ନୀଳଗିରି ବିଧାୟକଙ୍କ ଅଡ଼ିଓ ଭାଇରାଲକୁ ନେଇ ଚର୍ଚ୍ଚା

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ଅଡ଼ିଓ ଭାଇରାଲକୁ ନେଇ ସମ୍ପ୍ରତି ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଧାୟକ ଶ୍ରୀ ନାୟକ ନୀଳଗିରି ବ୍ଲକର ସରକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଅଶ୍ଳୀଳ ଭାଷା ପ୍ରୟୋଗ କରି ଧମକ ଦେବା ଘଟଣାରେ ଉଦବେଗ ପ୍ରକାଶ ପାଇଛି। ‘ମୋ କଥା ତ କିଛି ଶୁଣିଲନି, ଏଥର କୀଳା ନେବାକୁ ରେଡ଼ି ହୋଇଯାଅ। ତୁମ ନାଁରେ ଭିଜିଲାନ୍ସ କେସ ଦୁଇଟା କରୁଛି ରେଡ଼ି ହେଇକି ଥାଅ। ତୁମେ ଏମଏଲଏକୁ କିସ – ବୋଲି ଭାବିଛ।  ଏମଏଲଏ କହୁଛି ୨ଟା ଜେଇଙ୍କୁ ଧରିକି ଆସ। ବହୁତ ନୀତିନିୟମ ଦେଖେଇ ହୁଏ ସେ ଜେନା ଜେଇ, ତା’ ନୀତି ନିୟମ ଛଡ଼ାଉଛି, ଆଉ ଆପଣ ବି ପଡ଼ିବେ। ମୋ ବାଣ ସାଙ୍ଘାତିକ ବାଣ।

ମୁଁ ମୁହଁରେ କହିଲି, ତୁଟେଇ ଦେଇପାରିବ କି; ମୋ କଥା ଯଦି ରଖିପାରିବ ତାହେଲେ ମୁଁ କାହାରି ସହ ଲାଗିବିନି’। ଏଭଳି କିଛି ଅଶ୍ଳୀଳ ଭାଷା ପ୍ରୟୋଗ କରି ନୀଳଗିରି ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଅନିଲ ପଣ୍ଡାଙ୍କୁ ନୀଳଗିରି ବିଧାୟକ ଶ୍ରୀ ନାୟକ କହିଥିଲେ। ତେବେ ବିଧାୟକଙ୍କ ଏହି ଅଡ଼ିଓ ଭାଇରାଲ ହେବା ପରେ ସମ୍ପ୍ରତି ନୀଳଗିରିରେ ଏହି କଥାକୁ ନେଇ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ଏ ସମ୍ପର୍କରେ ସମ୍ପୃକ୍ତ ଯନ୍ତ୍ରୀ ଶ୍ରୀ ପଣ୍ଡାଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ, ବହୁତ ଅକୁହା କଥା ଅଛି ଯେଉଁଟା ଫୋନରେ କହିବା ସମ୍ଭବ ନୁହଁ, ଦେଖାହେଲେ ନିଶ୍ଚିତ କହିବି ବୋଲି ଜଣାଇଛନ୍ତି। ଏବାବଦରେ ସେ ଜିଲା ଇଞ୍ଜିନିୟର ସଂଘକୁ ଲିଖିତ ଅବଗତ କରିବା ସହ ନୀଳଗିରି ବିଡିଓଙ୍କୁ ମଧ୍ୟ ଅବଗତ କରାଇଛନ୍ତି। ସେପଟେ ବିଧାୟକ ଶ୍ରୀ ନାୟକ କହିଛନ୍ତି ଯେ, ମୁଁ ନୀଳଗିରିର ଜନପ୍ରତିନିଧି, ମୁଁ ସବୁବେଳେ ଅଞ୍ଚଳର ଉନ୍ନତି ଚାହେଁ। କେତେକ ଯନ୍ତ୍ରୀ ଅଞ୍ଚଳ ଉନ୍ନତିର ବାଧକ ସାଜୁଛନ୍ତି, ଫୋନରେ ମୁଁ ସେମାନଙ୍କୁ ଚେତାଉଥିଲି। କୌଣସି ପିସି ମାଗିବା ବା ସେମାନଙ୍କୁ ଧମକ ଦେବା ମୋର ଉଦେଶ୍ୟ ନାହିଁ ବୋଲି କହିଛନ୍ତି। ତେବେ ପୂର୍ବରୁ ନୀଳଗିରିର ତତ୍କାଳୀନ ତହସିଲଦାର ସୁଶ୍ରୀତା ଟୁଡୁ ଏବଂ ଏବେ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ପଣ୍ଡାଙ୍କୁ ଆଶାଳୀନ ବ୍ୟବହାରକୁ ନେଇ ବିଧାୟକ ପୁଣିଥରେ ବିବାଦରେ ଘାଣ୍ଟି ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

Comments are closed.