ଝଲସିବ ଉତ୍କଳମଣିଙ୍କ ପାଠଶାଳା ନୀଳଗିରିର ‘କେସି ହାଇସ୍କୁଲ’

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରିର ସର୍ବପୁରାତନ ଶିକ୍ଷାନୁଷ୍ଠାନ କୁହାଯାଉଥିବା କେସି ହାଇସ୍କୁଲରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ପ୍ରଥମ ପ୍ରଧାନଶିକ୍ଷକଭାବେ ନିଯୁକ୍ତି ପାଇ କାର୍ଯ୍ୟ ସମ୍ପାଦନ କରିଥିଲେ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନୀଳଗିରିରେ ଶିକ୍ଷାର ଶିଖା ଜାଳି ଦାସେ ବୁଣିଥିଲେ ଶିକ୍ଷା ବିକାଶର ମୂଳମନ୍ତ୍ର। ତେବେ ଦାସେଙ୍କ ଏହି ପାଠଶାଳାର ରୂପରେଖ ଖୁବଶୀଘ୍ର ବଦଳିବାକୁ ଯାଉଛି। ରାଜ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନରେ ଏହାକୁ ସାମିଲ କରାଯିବା ସହ ୫-ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ସ୍ୱତନ୍ତ୍ରଭାବେ ଉତ୍କଳମଣିଙ୍କ ଏହି ପାଠଶାଳାର ଅଧିକ ବିକାଶ କରିବା ଲକ୍ଷ୍ୟ ରଖିଛନ୍ତି। ବିଶେଷକରି ବିଦ୍ୟାଳୟର ନୂତନ ଗୃହ, ଶ୍ରେଣୀକକ୍ଷ, ପାଠାଗାର, କମ୍ପ୍ୟୁଟର କକ୍ଷକୁ ଅତ୍ୟାଧୁନିକରଣ କରାଯାଇ ଏହି ବିଦ୍ୟାଳୟକୁ ଆଦର୍ଶଭାବେ ଗଢ଼ି ତୋଳିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

 

ସମ୍ପ୍ରତି ଉନ୍ନତିକରଣ କାର୍ଯ୍ୟ ଆଗେଇ ଚାଲିଛି। ଏହି ଅବସରରେ ସୋମବାର ତଦାରଖ ପାଇଁ ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଉକ୍ତ ବିଦ୍ୟାଳୟ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲାପାଳ ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି ଯେ, ବିଦ୍ୟାଳୟର ଉତ୍ତମ ପରିବେଶରେ ଅଧ୍ୟୟନ କଲେ ଛାତ୍ରଛାତ୍ରୀଙ୍କ ଚିନ୍ତାଧାରା ଆହୁରି ଉନ୍ନତି ହେବା ସହ ଭଲପିଲା ଏଠାରୁ ନିଶ୍ଚିତ ବାହାରିବେ। ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ଅତିରିକ୍ତ ଜିଲାପାଳ ଭବେଶ ନାୟକ, ନୀଳଗିରି ଉପଜିଲାପାଳ ହରିଶ ଚନ୍ଦ୍ର ଜେନା, ବିଡିଓ ଅନିତା ନାୟକ, ପୂର୍ତ୍ତ ବିଭାଗ ଅଧିକାରୀ ଇଂ. ପ୍ରଫୁଲ ଦାସ, ପ୍ରଧାନଶିକ୍ଷକ ଭୀମସେନ ବିଶ୍ୱାଳ, ପୁରାତନ ଛାତ୍ର ମନୋରଞ୍ଜନ ବେହେରା, ସୁରଞ୍ଜନ ମହାପାତ୍ର, ଦୀପ୍ତିକାନ୍ତ ପୃଷ୍ଟି ପ୍ରମୁଖ ଉପସ୍ଥିତ ରହିଥିଲେ।

Comments are closed.