କାମ୍ପା ପାଣ୍ଠି ଖର୍ଚ୍ଚରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଛି : ନିରଞ୍ଜନ

ଭୁବନେଶ୍ୱର : ଜଙ୍ଗଲ ବନ୍ୟଜନ୍ତୁଙ୍କୁ ଧ୍ୱଂସ ମୁଖରୁ ରଖିବା ନିମନ୍ତେ କାମ୍ପା ଆଇନ ପ୍ରଣୟନ ହୋଇଥିଲା ଓ କାମ୍ପା ଫଣ୍ଡ ଗଠନ ହୋଇଥିଲା। ଏହି ଫଣ୍ଡ ବା ପାଣ୍ଠିରୁ ରାଜ୍ୟମାନଙ୍କ ପ୍ରସ୍ତୁତ ଯୋଜନା ପାଇଁ ଅର୍ଥ ଦିଆଯାଇଥାଏ । ଏହି ଅର୍ଥ ସେହିସବୁ ଅଞ୍ଚଳରେ ଖର୍ଚ୍ଚ ହେବ ଯେଉଁଠି ଜଙ୍ଗଲ ନଷ୍ଟ ହୋଉଛି। ରାଜ୍ୟ ସରକାର ବିଭିନ୍ନ ଭାବରେ ଏହି ଅର୍ଥ ବିନିଯୋଗ କରୁଥିବା କଥା କୁହାଯାଇଥିଲେ ମଧ୍ୟ ଜଙ୍ଗଲର ସ୍ଥାଣୁତା କ୍ଷୟ ପାଇବାରେ ଲାଗିଛି । ଜଙ୍ଗଲ ଜନ୍ତୁ ବିଶେଷତଃ ସହ ସହ ସଂଖ୍ୟାର ହାତୀ ବାହାରକୁ ଆସୁଛନ୍ତି। ମୃତାହତ ସଂଖ୍ୟା ବଢିବା ସହିତ ଲୋକଙ୍କ ଧନଜୀବନ ନଷ୍ଟ ହେଉଛି ବୋଲି ଆଜି ପ୍ରେସବାର୍ତ୍ତାରେ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିବା ସହ କ୍ଷୋଭ ପ୍ରକାଶ କରିଛନ୍ତି।
ଜଙ୍ଗଲ ନଷ୍ଟର ପ୍ରମାଣ ଏହାଠାରୁ ଅଧିକ କଣ ? ଗତ ୨ ବର୍ଷ ମଧ୍ୟରେ ରାଜ୍ୟରେ ୮୮୫ ବର୍ଗ କିଲୋମିଟର ଜଙ୍ଗଲ ସୃଷ୍ଟି ହୋଇଥିବା କଥା ମନ୍ତ୍ରୀ ବିଧାନସଭାରେ କହିଥିଲେ।
ଏକ ନିରପେକ୍ଷ ଏବଂ ଦକ୍ଷ ତଥା ଜ୍ଞାନ ସମ୍ପନ୍ନ କମିଟି ଦ୍ୱାରା ଏହାର ତଦନ୍ତ କଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତିି । ସରକାର ଅତିରଞ୍ଜିତ ଅସତ୍ୟ ତଥ୍ୟ ରଖି ହଜାର ହଜାର କୋଟି ଟଙ୍କା ଆତ୍ମସାତ କରିଛନ୍ତି।
ଗତବର୍ଷ ୨୦୧୯ ସେପ୍ଟେମ୍ବର ମାସରେ କେନ୍ଦ୍ର ସରକାର କାମ୍ପା ପାଣ୍ଠିରୁ ସବୁ ରାଜ୍ୟ ପାଇଁ ୪୭ ହଜାର ୪୩୬ କୋଟି ଟଙ୍କା ବରାଦ କରିଥିଲେ । ସେଥିରୁ ଓଡିଶାକୁ ୫୯୩୯.୯୮ କୋଟି ଟଙ୍କା ମିଳିଥିଲା । ଏହି ଅର୍ଥରେ ବ୍ୟାପକ ଦୁର୍ନୀତି ହୋଇଥିବାର ଅଭିଯୋଗ ହସ୍ତଗତ ହୋଇଛି । ସେଥି ମଧ୍ୟରୁ ଅଳ୍ପ କେତୋଟି ଦୃଷ୍ଟାନ୍ତମୂଳକ ଉଦାହରଣ ଦେଇଛନ୍ତି ପିସିସି ସଭାପତି।
