ବାଇକ ଚୋରି ଗ୍ୟାଙ୍ଗ ଠାବ, ୪ ଗିରଫ

ନୀଳଗିରି: ବାଲେଶ୍ୱର ଜିଲାର ନୀଳଗିରି ସମେତ ଆଖପାଖ ଅଞ୍ଚଳରେ ଥିବା ଜନଗହଳି ସ୍ଥାନରୁ ବାଇକ ଚୋରି କରି ବିକ୍ରି କରୁଥିବା ଗ୍ୟାଙ୍ଗକୁ ନୀଳଗିରି ପୁଲିସ ଠାବ କରିବାରେ ସଫଳ ହୋଇଛି। ଏନେଇ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ନୀଳଗିରିର ଜଗନ୍ନାଥ ମନ୍ଦିର, ରାଡ଼ାର ରାସ୍ତା, ପଞ୍ଚଲିଙ୍ଗେଶ୍ୱର, ସଜନାଗଡ଼ ପ୍ରଭୃତି ସ୍ଥାନରେ ସଦାସର୍ବଦା ଜନଗହଳି ଲାଗି ରହିଥାଏ। ଏହାର ସୁଯୋଗରେ କେତେକ ପେଶାଦାର ଚୋର ଲୋକଙ୍କ ବାଇକ ଚୋରି କରିବାରେ ସଫଳ ହେଉଥିଲେ। ଏଭଳି ବାରମ୍ବାର ବାଇକ ଚୋରି ବୃଦ୍ଧି ପାଇବାରୁ ନୀଳଗିରି ପୁଲିସର ମୁଣ୍ଡବ୍ୟଥା ହୋଇଥିଲା। ଏନେଇ ନୀଳଗିରି ଏସଡିପିଓ ରୀତେଶ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା। ଥାନା ଭାରପ୍ରାପ୍ତ ଆଇଆଇସି ବାସୁଦେବ ଜୟସିଂଙ୍କ ନେତୃତ୍ୱରେ କିଛିଦିନ ହେବ ଉକ୍ତ ପୁଲିସ ଟିମ ବିଭିନ୍ନ ଅଞ୍ଚଳରେ ଚଢ଼ଉ ଜାରି ରଖିଥିଲା। ଖନ୍ତାପଡ଼ା ଥାନା ଅଧୀନ ନଇଛଣପୁର ଗାଁର ଲିଟୁ ମଲିକ (୨୦), ଗଣ ଓରଫ ଚିତ୍ତରଞ୍ଜନ ମଲିକ(୨୨), ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ପଦ୍ମପଡ଼ା ଗାଁର ଜଗବନ୍ଧୁ ଜେନା (୩୮) ଏବଂ ଶଶିକାନ୍ତ ଜେନା (୩୫)ଙ୍କୁ ବାଇକ ଚୋରି ଅଭିଯୋଗରେ ଗିରଫ କରାଯାଇଛି। ସେମାନଙ୍କଠାରୁ ୧୨ଟି ବାଇକ ଜବତ କରାଯାଇଥିବା ସୂଚନା ମିଳିଛି।

Comments are closed.