କୁଲଡିହା ଅଭୟାରଣ୍ୟରେ ମହାବଳ, ପାଦଚିହ୍ନ ଠାବ କଲା ବନବିଭାଗ

ନୀଳଗିରି: ବ୍ୟାଘ୍ର ସୁରକ୍ଷା ଲାଗି ରାଜ୍ୟ ଓ କେନ୍ଦ୍ର ସରକାର ତତ୍ପର ରହିଛନ୍ତି। ବିଶେଷକରି ଜଙ୍ଗଲରେ ବାଘଙ୍କ ସଂଖ୍ୟାଗଣତି ଓ ସଂଖ୍ୟାବୃଦ୍ଧିକୁ ନେଇ ବନବିଭାଗ ପକ୍ଷରୁ ବହୁ ପଦକ୍ଷେପ ନିଆଯାଉଛି। ଏଭଳି ସ୍ଥିତିରେ ବାଲେଶ୍ୱର ଜିଲାର ଏକମାତ୍ର ଅଭୟାରଣ୍ୟ କୁହାଯାଉଥିବା ନୀଳଗିରିସ୍ଥିତ କୁଲଡିହା ଜଙ୍ଗଲର ଏକାଧିକ ସ୍ଥାନରେ ବାଘର ପାଦଚିହ୍ନ ଠାବ କରାଯିବା ଏବଂ ଏକ ମହାବଳ ବାଘ (ରୟାଲ ବେଙ୍ଗଲ ଟାଇଗର)ର ଫଟୋକୁ କଏଦ କରିଛି କ୍ୟାମେରା। ଏହି ଘଟଣା ପରେ କୁଲଡିହା ଅଭୟାରଣ୍ୟର ସୁରକ୍ଷା ଏକପ୍ରକାର ଦ୍ୱିଗୁଣିତ ହୋଇ ଉଠିଥିବା ଦେଖିବାକୁ ମିଳିଛି।

୨୭୨.୭୫ବର୍ଗ କିମି ପରିବ୍ୟାପ୍ତ କୁଲଡିହା ଅଭୟାରଣ୍ୟ ଭିତରେ ଶତାଧିକ ହାତୀ, ବାଘ, ଭାଲୁ, ଗୟଳ, କୁଟରା, ସମ୍ବର, ହରିଣ ପ୍ରଭୃତି ବନ୍ୟଜନ୍ତୁ ବସବାସ କରନ୍ତି। ଏହି ଅଭୟାରଣ୍ୟ ସହ ମୟୂରଭଞ୍ଜ ଜିଲାର ଶିମିଳିପାଳ ଅଭୟାରଣ୍ୟ ଓ କେନ୍ଦୁଝର ଜିଲାର ହଦଗଡ଼ ଜଙ୍ଗଲ ସୀମା ଲାଗି ରହିଛି। ବନ୍ୟଜନ୍ତୁମାନେ ଉକ୍ତ ତିନିଟି ଜଙ୍ଗଲରେ ନିଜର କରିଡ଼ର ସ୍ଥାପନ କରି ଚାଲିଥିବା କୁହାଯାଉଛି। ୨୦୨୦ମସିହା ଡିସେମ୍ବର ମାସରେ ଜଙ୍ଗଲ ଭିତରେ ଏକ ଗାଈ କ୍ଷତାକ୍ତ ହୋଇ ପଡ଼ିବା ଦେଖି ବନକର୍ମଚାରୀ ବାଘ ମାତିଥିବା ସମ୍ପର୍କରେ ଆଭାସ ପାଇଥିଲେ। ଏହି ଆକ୍ରମଣର ୨/୪ଦିନ ପରେ ରାତି ପ୍ରାୟ ସାଢ଼େ ୮ଟା ସମୟରେ ହଠାତ କୁଲଡିହା ଅଭୟାରଣ୍ୟ ଅଧୀନ ଯୋଡ଼ାଚୁଆ ଡାକବଙ୍ଗଳା ଭିତରକୁ ଏକ ହରିଣ ଦୌଡ଼ି ପଶି ଆସିଥିଲା। ୨ଟି ବାଘ ଜଙ୍ଗଲରୁ ଏହି ହରିଣକୁ ଗୋଡ଼ାଇ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ଗୋଟିଏ ଡାକବଙ୍ଗଳାର ଉତ୍ତର ପଟେ ଛକି ରହିଥିବା ବେଳେ ଅନ୍ୟଟି ଡାକବଙ୍ଗଳା ପାର୍ଶ୍ବସ୍ଥ ଉଦ୍ୟାନ ପାଖରେ ହରିଣର ପଛ ଦୁଇଗୋଡ଼କୁ ଝାମ୍ପି କ୍ଷତାକ୍ତ କରି ଦେଇଥିଲା। ବାଘ ଗର୍ଜନ ଶୁଣି କ୍ୱାର୍ଟର ଭିତରେ ଥିବା ବନକର୍ମଚାରୀମାନେ ବାହାରକୁ ଦୌଡ଼ି ଆସିବା ଦେଖି ଦୁଇଟି ବାଘ ଜଙ୍ଗଲକୁ ଲମ୍ଫ ଦେଇ ଖସି ପଳାଇଥିଲେ। ତେବେ ପୂର୍ବରୁ ବିଭାଗୀୟ କର୍ମଚାରୀଙ୍କ ପାଟ୍ରୋଲିଂ ସମୟରେ ଅଭୟାରଣ୍ୟର ଖୁମକୁଟ, ପଞ୍ଚଲିଙ୍ଗେଶ୍ୱର, ଯୋଡ଼ାଚୁଆ, ସର୍ବଣାନାଳ ପ୍ରଭୃତି ଅଞ୍ଚଳରେ ଥିବା ସନ୍ତସନ୍ତିଆ ଜାଗାରେ ବାଘର ପାଦଚିହ୍ନ ଠାବ କରାଯାଇଥିଲା।

