ରାଇକାଳିଆ ପାହାଡ଼ ଗୁମ୍ଫାରେ ସନ୍ଦିଗ୍ଧ : ପୂର୍ବାଞ୍ଚଳ ଆଇଜି ଓ ଏସପିଙ୍କ ତଦନ୍ତ

ନୀଳଗିରି: ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ସୀମାନ୍ତ ଅଞ୍ଚଳରେ ଥିବା ରାଇକାଳିଆ ପାହାଡ଼ ଶୀର୍ଷରେ ଥିବା ଏକ ଗୁମ୍ଫାରେ କେତେକ ସନ୍ଦିଗ୍ଧ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ସନ୍ଦିଗ୍ଧକୁ ଅଞ୍ଚଳବାସୀ କାବୁ କରିବା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ପୁଲିସର ଚେତା ପଶିଥିବା ଦେଖିବାକୁ ମିଳିଛି। ଏହାପରେ ବାଲେଶ୍ୱର ପୂର୍ବାଞ୍ଚଳ ଆଇଜି ଓ ଏସପି ରାଇକାଳିଆ ପାହାଡ଼ ଗୁମ୍ଫା ପରିଦର୍ଶନରେ ଯାଇଥିଲେ ଏବଂ ସେମାନେ ଏହି ଘଟଣାର ମିଳିତଭାବେ ତଦନ୍ତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି।
ବାଲେଶ୍ଵର ଜିଲା ଅନ୍ତର୍ଗତ ନୀଳଗିରି-କପ୍ତିପଦା ରାସ୍ତାର ଝରଣଘାଟିଠାରୁ ଦକ୍ଷିଣ ପାର୍ଶ୍ବକୁ ଗଲେ ସେହି ନିକଟରେ ପ୍ରାୟ ୩କିମି ଦୂରରେ ପଡ଼ିବ ରାଇକାଳିଆ ପାହାଡ଼। ମେ ୨ ତାରିଖରେ ଏହି ପାହାଡ଼ର ଶୀର୍ଷର ଟାଙ୍ଗଣା ଅଞ୍ଚଳକୁ କିଛି ଲୋକ ଜାଳେଣି କାଠ ସଂଗ୍ରହ ପାଇଁ ଯାଇଥିଲେ। ଏହି ସମୟରେ ସେଠାରେ ସେମାନେ ୪ଜଣ ଯୁବକଙ୍କୁ ଦେଖିବାକୁ ପାଇଥିଲେ। ଏହି ୪ ଜଣ ଯୁବକ ରାଇକାଳିଆ ପାହାଡ଼ ଶୀର୍ଷ ଗୁମ୍ଫାରେ କଣ କରୁଛନ୍ତି ତାହା ଜାଣିବା ପାଇଁ ସେମାନେ ସେଠାକୁ ଯାଇଥିଲେ। ଏମାନଙ୍କୁ ଦେଖି ପାହାଡ଼ ଗୁମ୍ଫାରେ ଥିବା ୪ଜଣ ଯୁବକ ସେଠାରୁ ଦୌଡ଼ି ଖସି ପଳାଇଥିଲେ। ଏହି ଖବର ଗାଁ ଲୋକଙ୍କ ପାଖରେ ପହଞ୍ଚିବା ପରେ ପ୍ରାୟ ୨୦ରୁ ଅଧିକ ଗ୍ରାମବାସୀ ଏକତ୍ରୀତ ହୋଇ ରାଇକାଳିଆ ପାହାଡ଼ ଗୁମ୍ଫା ନିକଟରେ ପହଞ୍ଚିଥିଲେ। ଗ୍ରାମବାସୀ ସେଠାରେ ଯାହା ଦେଖିଲେ ସେମାନଙ୍କ ଆଖିକୁ ବିଶ୍ଵାସକୁ ଗଲା ନାହିଁ। ଆଶ୍ଚର୍ଯ୍ୟନିତ ହୋଇ ଗ୍ରାମବାସୀ ଗୁମ୍ଫାର ପ୍ରବେଶ ଦ୍ବାରରେ ପହଞ୍ଚିଲେ। ରାଇକାଳିଆ ପାହାଡ଼ ଶୀର୍ଷରେ ଏକ ବିଶାଳ ଗୁମ୍ଫା ଦେଖି ସେମାନେ ଚକିତ ହୋଇଯାଇଥିଲେ। ଏକ ବିଶାଳ ଗୁମ୍ଫା ଭିତରୁ ଚମଡ଼ା ବେଲ୍ଟ ଲାଗିଥିବା ନୂଆ ପ୍ୟାଣ୍ଟ ସାର୍ଟ, ଥାଳ, ତାଟିଆ, ଡିଗଚି ପ୍ରଭୃତି ଖାଦ୍ୟରନ୍ଧା ସରଞ୍ଜାମ, ସିଲ ଫିଟା ଯାଇନଥିବା