍ରେଷ୍ଠ ୧୦୦ ଏନ୍‍ଆଇଆର୍‍ଏଫ୍‍ ର୍ୟାଙ୍କିଂ କରାଯାଇଛି। ଏଥିରେ ଏକ ସାମଗ୍ରିକ ତାଲିକା ସାଙ୍ଗକୁ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ, ମ୍ୟାନେଜ୍‍ମେଣ୍ଟ, ଫାର୍ମାସି, ମହାବିଦ୍ୟାଳୟ, ମେଡ଼ିକାଲ୍‍, ଆଇନ୍‍, ଆର୍କିଟେକ୍‍ଚର୍‍, ଡେଣ୍ଟାଲ ଓ ଗବେଷଣା କ୍ୟାଟେଗୋରିରେ ଏନ୍‍ଆଇଆର୍‍ଏଫ୍‍ ର୍ୟାଙ୍କିଂ ଦିଆଯାଇଛି। ଏସବୁ କ୍ୟାଟେଗୋରି ମଧ୍ୟରେ ସର୍ବାଧିକ ୬ଟି ର୍ୟାଙ୍କ ପାଇ କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଟେକ୍ନୋଲୋଜି(କିଟ୍‍) ବିଶ୍ୱବିଦ୍ୟାଳୟ ଆଗରେ ରହିଛି। ତେବେ ସାମଗ୍ରିକ ତାଲିକାରେ ଜାତୀୟସ୍ତରରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ୨୦ତମ ତାଲିକା ପାଇଥିବାବେଳେ ୫ଟି କ୍ୟାଟାଗରିରେ ସ୍ଥାନ ପାଇ ଏହା ରାଜ୍ୟର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଛି। ଗତ ବର୍ଷ ୯୬ ସ୍ଥାନରେ ଓଡିଶାର ଉତ୍କଳ ବିଶ୍ବବିଦ୍ୟାଳୟ ରହିଥିବା ବେଳେ ଗତବର୍ଷ ପଦୋନ୍ନତ୍ତି ସହ ଏହା ୮୭ତମ ସ୍ଥାନ ଗ୍ରହଣ କରିଛି। ଚଳିତ ବର୍ଷ ବିଶ୍ୱବିଦ୍ୟାଳୟ କ୍ୟାଟେଗୋରି ତାଲିକାରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ୮୭ତମ ରାଙ୍କ ମିଳିଛି। ଗବେଷଣା କ୍ୟାଟାଗରୀ ତାଲିକାରେ ରାଉରକେଲା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଆଣ୍ଡ ଟେକ୍ନୋଲୋଜି(ନିଟ)କୁ  ୩୧ତମ ସ୍ଥାନ ଏବଂ ଭୁବନେଶ୍ୱର ଆଇଆଇଟିକୁ ୪୩ତମ ରାଙ୍କ ପ୍ରଦାନ କରାଯାଇଛି।
ସାମଗ୍ରିକ ତାଲିକା
ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ, ମ୍ୟାନେଜ୍‍ମେଣ୍ଟ, ଫାର୍ମାସି, ମହାବିଦ୍ୟାଳୟ, ମେଡ଼ିକାଲ୍‍, ଆଇନ୍‍, ଆର୍କିଟେକ୍‍ଚର୍‍, ଡେଣ୍ଟାଲ ଓ ଗବେଷଣା କ୍ୟାଟେଗୋରିକୁ ନେଇ ସାମଗ୍ରିକ ତାଲିକା ପ୍ରକାଶ ପାଇଛି। ଏଥିରେ ଦେଶର ୨୦୦ଶିକ୍ଷାନୁଷ୍ଠାନକୁ ସାମିଲ କରାଯାଇଛି। ସେଥିମଧ୍ୟରେ ଓଡ଼ିଶାରୁ ୭ଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛି। ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ) ୩୩ତମ, କିଟ ବିଶ୍ୱବିଦ୍ୟାଳୟ ୩୯, ରାଉରକେଲା ନ୍ୟାସ୍‍ନାଲ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଟେକ୍ନୋଲୋଜି ୪୧ତମ ସ୍ଥାନ, ଇଣ୍ଡିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଟେକ୍ନୋଲୋଜି ଭୁବନେଶ୍ୱର ୫୯ତମ ସ୍ଥାନ ନ ମିଳିଛି। ଦେଶର ସାମଗ୍ରିକ ୧୦୧ରୁ ୧୫୦ ତାଲିକା ମଧ୍ୟରେ ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟି, ଏସସିବି ମେଡ଼ିକାଲ କଲେଜ ଓ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି।
ବିଶ୍ୱବିଦ୍ୟାଳୟ
ଦେଶର ୨୦୦ଟି ବିଶ୍ୱବିଦ୍ୟାଳୟକୁ ନେଇ ଏନ୍‍ଆଇଆର୍‍ଏଫ୍‍ ର୍ୟାଙ୍କିଂ ପ୍ରସ୍ତୁତ ହୋଇଛି। ସେଥିରେ ଶ୍ରେଷ୍ଠ ୧୦ ବିଶ୍ୱବିଦ୍ୟାଳୟ ତାଲିକାରେ ଓଡ଼ିଶାରୁ ୪ଟିି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ଏହି ତାଲିକାରେ ୨୦ତମ ର୍ୟାଙ୍କରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଏବଂ ୨୧ତମ ର୍ୟାଙ୍କରେ କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଇଣ୍ଡଷ୍ଟ୍ରିଆଲ୍‍ ଟେକ୍ନୋଲୋଜି(କିଟ୍‍) ରହିଛି। ଉତ୍କଳ ବିଶ୍ୱବିଦ୍ୟାଳୟକୁ ୮୭ତମ ରାଙ୍କ ମିଳିଛି। ରାଜ୍ୟ ବିଶ୍ୱବିଦ୍ୟାଳୟ ତାଲିକାର ୧୦୧ରୁ ୧୫୦ ର୍ୟାଙ୍କରେ ଜାଭିୟର ବିଶ୍ୱବିଦ୍ୟାଳୟ ରହିଛି।
ଇଞ୍ଜିନିୟରିଂ
ଦେଶର ଶ୍ରେଷ୍ଠ ୨୦୦ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ କ୍ୟାଟେଗୋରି ତାଲିକା ପ୍ରସ୍ତୁତ ହୋଇଛି। ରାଉରକେଲା ନ୍ୟାସ୍‍ନାଲ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଟେକ୍ନୋଲୋଜିକୁ ୨୦ତମ ର୍ୟାଙ୍କ ମିଳିଥିବାବେଳେ ଇଣ୍ଡିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଟେକ୍ନୋଲେଜିକୁ ୨୮ତମ ର୍ୟାଙ୍କ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ୩୨, କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଇଣ୍ଡଷ୍ଟ୍ରିଆଲ୍‍ ଟେକ୍ନୋଲୋଜି(କିଟ୍‍) ୩୯ତମ ର୍ୟାଙ୍କ ଓ ସିଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟକୁ ୧୦୦ତମ ର୍ୟାଙ୍କ ପ୍ରଦାନ କରାଯାଇଛି। ସେହିପରି ଗାନ୍ଧି ଇନ୍‍ଷ୍ଟିଚ୍ୟୁଟ୍‍ ଫର ଟେକ୍ନୋଲୋଜିକାଲ୍‍ ଆଡ୍‍ଭାନ୍ସମେଣ୍ଟ(ଗିତା) ୨୫୧ରୁ ୩୦୦ତମ ର୍ୟାଙ୍କ ମଧ୍ୟରେ ରହିଛି।