୨୦୧୬ରେ କୁଲଡିହାରେ ହୋଇଥିବା ବାଘଗଣନାରେ ଉକ୍ତ ଅଭୟାରଣ୍ୟ ଭିତରେ ପ୍ଲାଷ୍ଟର ଅଫ୍‍ ପ୍ୟାରିସ ପକାଯାଇ ମୋଟ ୯ଟି ପାଦଚିହ୍ନ ସଂଗ୍ରହ କରାଯାଇଥିଲା। ବିଭାଗୀୟ ତଦନ୍ତ ପରେ ଉକ୍ତ ଅଭୟାରଣ୍ୟରେ ମୋଟ ୪ଟି କଲରା ପତରିଆ ବାଘ ରହୁଛନ୍ତି ବୋଲି ସେତେବେଳେ ଘୋଷଣା କରାଯାଇଥିଲା। ୨୦୧୮ରେ ମଧ୍ୟ ବାଘଗଣନା କରାଯାଇ ପାଦଚିହ୍ନ ଠାବ କରାଯାଇଥିଲା। ୨୦୨୧ମସିହା ନଭେମ୍ବର ୨୫ତାରିଖରେ ବାଲେଶ୍ୱର ଜିଲାମୁଖ୍ୟ ବନଅଧିକାରୀ ବିମଳପ୍ରସନ୍ନ ଆଚାର୍ଯ୍ୟଙ୍କ ନିର୍ଦେଶରେ କୁଲଡିହା ବନଅଧିକାରୀ ଅନନ୍ତ ଜେନାଙ୍କ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିବା ବାଘଗଣତି କାର୍ଯ୍ୟରେ ମୋଟ ୧୪ଟି ଦଳ ଗଠନ କରାଯାଇଥିଲା। ବନକର୍ମଚାରୀମାନେ ଅଭୟାରଣ୍ୟର ବିଭିନ୍ନ ଅଞ୍ଚଳରେ ପିଆଇପି ପ୍ରସ୍ତୁତ କରିଥିଲେ। ସେଥିମଧ୍ୟରୁ ସର୍ବଣାନାଳ, ମୁଖଚତୁରୀ ଓ କୁଲଡିହା-୨ଅଞ୍ଚଳରେ ବାଘର ପାଦଚିହ୍ନ ମିଳିଥିଲା। ସୂଚନା ଯେ, କୁଲଡିହା ଅଭୟାରଣ୍ୟକୁ ଲାଗି ମୟୂରଭଞ୍ଜ ଜିଲାର ଶିମିଳିପାଳ ଅଭୟାରଣ୍ୟ ରହୁଥିବାରୁ ପ୍ରାୟତଃ ସେଠାକାର ବାଘମାନେ କୁଲଡିହାକୁ ଯା’ ଆସ କରିଥାନ୍ତି। ତେବେ ପ୍ରାୟ ସାଢ଼େ ୬ଇଞ୍ଚ ଓସାରର ପାଦଚିହ୍ନକୁ ଦେଖି ବିଭାଗ ପକ୍ଷରୁ ତର୍ଜମା ଆରମ୍ଭ ହୋଇଥିଲା। ଏହି ପାଦଚିହ୍ନ ଗୁଡ଼ିକ ମହାବଳ ବାଘର ନା କଲରା ପତରିଆର; ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନଥିଲେ ହେଁ ନିକଟରେ ଯୋଡ଼ାଚୁଆ ବିଟ୍‍ ହାମ୍ପଡ଼ା ପୋଖରୀ ପଛକୁ ଲାଗିଥିବା ଏକ ଟ୍ରାପ କ୍ୟାମେରାରେ ମହାବଳ ବାଘର ଫଟୋ କଏଦ ହେବା ପରେ ବନବିଭାଗ ତତ୍ପର ହୋଇ ଉଠିଛି। ତେବେ କୁଲଡିହାରେ ବାଘ ମାତିଥିବା ସମ୍ପର୍କରେ କେବଳ ‘ସମାଜ’ରେ ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇଥିଲା। ଏହି ଖବର ପ୍ରକାଶନ ପରେ କେତେକ ଗଣମାଧ୍ୟମ ନିଜର ଅପାରଗକୁ ଲୁଚାଇବାକୁ ଯାଇ ସେସବୁ ବଳୁଆ କୁକୁର, ଗଧିଆ, ହେଟାବାଘ ପ୍ରଭୃତିର ପାଦଚିହ୍ନ ହୋଇଥାଇ ପାରେ ବୋଲି ଖବର ପ୍ରକାଶ କରିଥିଲେ। ତେବେ ଟ୍ରାପ କ୍ୟାମେରାରେ ଏକ ଅଣ୍ଡିରା ମହାବଳ ବାଘର ଫଟୋ କଏଦ ହେବା ପରେ ବନବିଭାଗ ବ୍ୟାଘ୍ର ସୁରକ୍ଷା ଲାଗି ତତ୍ପର ହୋଇ ଉଠିଥିବା ଦେଖିବାକୁ ମିଳିଛି। ୫/୬ଦିନ ହେବ କୁଲଡିହା ଅଭୟାରଣ୍ୟର ସମସ୍ତ ରାସ୍ତାକୁ ବନ୍ଦ ରଖାଯାଇଛି। ପର୍ଯ୍ୟଟକ ଓ ବାହାର ଲୋକଙ୍କୁ ଜଙ୍ଗଲ ଭିତରକୁ ପରିଭ୍ରମଣ ନିମନ୍ତେ ଛଡ଼ା ଯାଉନାହିଁ। ଗୁରୁବାର ପୂର୍ବାହ୍ନରେ ବାରିପଦା ଆରସିସିଏଫ ଏନେଇ କୁଲଡିହାର ବିଭିନ୍ନ ପରିଦର୍ଶନ କରିଥିବା ବେଳେ ଆସନ୍ତ ୯ତାରିଖରେ ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ)ଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି। ସେପଟେ କୁଲଡିହାରେ ମହାବଳ ଘୂରୁଥିବା କଥା ଶୁଣି ଜଙ୍ଗଲ ପାଦଦେଶରେ ବସବାସ କରୁଥିବା ଶିକାରୀ ଭୟାତୁର ହୋଇ ପଡ଼ିଛନ୍ତି। ବନାଞ୍ଚଳବାସୀ ମଧ୍ୟ ଏକପ୍ରକାଶ ଆତଙ୍କିତ ଅବସ୍ଥାରେ ଘର ଭିତରେ ରହୁଛନ୍ତି। ପଡ଼ୋଶୀ ଶିମିଳିପାଳ ଅଭୟାରଣ୍ୟ ଭଳି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବାଲେଶ୍ୱର ଜିଲାର ନୀଳଗିରିସ୍ଥିତ ଏହି କୁଲଡିହା ଅଭୟାରଣ୍ୟକୁ ବ୍ୟାଘ୍ର ସୁରକ୍ଷା ଉଦେଶ୍ୟରେ ଅଧିକ କର୍ମଚାରୀ ମୁତୟନ କରିବା ସହ ଜଙ୍ଗଲ ସୁରକ୍ଷା ବ୍ୟବସ୍ଥାକୁ ଦ୍ୱିଗୁଣିତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସୂଚନା ଯେ, ୨୦୦୯ମସିହା ଏପ୍ରିଲ ୨୪ତାରିଖରେ କୁଲଡିହା ଅଭୟାରଣ୍ୟର ମେଛକୁଣ୍ଡଠାରେ ୬/୭ବର୍ଷର ଏକ ଅଣ୍ଡିରା ମହାବଳ ବାଘର ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ମହାବଳଟି ଜଙ୍ଗଲ ପାର୍ଶ୍ବବର୍ତ୍ତୀ ଗାଁ ମାନଙ୍କରେ ଗାଈ ଗୋରୁ ଓ ଛେଳି ମେଣ୍ଢା ଖାଉଥିବା ଯୋଗୁ କେହି ବ୍ୟକ୍ତି ତାକୁ ଖାଦ୍ୟରେ ବିଷ ପ୍ରୟୋଗ କରି ମାରି ଦେଇଥିବା ସମ୍ପର୍କରେ ସେତେବେଳେ ଶବ ବ୍ୟବଛେଦ ରିପୋର୍ଟ ଆସିଥିଲା।

Comments are closed.