ବୀମା ଅଫିସରଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ନିଆଳି : ଲିବର୍ଟି ଜେନେରାଲ ଇନସୁରାନ୍ସର କ୍ଲେମ୍ ଅଫିସର ମାନସ ରଂଜନ ସାହୁଙ୍କୁ କିଛି ଅଜଣା ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।  ଗତ ୨୯ ତାରିଖ ମାନସ ଏକ ମୋଟର ଗାଡ଼ି ସୋ-ରୁମକୁ ଅଫିସ କାମରେ ଯାଇ ଫେରୁଥିବା ବେଳେ ହଠାତ୍ ଦଶ ବାର ଯୁବକ ତାଙ୍କୁ ଅଟକାଇଥିଲେ । ଜନୈକ ବ୍ୟକ୍ତିଙ୍କ ଗାଡ଼ିର ବୀମା କାହିଁକି ସେଟଲ ହୋଇନି ବୋଲି ଅଭିଯୋଗ କରି ସେମାନେ ମାନସଙ୍କୁ ଭୀଷଣ ମାଡ଼ ମାରିବା ସହ ତାଙ୍କ ଗାଡ଼ି ଭଙ୍ଗାରୁଜା କରିଥିଲେ । ମାନସଙ୍କ ପାଖରେ ଥିବା ନଗଦ ୧୦ ହଜାର ୩୦୦ ଟଙ୍କା ମଧ୍ୟ ସେମାନେ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି । ମାନସଙ୍କୁ ଅଟକାଇ ମାଡ଼ ମରାଯାଇଥିବା ନେଇ ଖବର ପାଇବା ପରେ ଲିବର୍ଟି ଜେନେରାଲ ଇନସୁରାନ୍ସ ପକ୍ଷରୁ ଅନ୍ୟ ଦୁଇ ଜଣ ଅଫିସର ଆସି ମାନସଙ୍କୁ ଉଦ୍ଧାର କରିଥିଲେ । ଏହି ଘଟଣାରେ ନିଆଳି ଥାନାରେ ଏକ ମାମଲା ରୁଜୁ ହୋଇଛି । ମାନସ ଅଫିସ କାମରେ ଆସିଥିବା ବେଳେ ଏତେ ଲୋକ ମିଳିତ ଭାବେ ତାଙ୍କୁ ଆକ୍ରମଣ କରିଥିବାରୁ ଏହା ଏକ ଯୋଜନାବଦ୍ଧ ଆକ୍ରମଣ ବୋଲି ସନ୍ଦେହ କରାଯାଉଛି ।

Comments are closed.