ଜିଦରେ ଅଟଳ ନୀଳଗିରି ବିଧାୟକ; ଉପଜିଲ୍ଲାପାଳଙ୍କ ବୁଝାସୁଝା ପରେ ଧାରଣାରୁ ଉଠିଲେ ନାହିଁ

ନୀଳଗିରି: ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଶୁକ୍ରବାର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ତହସିଲଦାରଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ସେ ଧାରଣାରେ ବସିଥିବା ଜଣାପଡିଛି। ଉପଜିଲ୍ଲାପାଳ ପହଞ୍ଚି ତାଙ୍କୁ ବୁଝା ସୁଝା କରିଥିଲେ ମଧ୍ୟ ବିଧାୟକ ସୁକାନ୍ତ କୁମାର ନାୟକ ଧାରଣାରୁ ହଟି ନାହାନ୍ତି।

ଏନେଇ ବିଧାୟକ ସୁକାନ୍ତ କୁମାର ନାୟକ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏଠାରେ ଏକଛତ୍ରବାଦ ଶାସନ ଚାଲିଛି। ଆଇନଜୀବୀ ଓ ମୋହରିରଙ୍କୁ ଥଇଥାନ କରାନଯାଇ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମେ ଥଇଥାନ କରାଯାଉ ପରେ ସେମାନଙ୍କ ଘର ଭଙ୍ଗାଯାଉ। ସେମାନଙ୍କ ଥଇଥାନ ପର୍ୟ୍ୟନ୍ତ ଭଙ୍ଗା ଯାଇଥିବା ଘରକୁ ପୁନଃନିର୍ମାଣ କରିବାକୁ ବିଧାୟକ ସୁକାନ୍ତ ନାୟକ ଦାବି କରିଛନ୍ତି।

ସୂଚନାଯୋଗ୍ୟେ, ଶୁକ୍ରବାର ସକାଳେ ତହସିଲ କାର୍ୟ୍ୟାଳୟ ପରିସରରେ ଥିବା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତଦସିଲଦାରଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ ପ୍ରକ୍ରିୟା ଚାଲିଥିଲା। ଏହି ସମୟରେ ବିଧାୟକ ସୁକାନ୍ତ କୁମାର ନାୟକ ମଧ୍ୟ ସେଠାରେ ପହଞ୍ଚିଥିଲେ। ତହସିଲ କାର୍ୟ୍ୟାଳୟ ପରିସରରେ ଥିବା ମୋହରିରଙ୍କ ଚାଳ ଭଙ୍ଗାଯିବାରୁ ବିଧାୟକ ସୁକାନ୍ତ କୁମାର ନାୟକ ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ଆଜି ସକାଳେ ବିଧାୟକ ଓ ତହସିଲଦାର ମୁହାଁମୁହିଁ ହୋଇଥିଲେ। ଉଭୟଙ୍କ ମଧ୍ୟରେ କଥା କଟାକଟି ହେବା ଦେଖିବାକୁ ମିଳିଥିଲା। ପରେ ତହସିଲଦାର ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ବିଧାୟକ ସୁକାନ୍ତ ନାୟକ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି ।

Comments are closed.