ପୋତି ଗଲାଣି ନୀଳଗିରିର ଜନ୍ତୁ ଶିକାର ଦୁର୍ଗ ‘ଖୁମକୁଟ’

ବାଘ ଓ ହାତୀଙ୍କୁ ଗୁଳି ମାରୁଥିଲେ ରାଜା, ଦଉଡ଼ିରେ ଘୋଷାଡ଼ୁଥିଲେ ସୈନ୍ୟ ସାମନ୍ତ !

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଗଡ଼ଜାତର ୩୭ତମ ମୁଖିଆ ରାଜା କିଶୋରଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ଥିଲେ ପ୍ରଖର ଶିକାରୀ। ଶିକାର ତାଙ୍କର ସଉକ ଥିଲା। ସେତେବେଳେ ନୀଳଗିରି ଅଞ୍ଚଳଟି ଆହୁରି ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ରହିଥିଲା। ବାଘ, ଭାଲୁ ଓ ହାତୀ ଉପରେ ବସ୍ତି ବାସିନ୍ଦାଙ୍କ ଭୟ ଲାଗି ରହୁଥିଲା। କେତେବେଳେ ବାଘ ପିଲାଛୁଆଙ୍କୁ ଟେକି ନେଉଥିଲା ତ ଆଉ କେତେବେଳେ ହାତୀପଲ ବସ୍ତିକୁ ଦଳି ଚକଟି ଦେଉଥିଲେ। ୧୯୨୫ ଫେବ୍ରୁୟାରୀ ୨ ତାରିଖରେ ରାଜା କିଶୋରଚନ୍ଦ୍ର ରାଜ ସିଂହାସନ ଆହୋରଣ କରିଥିଲେ।

 

ଏ ସମ୍ପର୍କରେ ନୀଳଗିରି ରାଜ୍ୟର ଦକ୍ଷିଣ ଅଞ୍ଚଳବାସୀ ରାଜାଙ୍କୁ ଗୁହାରି କରିଥିଲେ। ରାଜା ନିଜ ସୈନ୍ୟ ସାମନ୍ତଙ୍କୁ ଧରି ହାତୀ ଉପରେ ବସି ଅଞ୍ଚଳ ପରିଦର୍ଶନ କରୁଥିଲେ। ବନ୍ୟଜନ୍ତୁଙ୍କ ଦାଉରୁ ଦକ୍ଷିଣ ନୀଳଗିରିର ଲୋକଙ୍କୁ ସୁରକ୍ଷାଦେବା ଉଦେଶ୍ୟରେ ଖୁମକୁଟଠାରେ ନିର୍ମାଣ କଲେ ତିନି ତାଲା ବିଶିଷ୍ଟ ଏକ ଦୁର୍ଗ ବା ଶିକାର ଭାଡ଼ି। ଚାରିପଟେ ଜଙ୍ଗଲ, ତିନିପଟେ ପାହାଡ଼; ମଝିରେ ଥିବା ଏକ ଖାଲୁଆସ୍ଥାନରେ ରାଜାଙ୍କ ନିର୍ଦେଶରେ ଏହି ଦୁର୍ଗ ନିର୍ମାଣ କରାଯାଇଥିଲା। ସେହିପରି ଅନତି ଦୂରରେ ଗଡ଼ଚଣ୍ଡୀ ବା ଗୁପ୍ତଚଣ୍ଡୀ ଠାକୁରାଣୀଙ୍କ ପୀଠକୁ ରାଜା ସେଠାରୁ ଉଠାଇ ଅନ୍ୟତ୍ର ସ୍ଥାପନା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ସ୍ଥାନୀୟ ଲୋକକଥା ଅନୁସାରେ ଏହି ପ୍ରତ୍ୟକ୍ଷ ଦେବୀ କୌଣସି ପରିସ୍ଥିତିରେ ସେଠାରୁ ଉଠି ନଥିଲେ। ବାଧ୍ୟ ହୋଇ ରାଜା ସେଠାରେ ଏକ ମନ୍ଦିର ମଧ୍ୟ ନିର୍ମାଣ କରିଥିଲେ। ବନ୍ୟଜନ୍ତୁଙ୍କୁ ଶିକାର କରିବାକୁ ଯିବା ପୂର୍ବରୁ ମା’ ଗଡ଼ଚଣ୍ଡୀଙ୍କୁ ରାଜା ଆରଧନା କରି ସୈନ୍ୟସାମନ୍ତଙ୍କ ସହ ବାହାରି ପଡୁଥିଲେ। ଖାଲୁଆ ସ୍ଥାନକୁ ହାତୀ ଓ ବାଘ ପାଣି ପିଇବାକୁ ଆସୁଥିବା ସମୟରେ ରାଜା ସେମାନଙ୍କୁ ଗୁଳି ମାରି ଜଖମ କରି ଦେଉଥିଲେ। ରାଜାଙ୍କ ନିର୍ଦେଶରେ ସୈନ୍ୟ ସାମନ୍ତ ସେମାନଙ୍କୁ ଦଉଡ଼ି ବା ପହ୍ଲାଣରେ ବାନ୍ଧି ଉକ୍ତ ଗଡ଼ ନିଟକକୁ ଆଣୁଥିଲେ। ରାଜାଙ୍କ ଦ୍ୱାରା ଏଭଳି ଜନ୍ତୁ ଶିକାର ଯୋଗୁ ଆଉ ସେହି ଅଞ୍ଚଳରେ ବନ୍ୟଜନ୍ତୁଙ୍କ ଉପଦ୍ରବ କମି ଯାଇଥିଲା।