ବାଣପୁର ଅଞ୍ଚଳର ସୁରେନ୍ଦ୍ର ଜେନାଙ୍କ ବ୍ୟାଙ୍କ ବହିକୁ ୧,୧୯,୦୦୦ (୧ ଲକ୍ଷ ୧୯ ହଜାର କୋଟି)ଟଙ୍କା ଯାଇଥିଲା ଏବଂ ତାହା ଉଠାଇ ଅଣାଗଲା।
ସେହିପରି ପ୍ରଭାତ ପ୍ରଧାନଙ୍କ ଆକାଉଣ୍ଟ ବହିରେ ୨ଲକ୍ଷ ୬୪ ହଜାର କୋଟି ଟଙ୍କା ଓ ମୁନା ମାର୍ଥା ନାମକ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରେ ୧ ଲକ୍ଷ ୧୯ ହଜାର ଟଙ୍କା ଯାଇଥିଲା ଏବଂ ପରେ ଉଠାଇ ଅଣାଯାଇଛି। ଏମାନେ କେହି ମଜୁରିଆ ନୁହନ୍ତି ଅବା କେହି ଲେବର କଣ୍ଟ୍ରାକ୍ଟର ନୁହନ୍ତି । ଏମାନଙ୍କ ଆକାଉଣ୍ଟକୁ ପଠାଇଲା କିଏ ? ଏବଂ କାହିଁକି ପଠାଇଲା ? ଫେରସ୍ତ ଟଙ୍କା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ । କାମ୍ପା ଫଣ୍ଡର ୫ ହଜାର କୋଟି ଟଙ୍କା ଏହିପରି ବେନାମୀ କାରବାର ହୋଇ ବିଭାଗୀୟ ଅଫିସର ଏବଂ ମନ୍ତ୍ରୀଙ୍କ ମଧ୍ୟରେ ବଂଟାକୁଂଟା ହୋଇଛି। ତଦନ୍ତ ହେଲେ ଜଣାପଡିବ। ସବୁଠାରୁ ଦୁଃଖ ଓ ପରିତାପର ବିଷୟ ଯେ ଏହି କରୋନା ମାହାମାରି କାଳରେ ମୂଲିଆ ମଜୁରୀଙ୍କର ପେଟକାଟି ନେବାର ଅଭିଯୋଗ ସାମ୍ନାକୁ ଆସିଛି। ଜଣପ୍ରତି ମିଳୁଥିବା ମଜୁରୀ ଦିନକୁ ୨୯୮ ଟଙ୍କାରୁ ଅଧା କାଟି ନେବା ବିଭାଗୀୟ କର୍ମଚାରୀ କରୁଛନ୍ତି ଏବଂ ଏହା ଉପରକୁ ଦିଆଯିବ ବୋଲି କହୁଛନ୍ତି । ଏହି ଉପରଵାଲା କିଏ ? ତାଙ୍କ ଭାଗ କେତେ ? ପ୍ରଶ୍ନ କରିବା ସହିତ କାମ୍ପା ଓ ଓଏମବିଡିସି ଫଣ୍ଡରୁ ରାଜ୍ୟ ସରକାର ୧୨ ହଜାର କୋଟି ଟଙ୍କା ଋଣ ଆଣିଛନ୍ତି । ସେ ସବୁର ସଠିକ ବିନିଯୋଗ ହିସାବ ନାହିଁ । ମହାନଦୀ ଅବବାହିକାରେ ନଦୀ କୂଳେ କୂଳେ କୋଟି କୋଟି ଗଛ ଲଗାଇବା କଥା ସମସ୍ତେ ଶୁଣିଛନ୍ତି । କେଉଁଠି କେତେ ସଂଖ୍ୟାରେ ଲଗାଗଲା ରାଜ୍ୟବାସୀ ଜାଣିବାର ଅଧିକାର ଅଛି ବୋଲି ପିସିସି ସଭାପତି ପ୍ରକାଶ କରିଛନ୍ତି, ବର୍ତ୍ତମାନ ଖୋଜିଲେ ସେହି ସବୁ ଗଛ ଉଭାନ ହୋଇଯାଇଛି।
