କାର ଧକ୍କାରେ ଦମ୍ପତି ସହ ଶିଶୁପୁତ୍ର ଗୁରୁତର: ଆସିଲାନି ଆମ୍ବୁଲାନ୍ସ; ଜୀବନ ବଞ୍ଚାଇଲେ ଦିବ୍ୟାଙ୍ଗ

ନୀଳଗିରି: ସାଇକଲରେ ଯାଉଥିବା ଦମ୍ପତି ଓ ସେମାନଙ୍କ ସାଢ଼େ ୬ବର୍ଷର ଶିଶୁପୁତ୍ରକୁ ଏକ ମାରୁତି କାର ଧକ୍କା ଦେଇ ପଳାଇଗଲା। ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା। କିନ୍ତୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହୋଇଥିଲା। ସଡ଼କ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦମ୍ପତି ଓ ତାଙ୍କ ଶିଶୁପୁତ୍ରକୁ ତତ୍‌କ୍ଷଣାତ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ଏବଂ ସେମାନଙ୍କ ଜୀବନ ବଞ୍ଚାଇଥିଲେ ଦିବ୍ୟାଙ୍ଗ।

ବାଲେଶ୍ବର ଜିଲା ରେମୁଣା ଥାନା ଗୌରୀପୁର ଗାଁର ଅଜୟ ସିଂ, ତାଙ୍କ ପତ୍ନୀ ଅନିତା ଏବଂ ଶିଶୁପୁତ୍ର ଶୁଭ ଏକ ସାଇକଲରେ ନୀଳଗିରି ବ୍ଲକ ଅଧୀନ ବରହମପୁର ଆଡ଼କୁ ଆସୁଥିଲେ। ତେବେ ଅଁଳାପାଳ ନିକଟ ଭଡ଼ରାପାଳ ଠାରେ ଅପରପକ୍ଷରୁ ଦ୍ରୁତଗତିରେ ଯାଉଥିବା ଏକ କାର ସେମାନଙ୍କୁ ଧକ୍କା ଦେଇ ଖସି ପଳାଇଥିଲା। ଆମ୍ବୁଲାନ୍ସ ନଆସିବା ଯୋଗୁ ଖବରପାଇ ସେହି ଅଞ୍ଚଳର ଦିବ୍ୟାଙ୍ଗ ଭକ୍ତଶ୍ରୀ ଦାସ ସେଠାରେ ପହଞ୍ଚି ଗୁରୁତରଙ୍କୁ ବରହମପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ। ପରବର୍ତ୍ତି ସମୟରେ ଏକ ଅଟୋ ଭଡ଼ା କରି ସେମାନଙ୍କୁ ଉଦଳା ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ସମ୍ପୃକ୍ତ ଦିବ୍ୟାଙ୍ଗ ଏତାଦୃଶ୍ୟ ମହାନ କାର୍ଯ୍ୟ ଯୋଗୁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Comments are closed.