ଇନ୍ଦିରା ଗାନ୍ଧୀଙ୍କ ବଳିଦାନ ଦିବସରେ କଳି ଲାଗିଲେ କଂଗ୍ରେସ ନେତା

ନୀଳଗିରି: ଅଞ୍ଚଳଠାରୁ ଆରମ୍ଭ କରି ରାଜ୍ୟ ଓ କେନ୍ଦ୍ର ପର୍ଯ୍ୟନ୍ତ କଂଗ୍ରେସ ନେତାଙ୍କ କଳି ସବୁଠି ଶୁଭୁଥିବା ବେଳେ ବାଲେଶ୍ୱର ଜିଲାର ନୀଳଗିରି ବି ଏଥିରେ ବାଦ ପଡ଼ିନଥିବା ଘଟଣା ସମ୍ପ୍ରତି ଚର୍ଚ୍ଚାର ବିଷୟ ପାଲଟିଛି। ନୀଳଗିରିସ୍ଥିତ କଂଗ୍ରେସ ଭବନରେ ଶନିବାର ଇନ୍ଦିରା ଗାନ୍ଧୀଙ୍କ ବଳିଦାନ ଦିବସର ଆୟୋଜନ ହୋଇଥିଲା। ନୀଳଗିରି କିଶାନ କଂଗ୍ରେସ ସଭାପତି ଯଶୋଦା ନନ୍ଦନ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ସ୍ଥାନୀୟ ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ, ଚିତ୍ତରଞ୍ଜନ ଷଡ଼ଙ୍ଗୀ, ଜିଲା କିଶାନ କଂଗ୍ରେସ ସଭାପତି ନିରଞ୍ଜନ ବେହେରାଙ୍କ ସମେତ ବିଦ୍ୟାଧର ମହାନ୍ତି, ଅପ୍ରତି ସ୍ୱାଇଁ, ଧନୁର୍ଧର ପଣ୍ଡା, ଉପେନ୍ଦ୍ର ବେହେରା, କୁନି ପଣ୍ଡା, ଦୈତ୍ୟାରୀ ମହାଳିକ, ସନାତନ ଜେନା, ହେମନ୍ତ ନାୟକ ପ୍ରମୁଖ ଯୋଗଦେଇ ଇନ୍ଦିରା ଗାନ୍ଧୀଙ୍କ ସ୍ମୃତିଚାରଣ କରିଥିଲେ। ଇନ୍ଦିରାଙ୍କ ଶାସନ କାଳରେ ଦେଶ ତଥା ବାଲେଶ୍ୱର, ନୀଳଗିରି ଅଞ୍ଚଳର ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା। କିନ୍ତୁ ଏହି ବୈଠକସ୍ଥଳରେ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ଓ ଜିଲା କିଶାନ କଂଗ୍ରେସ ସଭାପତି ନିରଞ୍ଜନ ବେହେରାଙ୍କ ଭିତରେ କଳି ଲାଗି ଯାଇଥିଲା। ଉଭୟେ ତୁତୁ ମେଁମେଁ ହୋଇ ଉଠିଥିଲେ। ଦୀର୍ଘ ସମୟ ଧରି ଏହି କଳିଗୋଳ ଲାଗିବା ପରେ ଦଳୀୟ ନେତାଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ଏହି କଳି ଘଟଣା ପରେ କଂଗ୍ରେସ ଦଳୀୟ ନେତାଙ୍କ ଭିତରେ ରହିଥିବା ଫାଟକୁ ସ୍ପଷ୍ଟ କରୁଥିବା ଚର୍ଚ୍ଚା ହୋଇଛି।

Comments are closed.