ତୃତୀୟ ଶ୍ରୀକ୍ଷେତ୍ର ରତ୍ନ ସିଂହାସନକୁ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି

ନୀଳଗିରି: ତୃତୀୟ ଶ୍ରୀକ୍ଷେତ୍ରଭାବେ ପରିଚିତ ବାଲେଶ୍ୱର ଜିଲା ଅଧୀନ ନୀଳଗିରିର ରଥ ନିର୍ମାଣ ଏବଂ ରଥଯାତ୍ରାକୁ ନେଇ ବହୁ ବାଦବିବାଦ ଚାଲିଥିଲା। ଏପରିକି ଏହି ପ୍ରସଙ୍ଗ ମାନ୍ୟବର ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଚାଲି ଯାଇଥିଲେ ହେଁ ଶେଷ ମୁହୂର୍ତ୍ତରେ ପିଟିସନ ଖାରଜ ହୋଇ ଯାଇଥିଲା। ନୀଳଗିରିରେ ରଥ ନିର୍ମାଣ ନହେବା ଯୋଗୁ ଶ୍ରଦ୍ଧାଳୁଙ୍କ ମନରେ ନୈରାଶ୍ୟକତା ଉଦ୍ରେକ ହୋଇଥିଲା। ସେହିପରି ପୂଜକ, ସେବାୟତମାନେ ରଥ ସଂକ୍ରାନ୍ତୀୟ କୌଣସି ନୀତି କରିନଥିଲେ। ଯେଉଁଥି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଏବଂ ଦେବୀ ସୁଭଦ୍ରା ରତ୍ନ ସିଂହାସନକୁ ଉଠିବେ କି ନାହିଁ ସେନେଇ ଏକପ୍ରକାର ଆଶଙ୍କା ଦେଖାଯାଇଥିଲା।

ତେବେ ଏନେଇ ନୀଳଗିରି ରାଣୀସାହେବା ତଥା ଠାକୁରମାହାଲ ସଂସ୍ଥାର ବଂଶାନୁକ୍ରମିକ ସଭାପତି ମନୋଜାମଞ୍ଜରୀ ଦେବୀ ପୁରୀ ଗୋବର୍ଦ୍ଧନ ପୀଠର ପୀଠାଧିଶ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିଥିଲେ। ଭକ୍ତଙ୍କ ଭାବାବେଗକୁ ଆଖିରେ ରଖି ସେବାୟତ, ପୂଜକମାନେ ନିଜ ଜିଦିରେ ନରମି ଶେଷରେ ଶାସ୍ତ୍ରୀୟ ମତାନୁସାରେ ୧୦୮ଥର ବିଷ୍ଣୁ ସହସ୍ରାମନ୍ତ୍ର କରାଯାଇ ତିନିଠାକୁରଙ୍କୁ ଶନିବାର ରାତିରେ ରତ୍ନସିଂହାସନ ବିଜେ କରାଯାଇଛି।

Comments are closed.