‘ସଙ୍ଗରୋଧ କେନ୍ଦ୍ର’ରେ ବଳାତ୍କାର ଉଦ୍ୟମ : ଅଭିଯୁକ୍ତକୁ ବାନ୍ଧି ନିର୍ଧୁମ ମାଡ଼

ନୀଳଗିରି : ବାଲେଶ୍ଵର ଜିଲା ନୀଳଗିରି ବ୍ଲକ ତଥା ବରହମପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ତେଲିପାଳ ଆଶ୍ରମରେ ଥିବା କ୍ୱାରେନଣ୍ଟାଇନ ସେଣ୍ଟରରେ ରହୁଥିବା ଜଣେ ଯୁବତୀଙ୍କୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଅବାଧରେ ପଶି ଗାଧୁଆ ଘର ଭିତରେ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏନେଇ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି।
ଉକ୍ତ ସେଣ୍ଟରରେ ୪ ଜଣ ଯୁବତୀକୁ ମିଶାଇ ମୋଟ ୭୭ ଜଣ ପ୍ରବାସୀ ଓଡ଼ିଆ ରହିଥିଲେ। ଗୋହିରା ଅଞ୍ଚଳର ରତ୍ନାକର ଜେନା ନାମକ ଯୁବକ ଆଜି ସକାଳୁ ସେଣ୍ଟରକୁ ଅବାଧରେ ପ୍ରବେଶ କରି ଜଣେ ଯୁବତୀ ଅସୁସ୍ଥ ହୋଇ ବାନ୍ତି କରୁଥିବା ବେଳେ ତାଙ୍କୁ ସେ ଅସଦାଚରଣ କରିବା ସହ ବଳାତ୍କାର ଉଦ୍ୟମ କରିଥିଲେ। ସେ ପାଟି କରିବାରୁ ତାଙ୍କର ୩ ଜଣ ସହଯୋଗୀ ଦୌଡ଼ି ଆସିଥିଲେ। ଏହି ଘଟଣା ଜଣା ପଡିବା ପରେ ଉତ୍ୟକ୍ତ ପ୍ରବାସୀ ଓଡ଼ିଆ ରତ୍ନାକରକୁ ଏକ ଗଛରେ ବାନ୍ଧି ନିର୍ଧୁମ ଛେଚିଥିଲେ। ଯୁବତୀ ଜଣଙ୍କ ନ୍ୟାୟ ପାଇଁ ସିକ୍ୟୁରିଟି ପ୍ରତାପ ବାରିକଙ୍କ ସହ ଅଭିଯୁକ୍ତ ରତ୍ନକାରଙ୍କ ବିରୋଧରେ ବରମପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।