ସମବେତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିରଞ୍ଜନଙ୍କ ପ୍ରସ୍ତାବ

ଭୁବନେଶ୍ୱର : ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ସମବେତ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ରାଜ୍ୟର କରୋନା ଯୋଦ୍ଧାଙ୍କ ତ୍ୟାଗକୁ ସମ୍ମାନ ଜଣାଇ ମେ ୩୦ ଶନିବାର ସନ୍ଧ୍ୟା ୫.୩୦ ବନ୍ଦେ ଉତ୍କଳ ଗାନ କରିବାକୁ ଆହ୍ବାନ ଦେଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ ଉପରେ ରାଜ୍ୟର ସମସ୍ତ ବିରୋଧୀ ଦଳଙ୍କ ସହଯୋଗ ଲୋଡିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରସ୍ତାବ ପରେ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଏକ ଗଣମାଧ୍ୟମ ବିବୃତ୍ତି ଜାରି କରି କହିଛନ୍ତି  ରାଜ୍ୟର ମୁଖ୍ୟମନ୍ତ୍ରୀ ମହାଶୟ ସମସ୍ତ ବିରୋଧି ଦଳକୁ ଅନୁରୋଧ କରିଛନ୍ତି ଯେ ଆସନ୍ତା କାଲି ୫.୩୦ ସମୟରେ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନ କରିବାକୁ। ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହା ଆମ ଓଡିଶା ରାଜ୍ୟ ସଂଗୀତ। ଏହାକୁ ସମ୍ମାନ ଦେବା ଉଚିତ୍‍।

ବିଗତ ୨୦ ବର୍ଷ ଭିତରେ ପ୍ରଥମଥର ଆମ ମୁଖ୍ୟମନ୍ତ୍ରୀ ବିରୋଧିମାନଙ୍କର ସହଯୋଗ କାମନା କରିଛନ୍ତି। ନହେଲେ ମୁଖ୍ୟମନ୍ତ୍ରୀ କୌଣସି କାର୍ଯ୍ୟରେ କେବେ ବିରୋଧିଙ୍କ ସହଯୋଗ ଆଶା କରନ୍ତି ନାହିଁ। ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଆଜିର ପ୍ରେସ୍‍ ବାର୍ତା ମାଧ୍ୟମରେ ଏକ ପ୍ରସ୍ତାବ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି । ନିରଞ୍ଜନ କହିଛନ୍ତି ବିଧାନସଭା ସମ୍ମୁଖରେ ସମସ୍ତ ବିରୋଧିଦଳଙ୍କୁ ଡାକନ୍ତୁ ଏବଂ ସମସ୍ତଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନ କରାଯାଉ। ଏହା କଲେ ସାରା ଓଡିଶାରେ ତା’ର ସୁପ୍ରଭାବ ନିଶ୍ଚିତ ଭାବରେ ପଡିବ। ମୁଁ ଆଶା କରେ ମୁଖ୍ୟମନ୍ତ୍ରୀ ମହାଶୟ ଆମ ଅନୁରୋଧକୁ ରକ୍ଷା କରିବେ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି।
ପ୍ରବାସୀ ଶ୍ରମିକଙ୍କ ପ୍ରସଙ୍ଗରେ ଗତକାଲି ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ ନିଷ୍ପତି ନେଲେ ତାହା ସ୍ୱାଗତଯୋଗ୍ୟ। ସେଥିପାଇଁ ସର୍ବୋଚ୍ଚ ନ୍ୟାୟଳୟଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ଶୀ ପଟ୍ଟନାୟକ। ପ୍ରବାସୀ ଶ୍ରମିକମାନେ ଯେଉଁ ହିନସ୍ତାରେ ଅଛନ୍ତି ସେମାନଙ୍କ କଥା ଉଲ୍ଲେଖ କରି ବହୁଦିନ ଧରି କଂଗ୍ରେସ ଦଳ ଦାବି କରି ଆସୁଥିଲା। କିନ୍ତୁ ସେ ଦାବିକୁ କେନ୍ଦ୍ର ସରକାର ଭ୍ରୁକ୍ଷେପ କରୁନଥିଲେ। ଗତକାଲି ଉଚ୍ଚ ନ୍ୟାୟାଳୟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ସେଥିପାଇଁ ନିଶ୍ଚିତ ଭାବରେ ଆମ ପ୍ରବାସୀ ଶ୍ରମିକମାନେ ଉପକୃତ ହେବେ ଓ ସେମାନଙ୍କର କିଛିଟା ଦୁଃଖ ଲାଘବ ହେବ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି।

Comments are closed.