ହୋଟେଲ ଭିତରେ କବାଟ କିଳି ବାଡ଼େଇଲେ, ୨ଗୁରୁତର

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରିସ୍ଥିତ ଟ୍ରକ ମାଲିକ ସଂଘରେ ଲାଗି ରହିଥିବା ଗୋଷ୍ଠୀକନ୍ଦଳ ସମ୍ପ୍ରତି ଗୋଷ୍ଠୀ ସଂଘର୍ଷରେ ପରିଣତ ହୋଇଛି। ଆକ୍ରମଣରେ ୨ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଶ୍ୱକର୍ମା ପୂଜା ଭୋଜି କରିବାକୁ ସଂଘର କର୍ମକର୍ତ୍ତାମାନେ ନୀଳଗିରିର ପଞ୍ଚଲିଙ୍ଗେଶ୍ୱରସ୍ଥିତ ଏକ ହୋଟେଲରେ ବୁଧବାର ଭୋଜିର ଆୟୋଜନ କରିଥିଲେ। କିନ୍ତୁ ହଠାତ ୧୦/୧୨ଜଣ ଯୁବକ ଉକ୍ତ ହୋଟେଲରେ ଅବାଧରେ ପଶି କବାଟ କିଳିବା ପରେ ସଂଘର କର୍ମକର୍ତ୍ତାଙ୍କୁ ଅତର୍କିତ ଆକ୍ରମଣ କରିଛନ୍ତି। ନିସ୍ତୁକ ମାଡ଼ ଖାଇ ସଂଘର ସମ୍ପାଦକ ଶାନ୍ତନୁ ବିଶ୍ୱାଳ (୪୪) ଓ କୋଷାଧ୍ୟକ୍ଷ ଜଗବନ୍ଧୁ ବେହେରା (୪୮) ଗୁରୁତର ହୋଇଥିବା ବେଳେ ଅଜିତ ଓରଫ ଗୁରା ପତି ଓ ଅନ୍ୟ ସଦସ୍ୟ ଆହତ ହୋଇଛନ୍ତି।

ଆକ୍ରମଣ ସମ୍ପର୍କରେ ଖବରପାଇ ନୀଳଗିରି ଥାନା ସବଇନ୍ସପେକ୍ଟର ବାସୁଦେବ ଜୟସିଂ ସେଠାରେ ପହଞ୍ଚି ସଂଘର କର୍ମକର୍ତ୍ତାଙ୍କୁ ଉଦ୍ଧାର କରିଛନ୍ତି। ଗୁରୁତରଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଏହି ଭୋଜିକୁ ପୂର୍ବତନ ସଭାପତି ଶିଶିର ରାଉତଙ୍କୁ କାହିଁକି ଡକାଗଲା ନାହିଁ ବୋଲି ପ୍ରଶ୍ନ କରି ବଚସା ହେବା ପରେ ଆକ୍ରମଣ ହୋଇଥିବା କୁହାଯାଉଛି। ଉକ୍ତ ଘଟଣାରେ ରାତି ସାଢ଼େ ୭ଟାରେ ନୀଳଗିରି ପୁଲିସ ସିମୁଳିଆ ଛକରେ ଥିବା ଏକ ହୋଟେଲରୁ ଜଣେ ଆକ୍ରମଣକାରୀଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି। ନୀଳଗିରି ଥାନାରେ ଉଭୟ ପକ୍ଷରୁ ପୃଥକ ଏତଲା ଦାଏର କରାଯାଇଛି। ଏହି ଘଟଣାରେ ପୁଲିସ ଅନୁସନ୍ଧାନ ଜାରି ରହିଛି।

Comments are closed.