୨.୬ ନିୟୁତ ଡ଼ଲାରର ହୀରା ଠକେଇ: ଆମେରିକାରେ ନିରବ ମୋଦୀଙ୍କ ଭାଇ ନେହଲ ମୋଦୀ ଦୋଷୀ ସାବ୍ୟସ୍ତ

ନ୍ୟୁୟର୍କ: ପଳାତକ ହୀରା ନିରବ ମୋଦୀଙ୍କ ସାନଭାଇ ନେହଲ ମୋଦୀଙ୍କୁ  ବିଶ୍ୱର ଅନ୍ୟତମ ବୃହତ୍ତମ ହୀରା କମ୍ପାନୀରୁ ୨.୬ ନିୟୁତ ଡଲାରରୁ ଅଧିକ ମୂଲ୍ୟର ହୀରା ଜାଲିଆତି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି । ନ୍ୟୁୟର୍କ ସୁପ୍ରିମକୋର୍ଟରେ ନେହାଲ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ବୋଲି ମ୍ୟାନହଟନ ଜିଲ୍ଲା ଓକିଲ ସାଇ ଭାନ୍ସ କହିଛନ୍ତି।

ମାର୍ଚ୍ଚ ୨୦୧୫ ରୁ ଅଗଷ୍ଟ ୨୦୧୫ ମଧ୍ୟରେ ନୋବଲ୍ ଟାଇଟାନ୍ ହୋଲ୍ଡିଂର ପୂର୍ବତନ ସଦସ୍ୟ ନେହେଲ ମୋଦୀ ଆମେରିକାର ଏଲଏଲଡ଼ି  ଡାଇମଣ୍ଡସ୍ ୨.୬ ନିୟୁତ ଡଲାରରୁ ଅଧିକ ମୂଲ୍ୟର ହୀରା ହେରଫେର କରିଥିବା ଅଭିଯୋଗ ହୋଇଥିଲା ।।

ନେହଲ ମୋଦୀ ଏଲଏଲଡ଼ି ନିକଟରୁ ୮ ଲକ୍ଷ ଆମେରିକୀୟ ଡ଼ଲାର ମୂଲ୍ୟର ହୀରା କୋଷ୍ଟକୋ ହୋଲସେଲ କିଣିବ ବୋଲି କହିଥିଲେ । ମାତ୍ର ହୀରା ପାଇବା ପରେ ନେହାଲ କମ୍ପାନୀକୁ ମିଥ୍ୟା ସୂଚନା ଦେଇଥିଲେ ଓ ଧାର୍ଯ୍ୟ ଅବଧି ୯୦ ଦିନ ମଧ୍ୟରେ ଟଙ୍କା ପଇଠ କରି ନ ଥିଲେ । ୨୦୧୫ ଏପ୍ରିଲ ମାସରୁ ମେ ମାସ ମଧ୍ୟରେ ନେହାଲ ୩ଥର ଏଏଲଏଲ୍ଡ଼ିରୁ ହୀରା କିଣିଥିଲେ ଓ ଏ ବାବଦ ଅର୍ଥ ପଇଠ କରି ନ ଥିଲେ ।  ତାଙ୍କ ଉପରେ ପ୍ରାୟ ୧ ନିୟୁତ ଡ଼ଲାର ବାକି ପଡ଼ିଥିଲା ।

ଅନ୍ୟପକ୍ଷରେ ନେହଲ ହୀରା ନେବା ପରେ ତାହାକୁ ଅନ୍ୟ ଖୁଚୁରା ବ୍ୟବସାୟୀମାନଙ୍କୁ କମ୍ ଭୂଲ୍ୟରେ ବିକ୍ରି କରି ଦେଇଥିଲେ । ମାତ୍ର ଏଲଏଲଡ଼ି ଏ ସମ୍ପର୍କରେ ସୂଚନା ପାଇବା ପରେ ନେହଲଙ୍କଠାରୁ ହୀରା ବାବଦ ଅର୍ଥ ଦାବି କରିଥିଲା । ମାତ୍ର ନେହଲ ହୀରା ନେଇଥିବା ଏଲଏଲଡ଼ି କମ୍ପାନୀକୁ ଅର୍ଥ ଦେଇ ପାରି ନ ଥିଲେ । ଏ ସମ୍ପର୍କରେ କମ୍ପାନୀ ମ୍ୟନହଟନ୍ ପ୍ରବର୍ତନ ନିର୍ଦେଶାଳୟଙ୍କ କାର୍ଯ୍ୟାଳୟକୁ ଏ ସମ୍ପର୍କରେ ଅବଗତ କରିଥିଲା । ଅନ୍ୟପକ୍ଷରେ ନ୍ୟୁୟର୍କରେ ନେହଲଙ୍କ ଓକିଲ କହିଛନ୍ତି ଏହା ଏକ ବ୍ୟବସାୟିକ ବିବାଦ, ମାତ୍ର ଏଥିରେ ନେହାଲ ଦୋଷୀ ନୁହନ୍ତି  ।

ଏଠାରେ ସୂଚନାଯୋଗ୍ୟ ଯେ ଆନୁମାନିକ ୨ ବିଲିୟନ ଡଲାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ସ୍କାମ ମାମଲାରେ ଜାଲିଆତି ଏବଂ ଟଙ୍କା ହେରଫେର ଅଭିଯୋଗରେ ନେହେଲଙ୍କ ଭାଇ ନିରବ ଭାରତରୁ ଫେରାର ହୋଇ ଯାଇଛନ୍ତି । ତାଙ୍କୁ ଲଣ୍ଡନରେ ଗିରଫ କରାଯିବା ପରେ ସେ ଦକ୍ଷିଣ-ପଶ୍ଚିମ ଲଣ୍ଡନର ୱାଣ୍ଡସୱର୍ଥ କାରାଗାରରେ ରହିଛନ୍ତି । ସେହିପରି ଇଣ୍ଟରପୋଲ ନେହଲଙ୍କ ବିରୋଧରେ ରେଡ଼ କର୍ଣର ନୋଟିସ ଜାରି କରିଛି ।

Comments are closed.