କରୋନା ଲଢ଼େଇରେ କେନ୍ଦ୍ର, ରାଜ୍ୟ ସରକାର ବିଫଳ : ନିରଞ୍ଜନ

ଭୁବନେଶ୍ୱର : କେନ୍ଦ୍ରରେ ମୋଦୀ ସରକାରଙ୍କ ୨୦ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଦେଶବାସୀଙ୍କୁ ଯେଭଳି ଏକ ଉପହାସ ସଦୃଶ ଠିକ୍ ସେହିପରି ରାଜ୍ୟ ସରକାରଙ୍କ ୧୭ହଜାର କୋଟି ଟଙ୍କାର ପ୍ୟାକେଜ ଓଡ଼ିଶାବାସୀଙ୍କ ପାଇଁ ପ୍ରହେଳିକା ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ବୁଧବାର କଂଗ୍ରେସ ଭବନଠାରେ ଆୟୋଜିତ ଦିନିକିଆ ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର କରୋନା ମୁକାବିଲା ଏବଂ ନିୟନ୍ତ୍ରଣ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ହେଉଥିବା ନୀତି ନିଷ୍ପତ୍ତିରେ ତାଳ ମେଳ ରହୁନାହିଁ। ଏଭଳି ବିପତ୍ତି ସମୟରେ ଉଭୟ ସରକାର କେବଳ ସାଧାରଣ ଜନତାଙ୍କୁ ଭୁଆଁ ବୁଲାଉଛନ୍ତି।
ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ ବହୁପୂର୍ବରୁ କରୋନା ଭୟାବହତା ସଂପର୍କରେ ସୂଚାଇଥିଲେ ମଧ୍ୟ ସେ ଏହାକୁ କର୍ଣ୍ଣପାତ ନକରି ଗୁଜରାଟରେ ନମସ୍ତେ ଟ୍ରମ୍ପ, ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଭାଙ୍ଗିବା ଏବଂ ବିଶେଷ କରି ଦଳୀୟ କାର୍ଯ୍ୟରେ ବ୍ୟସ୍ତ ରହିଲେ। କରୋନା କଥା ଭାବିଲା ବେଳକୁ ଦେଶରେ କରୋନା ବ୍ୟାପିଗଲାଣି। ଏହା ମାଧ୍ୟମରେ ସାଧାରଣ ଜନତା ପରିସ୍ଥିତିକୁ ମୁକାବିଲା କରିବାରେ କୌଣସି ନିର୍ଦିଷ୍ଟ ବ୍ୟବସ୍ଥା ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତିର ଖୋଲାସା କରାଯିବ।
ସେ କହିଥିଲେ କଂଗ୍ରେସ ସାଧାରଣ ଜନତାଙ୍କ ପାଖରେ ରହି ଲଢ଼େଇ ଜାରି ରଖିଛି ଏବଂ ରଖୁଥିବ। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପ୍ରଶିକ୍ଷଣ ଇନଚାର୍ଜ ଶୁଭେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ଟ୍ରେନିଂ ଇନଚାର୍ଜ ସଚିନ୍ ରାଓ ଅନଲାଇନ୍​ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ତାଙ୍କ ଅଭିଭାଷଣରେ ପ୍ରମାଣିତ କରିଥିଲେ ଯେ ଦେଶରେ ବ୍ୟାପିଥିବା କରୋନା ଏକ ମୋଦୀ ନିର୍ମିତ ବିପତ୍ତି। ସେ ମୋଦୀ ସରକାରଙ୍କ ବିଫଳତାର ଚିତ୍ର ପ୍ରଦାନ କରିବା ସହ ପ୍ରବାସୀ ଶ୍ରମିକଙ୍କର ଦୟନୀୟ ଅବସ୍ଥାର କରୁଣ ଚିତ୍ର ବର୍ଣ୍ଣନା କରିଥିଲେ।
କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ବରିଷ୍ଠ ସାମ୍ବାଦିକ ରବି ଦାସ, ବରିଷ୍ଠ ନେତା ପଞ୍ଚାନନ କାନୁନଗୋ, ଗଣେଶ୍ୱର ବେହେରା ପ୍ରମୁଖ ଯୋଗଦେଇ ଉଭୟ ସରକାରଙ୍କୁ ସମାଲୋଚନା କରିଥିଲେ।

Comments are closed.