ନିର୍ଭୟା ମାମଲା – ପଟିଆଲା ହାଉସ କୋର୍ଟ ରାୟ, କାଲି ଦିଆଯିବନି ଫାଶୀ

ଡେସ୍କ: ଆସନ୍ତାକାଲି ଅର୍ଥାତ ଫେବୃଆରୀ ୧ରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବା ପାଇଁ ପୂର୍ବରୁ ସମୟ ନିର୍ଦ୍ଧାରିତ ହୋଇଥିଲେ ମଧ୍ୟ ଆଜି ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଏହା ଉପରେ ରୋକ ଲଗାଇଛନ୍ତି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଫାଶୀ ଟଳି ଯାଇଥିବା ସ୍ପଷ୍ଟ ହୋଇଛି। ଅଭିଯୁକ୍ତଙ୍କ ଓକିଲ ଏ.ପି. ସିଂହ ଗଣମାଧ୍ୟମକୁ କହିଛନ୍ତି, ପଟିଆଲା ହାଉସ କୋର୍ଟ ଅକ୍ଷୟ, ବିନୟ, ପବନ ଓ ମୁକେଶର ଡେଥ ୱାରଣ୍ଟକୁ ରଦ୍ଦ କରିଛନ୍ତି।

ଏହି ମାମଲାର ଶୁଣାଣି ସମୟରେ ତିହାର ଜେଲ କର୍ତୃପକ୍ଷ କୋର୍ଟଙ୍କୁ ଜଣାଇଥିଲେ ଯେ ଆସନ୍ତା କାଲି ୩ ଜଣଙ୍କୁ ଫାଶୀ ଦିଆଯାଇ ପାରିବ ଏବଂ ନିର୍ଭୟାଙ୍କ ମାଙ୍କ ପକ୍ଷରୁ ଲଢ଼ୁଥିବା ଓକିଲ କହିଥିଲେ ଯେ ଅଭିଯୁକ୍ତମାନେ ଫାଶୀରୁ ବଂଚିବା ପାଇଁ ବିଭିନ୍ନ ଉପାୟ ଆପଣାଉଛନ୍ତି। ଏହା ପୂର୍ବରୁ ସୁପ୍ରିମକୋର୍ଟ ପବନ ଗୁପ୍ତାର ନାବାଳକ ହୋଇଥିବା ଆବେଦନକୁ ଖାରଜ କରିଦେଇଥିଲେ। ଶୁଣାଣି ସମୟରେ ତିହାର ଜେଲ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ଇରଫାନ ଅହମ୍ମଦ କହିଥିଲେ, କେବଳ ବିନୟ ଶର୍ମାର ଆବେଦନ ଉପରେ ନିଷ୍ପତ୍ତି ନେବା ପ୍ରକ୍ରିୟା ଜାରି ରହିଛି ତେଣୁ ଅନ୍ୟ ୩ଜଣଙ୍କୁ ଫାଶୀ ଦିଆଯାଇପାରିବ। ଅନ୍ୟ ପକ୍ଷରେ ନିର୍ଭୟାଙ୍କ ମା କହଛନ୍ତି, ଦୋଷୀଙ୍କ ଓକିଲ ତାଙ୍କୁ ଚ୍ୟାଲେଞ୍ଜ କରିଥିଲେ ଯେ ସେ ଫାଶୀ ତାରିଖ ଘୁଞ୍ଚାଇ ଦେବେ ଏବଂ ତାହା ହିଁ ହେଲା।

Comments are closed.