ନୂଆ ଚଷମା, ପେନ୍, ମେଡ଼ିସିନ, ବାଘମୁଖା ପ୍ରଭୃତି ବହୁ ସାମଗ୍ରୀ ଦେଖିବାକୁ ପାଇଥିଲେ। ସେହିପରି ଏକ ସାଦା କାଗଜରେ ହିନ୍ଦୀ, ଓଡ଼ିଆ ଓ ଇଂରାଜୀ ଭାଷାରେ ବିଭିନ୍ନ ଥାନାର ନାମ ଲେଖାଥିବାବେଳେ ଏଥିରେ ଥାନା ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଲେଖା ଦେଖିବାକୁ ମିଳିଥିଲା। ଏଠାରେ ଭାରତୀୟ ସାମାଜିକ ଏବଂ ରାଜନୈତିକ ଆନ୍ଦୋଳନର କେତେକ ପୁସ୍ତକ ସେମାନେ ରଖିଥିଲେ। ତେବେ ସାମଗ୍ରୀ ଠାବ ହେବାର ଦୁଇଦିନ ପରେ ଉକ୍ତ ପାହାଡ଼ ଶୀର୍ଷରେ ଧୂଆଁ ବାହାରୁଥିବା ଦେଖି କେତେକ ଅଞ୍ଚଳବାସୀ ପୁଣି ସେଠାରେ ପହଞ୍ଚିଥିଲେ ଏବଂ ଘଟଣାସ୍ଥଳରୁ ଜଣେ ଅଣ ଓଡ଼ିଆ ସନ୍ଦିଗ୍ଧକୁ ସେମାନେ କାବୁ କରିନେଇଥିଲେ। ଅପରପକ୍ଷରେ ସେହି ଗୁମ୍ଫାରେ ରହୁଥିବା ପ୍ରାୟ ୫/୭ଜଣ ସନ୍ଦିଗ୍ଧ ଚମ୍ପଟ ମାରିଥିଲେ।
ଏହାପରେ ରାଇକାଳିଆ ପାହାଡ଼ ଗୁମ୍ଫା ଉପରେ ଗ୍ରାମବାସୀଙ୍କ ଦ୍ବାରା କାବୁ କରାଯାଇଥିବା ସନ୍ଦିଗ୍ଧକୁ ବରହମପୁର ଥାନା ପୁଲିସକୁ ହସ୍ତାନ୍ତର କରାଯାଇଥିଲା। ଖବରପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚିଥିଲା ଏବଂ ସେଠାରେ ଥିବା ୬ବସ୍ତା ସାମଗ୍ରୀ ଜବତ କରିଥିଲା। ଗ୍ରାମବାସୀଙ୍କ ଦ୍ବାରା କାବୁ କରାଯାଇଥିବା ସନ୍ଦିଗ୍ଧକୁ ପୁଲିସ ଅଟକ ରଖି ଜେରା ଚଳାଇଥିବା ସୂଚନା ମିଳିଛି। ତେବେ ଏଭଳି ଏକ ସ୍ପର୍ଷ କାତର ଘଟଣା ଏବଂ ରାଇକାଳିଆ ପାହାଡ଼ ଗୁମ୍ଫା ଭିତରେ କିଛି ଯୁବକଙ୍କ ଅସାମାଜିକ କାର୍ଯ୍ୟକଳାପକୁ ସ୍ଥାନୀୟ ପୁଲିସ ପ୍ରଶାସନ ଗୁରୁତର ସହିତ ନେଇଛି ଓ ତଦନ୍ତ ପ୍ରକ୍ରିୟା ଜାରି ରଖିଛି। ଶୁକ୍ରବାର ବାଲେଶ୍ୱର ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକ, ଏସ୍ପି ବାନଥ ଯୁଗଳ କିଶୋର କୁମାର, ନୀଳଗିରି ଏସଡିପିଓ ଅମୂଲ୍ୟ ଧର, ବରହମପୁର ଆଇଆଇସି ପ୍ରଭଞ୍ଜନ ବେହେରା ପ୍ରମୁଖ ଉକ୍ତ ରାଇକାଳିଆ ପାହାଡ଼ ଶୀର୍ଷର ବିଶାଳ ଗୁମ୍ଫାକୁ ଯାଇ ତଦନ୍ତ କରିଛନ୍ତି। ଉକ୍ତ ଗୁମ୍ଫାରେ ୭/୮ଜଣ ପୁରୁଷ ଓ ମହିଳା ସନ୍ଦିଗ୍ଧ ଭାବେ ଦୀର୍ଘଦିନ ହେବ ରହୁଥିବା ଏବଂ ସେମାନେ ବିଭିନ୍ନ ଅପରାଧିକ ମାମଲାରେ ଜଡ଼ିତ ଥାଇ ପାରନ୍ତି ବୋଲି ପୁଲିସ ପକ୍ଷରୁ ସନ୍ଦେହ କରାଯାଉଛି।