ମ୍ୟାନେଜ୍‍ମେଣ୍ଟ
ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଏନ୍‍ଆଇଆର୍‍ଏଫ୍‍ ର୍ୟାଙ୍କିଂରେ ଜାଭିୟର ବିଶ୍ୱବିଦ୍ୟାଳୟକୁ ୩୪ତମ ର୍ୟାଙ୍କ ଓ ସମ୍ବଲପୁର ଆଇଆଇଏମ୍‍କୂ ୬୧ ଏବଂ ଭୁବନେଶ୍ୱର ଆଇଏମ୍‍ଆଇକୁ ୬୨ତମ ରାଙ୍କ ଦିଆଯାଇଛି।
ମେଡ଼ିକାଲ୍‍
ଦେଶର ମଡ଼ିକାଲ୍‍ କଲେଜକୁ ନେଇ ପ୍ରସ୍ତୁତ ଏନ୍‍ଆଇଆର୍‍ଏଫ୍‍ ର୍ୟାଙ୍କିଂôରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ) ୨୧ତମ ର୍ୟାଙ୍କରେ ରହିଥିବାବେଳେ ଭୁବନେଶ୍ୱର ଏମ୍‍ସ ୩୧ତମ ଏବଂ କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଟେକ୍ନୋଲୋଜି(କିଟ୍‍)କୁ ୩୬ତମ ରାଙ୍କ ମିଳିଛି।
ଆଇନ ଓ ଡେଣ୍ଟାଲ
ଆଇନ କ୍ୟାଟାଗରୀରେ ରେ କିଟ ବିଶ୍ୱବିଦ୍ୟାଳୟକୁ ୧୦ମ ସ୍ଥାନ ମିଳିଥଇବାବେଳେ କଟକ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟକୁ ୧୮ତମ ରାଙ୍କ ମିଳିଛି। ସେହିପରି ଡେଣ୍ଟାଲ କ୍ୟାଟାଗରୀରେ ସୋଆ ବିଶ୍ୱବିଦ୍ୟାଳୟକୁ ୧୪ତମ ଏବଂ କିଟ ବିଶ୍ୱବିଦ୍ୟାଳୟକୁ ୧୭ତମ ରାଙ୍କ ପ୍ରଦାନ କରାଯାଇଛି।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ୨୦୨୧ ବର୍ଷ ପାଇଁ ନ୍ୟାଶନାଲ୍ ଇନଷ୍ଟିଚ୍ୟୁଟ୍ ରାଙ୍କିଙ୍ଗସ୍ ଫ୍ରେମୱର୍କ ଜାରି କରିଛନ୍ତି। ଶିକ୍ଷା ମନ୍ତ୍ରୀ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ରାଜ୍ୟ ମନ୍ତ୍ରୀ ସଞ୍ଜୟ ଧୋତ୍ରୀ ଏବଂ ଏଆଇସିଟିଇ ଚେୟାରମ୍ୟାନ୍ ଅନିଲ ସାହାରସ୍ରାବୁଦେଙ୍କ ସହ ଲାଇଭ୍ ଯାଇ ଭାରତର ସର୍ବୋଚ୍ଚ ବିଶ୍ୱବିଦ୍ୟାଳୟ ଘୋଷଣା କରିଛନ୍ତି। ଏଥିରେ  ଆଇଆଇଟି ମାଡ୍ରାସ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ବିବେଚିତ ହୋଇଛି। କ୍ରମାଗତ ତୃତୀୟ ବର୍ଷ ପାଇଁ ଆଇଆଇଟି ମାଡ୍ରାସ ଶୀର୍ଷ ସ୍ଥାନ ଅଧିକାର କରିଛି। ଆଇଆଇଟି ମାଡ୍ରାସ ଭାରତରେ ଓଭରଅଲ୍ ଓ ଇଞ୍ଜିନିୟରିଂରେ ଏକ ନମ୍ବର ସ୍ଥାନ ହାସଲ କରିଛି। ସେହିପରି ଓଭରଅଲରେ ଆଇଆଇଏସ, ବେଙ୍ଗାଲୁରୁ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ଆଇଆଇଟି ବମ୍ବେ ତୃତୀୟ ସ୍ଥାନ ହାସଲ କରିଛି।

ଅନ୍ୟପକ୍ଷରେ ଇଞ୍ଜିନିୟରିଂ କଲେଜର ଶ୍ରେଷ୍ଠ ୧୦ ତାଲିକାରେ ୮ଟି ଆଇଆଇଟି ଓ ଦୁଇଟି ଏନଆଇଟି ସଂସ୍ଥା ରହିଛନ୍ତି। ସେହିପରି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ମିରାଣ୍ଡା ହାଉସ୍ ସର୍ବଶ୍ରେଷ୍ଠ କଲେଜ, ମହିଳା ଏଲଏସଆର୍ କଲେଜ୍ ଦ୍ୱିତୀୟ ସ୍ଥାନରେ ଏବଂ ଲୋୟଲା କଲେଜ୍ ତୃତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଆଇଆଇଏମ ଅହମ୍ମଦବାଦ ମ୍ୟାନେଜମେଣ୍ଟ ପାଇଁ ସର୍ବଶ୍ରେଷ୍ଠ କଲେଜ ବିବେଚିତ ହୋଇଛି।

ବିଶ୍ୱବିଦ୍ୟାଳୟ ତାଲିକାରେ ଆଇଆଇଏସ, ବେଙ୍ଗାଲୁରୁ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଜବାହାରଲାଲ ନେହରୁ ବିଶ୍ୱ ବିଦ୍ୟାଳୟ ଦ୍ୱିତୀୟ ସ୍ଥାନରେ ରହିଛି। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ତୃତୀୟ ସ୍ଥାନରେ ଥିବା ବେଳେ କୋଲକାତା ବିଶ୍ୱବିଦ୍ୟାଳୟ ଚତୁର୍ଥ, କୋଏମ୍ବାଟୁରର ଅମୃତ ବିଶ୍ୱ ବିଦ୍ୟାପୀଠମ୍ ପଞ୍ଚମ, ଜାମିଆ ମିଲିଆ ଇସ୍‌ଲାମିଆ ଷଷ୍ଠ, ମଣିପାଲ ଆକାଡେମୀ ଅଫ୍ ହାୟର ଏଜୁକେସନ୍‌ ସପ୍ତମ, କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟ ଅଷ୍ଟମ, ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ନବମ ଓ ଆଲିଗଡ଼ ମୁସ୍‌ଲିମ୍ ବିଶ୍ୱବିଦ୍ୟାଳୟ ଦଶମ ସ୍ଥାନରେ ରହିଛି।

କ’ଣ ରହିଛି ଯୋଗ୍ୟତା ମାନଦଣ୍ଡ
ଶିକ୍ଷାଦାନ, ଗବେଷଣା, ଛାତ୍ର-ଶିକ୍ଷକ ଅନୁପାତ, ଭିତ୍ତିଭୂମି, ପିଏଚ୍‍ଡି ଡିଗ୍ରୀଧାରୀ ଶିକ୍ଷକ ଓ ଅଭିଜ୍ଞ ସମ୍ପନ୍ନ ଶିକ୍ଷକ, ବାର୍ଷିକ ବଜେଟ ଓ ତାହାର ଉପଯୋଗ ଆଦି ବିଷୟକୁ ଆଧାର କରି ଜାତୀୟସ୍ତରୀୟ ରାଙ୍କ ପ୍ରସ୍ତୁତ କରାଯାଇଛି। ତେବେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ କୌଣସି ଶିକ୍ଷାନୁଷ୍ଠାନ ଜାତୀୟସ୍ତରୀୟ ୧୦୦ ରାଙ୍କ ଶିକ୍ଷାନୁଷ୍ଠାନ ତାଲିକାରେ ସ୍ଥାନ ପାଇନାହିଁ।

 

Comments are closed.