ନୀଳଗିରି ସହରରେ ପଶିଲା ପାହାଡ଼ ପାଣି, ଘର ଭିତରେ ପାଣି

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରି ସହରବାସୀଙ୍କ ପାଇଁ ନାଳଗୁଡ଼ିକ କାଳ ପାଲଟି ଯାଇଛି। ବୁଧବାର ଅବିଶ୍ରାନ୍ତ ବର୍ଷା ଯୋଗୁ ସ୍ଥାନୀୟ ସ୍ୱର୍ଣ୍ଣଚୂଡ଼ ପାହାଡ଼ରୁ ପ୍ରଖର ସ୍ରୋତରେ ପାଣି ଆସି ଲୋକଙ୍କ ଘରେ ପଶି ଯାଇଛି। ଭୟରେ ଲୋକେ ବାହାରକୁ ଦୌଡିଥିବା ବେଳେ ୧୦ରୁ ଊର୍ଦ୍ଧ୍ବ ଘର ଜଳବନ୍ଦୀ ହୋଇଥିବା ଦେଖିବାକୁ ମିଳିଛି। ନୀଳଗିରି ଏନଏସି ଅଧୀନ ୫ନମ୍ବର ୱାର୍ଡ଼ର ସାନଅତାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଲଗାତର ବର୍ଷା ହେବାରୁ ପାହାଡ଼ ପାଣି ସବୁ ନାଳରେ ନିଷ୍କାସନ ହୋଇନପାରି ଲୋକଙ୍କ ଘରେ ପାଣି ପଶି ଯିବାରୁ ଲୋକଙ୍କ ଘରେ ଥିବା ଘରକରଣା ଜିନିଷ ସବୁ ପାଣିରେ ଭାସୁଥିବା ଦେଖିବାକୁ ମିଳିଛି। କେତେକ ସ୍ଥାନରେ ନାଳ ଜବରଦଖଲ ହୋଇଥିବା ଯୋଗୁ ରାସ୍ତା ଉପରେ ଏବଂ ସାହିରେ ନଈର ଭ୍ରମ ସୃଷ୍ଟି କରିଛି। ତୁରନ୍ତ ଅଞ୍ଚଳରେ ନାଳ ବ୍ୟବସ୍ଥାର ସୁଧାର ନଆସିଲେ ଅଞ୍ଚଳବାସୀ ସ୍ଥାନୀୟ ଏନଏସି ଅଫିସ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।

Comments are closed.