ନୀଳଗିରି ଜନଶୂନ୍ୟ; ଘଣ୍ଟ ପିଟିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ

ନୀଳଗିରି: ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି ଖାଁ ଖାଁ। ଜନତା କର୍ଫ୍ୟୁକୁ ଶତ ପ୍ରତିଶତ ସମର୍ଥନ ଜଣାଇଛନ୍ତି ବାଲେଶ୍ୱର ଜିଲାର ନୀଳଗିରି ଜନତା। ସ୍ୱତ୍ତପ୍ରତଭାବେ ସମସ୍ତ ବ୍ୟବସାୟୀ ନିଜର ବ୍ୟବସାୟ ପ୍ରତିଷ୍ଠାନ, ଦୋକାନ ବନ୍ଦ କରିଥିବା ବେଳେ ଗାଡ଼ି, ମୋଟର, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିଛି। ପୁଲିସ ଓ ପ୍ରଶାସନ ପକ୍ଷରୁ ମଧ୍ୟ ଶନିବାରଠାରୁ ସହରରେ ପ୍ରଚାର କରାଯାଇଥିଲା। ନୀଳଗିରି ଆଇଆଇସି ମିନତି ବିଶ୍ୱାଳ, ସବଇନ୍ସପେକ୍ଟର ବାସୁଦେବ ଜୟସିଂ, ସସ୍ମିତା ମଲିକ ପ୍ରମୁଖ ପୁଲିସ ଭ୍ୟାନରେ ମାଇକ ଜରିଆରେ ପ୍ରଚାର କରି ଲୋକଙ୍କ ସଚେତନ କରାଇ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ଦେଇଥିଲେ। ଏନେଇ ରବିବାର ନୀଳଗିରି ସହର ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇପଡ଼ିଥିଲା।

ଅପରାହ୍ନ ୫ଟା ସମୟରେ କରୋନା ବିନାଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ନିଜ କର୍ତ୍ତବ୍ୟରେ ଅବହେଳା କରିନଥିବା ଡାକ୍ତର, ସେବିକା, ପୁଲିସ ଓ ପ୍ରଶାସନିକ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖଙ୍କୁ କୃତଜ୍ଞତା ସ୍ୱରୂପ ଘଣ୍ଟ, ଶଙ୍ଖ ବଜାଇ ଥିଲେ ସ୍ଥାନୀୟ ଜନତା। ତେବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ନୀଳଗିରି ବ୍ଲକ ଗୋପୀନାଥପୁରସ୍ଥିତ ତାଙ୍କ ନିଜ ବାସଭବନ ସମ୍ମୁଖରେ ଘଣ୍ଟ ପିଟି ଜନତା କର୍ଫ୍ୟୁରେ ସାମିଲ ହୋଇ ନିଜର କର୍ତ୍ତବ୍ୟ ପ୍ରତିପାଦନ କରିଥିବା ବ୍ୟକ୍ତିଙ୍କୁ କୃତଜ୍ଞତା ଜ୍ଞାପନ କରିଥିବା ଦେଖିବାକୁ ମିଳିଛି। ସେହିପରି ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଏହି ଅବସରରେ ସ୍ୟାଲୁଟ ମଧ୍ୟ ମାରି ଅଭିବାଦନ ଜଣାଇଥିବା ଦେଖାଯାଇଛି।

 

Comments are closed.