ଇତିମଧ୍ୟରେ ବିତିଯାଇଛି ୯୬ ବର୍ଷ। ରାଜାଙ୍କ ହାତରୁ ଖସିଯାଇଛି ଶାସନ ଡ଼ୋରି। ୭ ଦଶନ୍ଧି ହେବ ରାଜତନ୍ତ୍ରରୁ ଗଣତନ୍ତ୍ର ରାଷ୍ଟ୍ର ପାଲଟି ଯାଇଛି। ସେ କାଳର ରାଜାଙ୍କ ଏହି ଜନ୍ତୁ ଶିକାର ଦୁର୍ଗ ଏବେ ପାଲଟି ଯାଇଛି ପର୍ୟ୍ୟଟନସ୍ଥଳୀ। ଖୁମକୁଟର ଏହି ଦୁର୍ଗ ସହ ମା’ ଗଡ଼ଚଣ୍ଡୀଙ୍କ ମନ୍ଦିର ମଧ୍ୟ ଅଥଳ ପାଣିରେ ଲୀନ ହେବାକୁ ବସିଛି। ଶିକାର ଦୁର୍ଗର ଦୁଇ ମହଲା ପାଣିରେ ବୁଡ଼ିଯାଇ କେବଳ ଗୋଟିଏ ମହଲା ଉପରକୁ ଦେଖାଯାଉଛି। ମା’ ଗଡ଼ଚଣ୍ଡୀଙ୍କ ମନ୍ଦିର ଚୂଡ଼ା ବ୍ୟତୀତ ମନ୍ଦିରଟି ମଧ୍ୟ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି। ଏଠାକୁ ସଂଖ୍ୟାଧିକ ପର୍ୟ୍ୟଟକ ବୁଲିବାକୁ ଆସୁଛନ୍ତି। ପାଖରୁ ପ୍ରକୃତିକୁ ପରଖୁଛନ୍ତି। ସନ୍ଧ୍ୟା ସମୟରେ କୁଲଡିହା ଅଭୟାରଣ୍ୟରୁ ଗୋଧୋଇବାକୁ ଆସୁଥିବା ହାତୀଙ୍କୁ ଦେଖି ପର୍ୟ୍ୟଟକ ବିଭୋର ହେଉଛନ୍ତି। ଯେଉଁ ପର୍ୟ୍ୟଟକମାନେ ପଞ୍ଚଲିଙ୍ଗେଶ୍ୱର ପରିଭ୍ରମଣରେ ଯାଉଛନ୍ତି; ପ୍ରାୟତଃ ସମସ୍ତେ ଏଠାକୁ ଥରେ ଥରେ ବୁଲି ଫେରୁଛନ୍ତି। ସ୍ଥାନୀୟ ଲୋକଙ୍କଠାରୁ ଏହି ଦୁର୍ଗର କିମ୍ବଦନ୍ତୀ ପଚାରି ବୁଝୁଛନ୍ତି। ବହୁ ପର୍ୟ୍ୟଟକ ସେଠାରେ ଥିବା ଡ୍ୟାମ ତଳେ ବଣଭୋଜି କରି ମଜା ଉଠାଉଛନ୍ତି। ହେଲେ ପର୍ୟ୍ୟଟନ ବିଭାଗର ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି ଏହି ଖୁମକୁଟ। ଏହି ପ୍ରାଚୀନ ଦୁର୍ଗ ନିକଟକୁ ଯିବା ପାଇଁ ରାସ୍ତାର ବିକାଶ ହୋଇନି। ପର୍ୟ୍ୟଟନ ବିଭାଗ ଦୃଷ୍ଟି ଦେଲେ ଏହି ଅଞ୍ଚଳ ବିକଶିତ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Comments are closed.