କାମ୍ପା ଆଇନ ,ରାଜ୍ୟ ନିୟମ ଓ ଗାଇଡ଼ ଲାଇନକୁ ମୁଖ୍ୟମନ୍ତ୍ରୀଙ୍କ ଜ୍ଞାତସାରରେ ଭଙ୍ଗ କରାଯାଉଛି । କାମ୍ପା ଗାଇଡ଼ ଲାଇନର ଧାରା ୧୩ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତାରେ ଗୋଟିଏ ୧୦ ଜଣିଆ କମିଟି ଗଠନ ହେବାର ବ୍ୟବସ୍ଥା ଅଛି। ଏହି ଗଭର୍ନିଂ ବଡି ପୂର୍ଣ୍ଣ ଯୋଜନା ପ୍ରସ୍ତୁତ ଓ ଅନୁମୋଦନ କରିଥାଏ ଏବଂ କାର‌୍ୟ୍ୟଗୁଡିକ ଅନୁସନ୍ଧାନ-ରିଭ୍ୟୁ କରିବା କଥା।
ଏହି ଗଭର୍ନିଂ ବଡି କେବେ କେବେ ବସିଥିଲା, କେଉଁ କେଉଁ କାର‌୍ୟ୍ୟ ରିଭ୍ୟୁ କରିଥିଲେ । ସେ ସମ୍ପର୍କିତ ତଥ୍ୟ ସର୍ବସାଧାରଣ ସମ୍ମୁଖରେ ରଖିବେ କି? ମିଥ୍ୟା ତଥ୍ୟର ବିଜ୍ଞାପନ ନଦେଇ ଆଇନ ଅନୁସାରେ କରିଥିବା କାର‌୍ୟ୍ୟ ଲୋକଲୋଚନକୁ ଆଣିବା କଥା।
ଧାରା ୧୧ ଓ ୧୨ ଅନୁସାରେ ଆଦୌ କାର‌୍ୟ୍ୟ ହୋଇନାହିଁ କି ଗ୍ରାମସଭାର ଅନୁମୋଦନ ନାହିଁ । ଧାରା ୧୩ ଅନୁସାରେ ଏହି ପାଣ୍ଠି ପରିଚାଳନା ର ମୁଖ୍ୟ ହେଉଛନ୍ତି ମୁଖ୍ୟମନ୍ତ୍ରୀ। ସେ କେବେ ରିଭ୍ୟୁ ମିଟିଂ ଡାକିନାହାନ୍ତି।
ନିଜ ତରଫରୁ ଗୋଟିଏ ନିରପେକ୍ଷ ଅଭିଜ୍ଞ ବ୍ୟକ୍ତିଙ୍କର କମିଟି ଗଠନ କରି ଏ ସବୁର ସତ୍ୟାସତ୍ୟ ଲୋକଲୋଚନକୁ ଆଣିବା ନିମନ୍ତେ କଂଗ୍ରେସ ଦାବି କରୁଛି।
ଯେହେତୁ ସାଧାରଣ ପ୍ରତିବାଦର ସମସ୍ତ ଗଣତାନ୍ତ୍ରିକ ବ୍ୟବସ୍ଥା କେନ୍ଦ୍ର ଓ ରାଜ୍ୟ ସରକାର ବନ୍ଦ କରିଛନ୍ତି। ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥପାଇଁ ଆମ କଂଗ୍ରେସ ଦଳ ବ୍ୟାପକ ନ୍ୟାୟିକ ପନ୍ଥା ଗ୍ରହଣ କରିବ ବୋଲି ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ସରକାରଙ୍କୁ ଚେତେଇ ଦେଇଛନ୍ତି ବୋଲି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ପ୍ରକାଶ କରିଛନ୍ତି।

Comments are closed.