MEllora 950×100

ପରିଣତ ବୟସରେ ନାହିଁ ସାହାରା; ପେଟ ପାଇଁ ନାହିଁ ଦାନା, ମୁଣ୍ଡ ଗୁଞ୍ଚିବାକୁ ନାହିଁ ଘର

ନୀଳଗିରି: ଏବିତ ମଣିଷ ଜୀବନ । ପରିଣତ ବୟସରେ ନାହିଁ ସାହାରା । ନାହାନ୍ତି ନିଜର କେହି । କି ପହଞ୍ଚିନି ସରକାରଙ୍କ ସେହି ଆବାସ ଯୋଜନା । ମଣିଷ ହୋଇଥିଲେ ବି ମାଟିରେ ଶୋଉଛନ୍ତି ଏହି ବୃଦ୍ଧ ଜଣକ । ଭୋକ ହେଲେ ପେଟକୁ ଧରି ଚିତ୍କାର କରୁଛନ୍ତି ।

ଏ ହେଉଛି ବାଲେଶ୍ୱର ଜିଲା ନୀଳଗିରି ବ୍ଲକ କଳାକାଦ ଗାଁର ଜଣେ ବୃଦ୍ଧଙ୍କ ଜୀବନର ଚିତ୍ର । ନାଁ ତାଙ୍କର ଟପେ ସିଂ । ପେଟ ଚାଖଣ୍ଡକୁ ନାହିଁ ଦାନା । ଦେହକୁ ନାହିଁ ଘଣ୍ଡେ ଭଲ ପୋଷାକ । ମୁଣ୍ଡ ଗୁଞ୍ଚିବାକୁ ନାହିଁ ଘର କି ନାହିଁ ଶୋଇବାକୁ ଭଲକି ଖଣ୍ଡେ ଶେଜ । ନାହିଁର କଥା ଯଦି ବର୍ଣ୍ଣନା କରିବା ହୁଏତ ଏଠାରେ ଶେଷ ହେବନାହିଁ ।

ବୟସ ୭୦ ଛୁଇଁଲାଣି । ହେଲେ ଆଜିବି ଗଣ୍ଡେ ଦାନା ପାଇଁ ସେ ସଂଘର୍ଷ ଜାରି ରଖିଛନ୍ତି । ଦୀର୍ଘ ୪୦ବର୍ଷ ଭିତରେ ସେ ନିଜ ପାଇଁ ଗଢ଼ିଛନ୍ତି ଶହେରୁ ଊର୍ଦ୍ଧ୍ୱ କୁଡ଼ିଆ । ବାର୍ଦ୍ଧକ୍ୟର ତାଡ଼ନା ସତ୍ତ୍ୱେ ତାଙ୍କ ଦୁଇହାତ କାମ କରିବାକୁ କେବେ ମନା କରିନି । ତାଙ୍କୁ ଘରଖଣ୍ଡେ ମିଳିବାକୁ ନେଇ ପ୍ରତିବର୍ଷ ପ୍ରତିଶ୍ରୁତି ଦିଆଯାଉଛି । ହେଲେ ଏହି ପ୍ରତିଶ୍ରୁତି କେବେବି ପୂରଣ ହୋଇପାରୁନାହିଁ ।

ନିଜର ବୋଲି କେହି ନଥିବା ବେଳେ ଏବେ ସରକାରୀ ସହାୟତା ତାଙ୍କ ପାଇଁ କେବଳ ସହାରା ପାଲଟିଛି । ପ୍ରଶାସନ ପକ୍ଷରୁ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦେଇଛନ୍ତି । ହେଲେ ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ ଘର ମିଳିନାହିଁ । ଯଦି ସରକାର କିମ୍ବା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦିଅନ୍ତେ ତେବେ ଏହି ବୃଦ୍ଧ ଜଣକ ଉପକୃତ ହୋଇପାରନ୍ତେ ବୋଲି ଅଞ୍ଚଳବାସୀ କହିଛନ୍ତି ।

Comments are closed.