ହୋଟେଲ ପରିଚାଳକ ଓ ଜମି ମାଲିକକୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ନୀଳଗିରି: ନୀଳଗିରି-କପ୍ତିିପଦା ପୂର୍ତ୍ତ ରାସ୍ତାର ତେଲିପାଳଠାରେ ଥିବା ହୋଟେଲ କୁଲଡିହାକୁ ପଶି ଦୁର୍ବୃତ୍ତମାନେ ହୋଟେଲ ପରିଚାଳକ ଓ ଜମିମାଲିକଙ୍କୁ ଖଣ୍ଡାରେ ହାଣିବା ଘଟଣା ଅଞ୍ଚଳରେ ହଟଚମଟ ସୃଷ୍ଟି କରିଛି। ଏହି ଘଟଣାରେ ପୁଲିସ ପକ୍ଷରୁ ପଇଁତରା କରାଯାଉଛି। ବରହମପୁର ଥାନା ଅଧୀନ ତେଲିପାଳଠାରେ ଥିବା ଉକ୍ତ ହୋଟେଲରେ ୩ଜଣ ଦୁର୍ବୃତ୍ତ ବୁଧବାର ଅପରାହ୍ନରେ ପହଞ୍ଚି ଖାସିମାଂସ ଅଛି କି ନାହିଁ ପଚାରିଥିଲେ। ହୋଟେଲ ପରିଚାଳକ ତଥା ନୀଳଗିରି ଥାନା ରାଧାବହ୍ଲବପୁର ଅଞ୍ଚଳର ଲିଟୁ ଓରଫ ରଜନୀକାନ୍ତ ବାରିକ (୨୮) ଉତ୍ତରରେ ଅଛି ବୋଲି କହିବାରୁ ଦୁର୍ବୃତ୍ତମାନେ ଆଗରୁ ମନା କରୁଥିଲୁ କାହିଁକି ବୋଲି କହି ଧାରୁଆ ଖଣ୍ଡାରେ ଚୋଟ ଦେଇଥିଲେ।

ଏନେଇ ସମ୍ପୃକ୍ତ ପରିଚାଳକ ଭୟଭୀତ ହୋଇ ରାସ୍ତା ଆଡ଼କୁ ଧାଇଁ ପଳାଇଥିଲେ। ଏହି ଆକ୍ରମଣରେ ତାଙ୍କ ମୁଣ୍ଡ, ହାତ ଓ କାନ୍ଧରେ ଗଭୀର ଆଘାତ ଲାଗିଛି। ଏତିକିବେଳେ ହୋଟେଲକୁ ଲିଜସୂତ୍ରରେ ଦେଇଥିବା ଜମିମାଲିକ ଝୁଲୁ ଓରଫ ମୁକ୍ତକାନ୍ତ ସ (୩୯) ପହଞ୍ଚିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା। ପରେ ଏକ ଆପାଚି ମୋଟର ସାଇକଲରେ ନୀଳଗିରି ଆଡ଼କୁ ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଥିଲେ। ଉଭୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେପଟେ ନୀଳଗିରି ଏସଡିପିଓ ରୀତେଶ ମହାପାତ୍ରଙ୍କ ନିର୍ଦେଶରେ ବରହମପୁର ଥାନା ଓଆଇସି ହେମନ୍ତ ମାଝୀ, ଏଏସଆଇ ପ୍ରକାଶ ଗୋସ୍ୱାମୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଖୁବ ଜଲଦି ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଏସଡିପିଓ ଶ୍ରୀ ମହାପାତ୍ର କହିଛନ୍ତି।

Comments are closed.