ଯୁବତୀଙ୍କୁ ୨ମାସ ଗଣବଳାତ୍କାର ପରେ ଛାତରୁ ଠେଲି ଅଭିଯୁକ୍ତ ଫେରାର ; ନ୍ୟାୟ ଅପେକ୍ଷାରେ ପୀଡ଼ିତା

ନୀଳଗିରି: ଦିନେ କି ଅଧି ନୁହଁ, ଦୀର୍ଘ ୨ମାସ ଧରି ହୋଟେଲର ଏକ ରୁଦ୍ଧ କୋଠରୀ ଭିତରେ ଜଣେ ଯୁବତୀଙ୍କୁ ରଖାଯାଇ ଗଣବଳାତ୍କାର କରାଯିବା ଏବଂ ପରେ ତାଙ୍କୁ ଛାତ ଉପରୁ ଠେଲିଦେବା ଘଟଣା ସମ୍ପ୍ରତି ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ତେବେ ଏହି ଅମାନୁଷିକ କାଣ୍ଡ ଭିଆଇବା ପରେ ଅଭିଯୁକ୍ତ ହୋଟେଲ ମାଲିକ ଏବଂ ତାଙ୍କ ସହଯୋଗୀଙ୍କ ଫେରାର ହୋଇଯାଇଥିବା ବେଳେ କଟକ ବଡ଼ ମେଡିକାଲରେ ଶଯ୍ୟାଶାୟୀ ଥିବା ପୀଡ଼ିତା ନ୍ୟାୟ ଅପେକ୍ଷାରେ ରହିଛନ୍ତି। ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ପଞ୍ଚଲିଙ୍ଗେଶ୍ୱରସ୍ଥିତ ହୋଟେଲ ମାଉଣ୍ଟେନ ଟ୍ରେଲରେ ଏଭଳି ସ୍ପର୍ଶକାତର ଘଟଣା ଘଟିଛି।

କଟକ ଜିଲା ବାଙ୍କି ଥାନା ଅଧୀନ ଭୋଇସାହି ଅଞ୍ଚଳର ଜଣେ ଯୁବତୀ ତାଙ୍କ ସମ୍ପର୍କୀୟ ଭଉଣୀ ମାମା ଓରଫ ତଅପୋଇ ନାୟକଙ୍କ ସହ କାମଧନ୍ଦା ସନ୍ଧାନରେ ଘରୁ ବାହାରି ଆସିଥିଲେ। ସମ୍ପର୍କୀୟ ଭଉଣୀଜଣକ ଲୁଗାକାମରେ ନିୟୋଜିତ ହେବା କହି ପଞ୍ଚଲିଙ୍ଗେଶ୍ୱରରେ ଥିବା ଉକ୍ତ ହୋଟେଲକୁ ନେଇ ଆସିଥିଲେ। ଏହି ହୋଟେଲଟି ଓୟୋ ଅଧୀନରେ ରହଛି। ହୋଟେଲରେ ସମ୍ପର୍କୀୟ ଭଉଣୀ ମାମା ତାଙ୍କୁ ସେଠାରେ ରଖିବା ପରେ ହୋଟେଲ ମାଲିକ ତଥା ନୀଳଗିରି ଥାନା ରାଉଳଖୁଣ୍ଟା ଅଞ୍ଚଳର ପପୁ ଓରଫ ବିବେକ ସ (୨୬) ଏବଂ ତାଙ୍କ ସାଙ୍ଗମାନେ ଜଣେ ପରେ ଜଣେ ଦୀର୍ଘ ୨ମାସ ଧରି ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏହି କାର୍ଯ୍ୟରେ ଲିପ୍ତ ନରହିବାକୁ ସେ ହୋଟେଲ ମାଲିକର ଗୋଡ଼ହାତ ଧରିଥିଲେ ହେଁ କାମାନ୍ଧ ହୋଟେଲ ମାଲିକ ଏବଂ ତାଙ୍କ ସହଯୋଗୀମାନେ କିଛି ଶୁଣିନଥିଲେ। ଏପରିକି ବିରୋଧ କଲେ ତାଙ୍କୁ ବିଧା ଗୋଇଠା ମାରି ବାନ୍ଧି ଦେଇ ଶାରୀରିକ ସମ୍ପର୍କ ରଖୁଥିବା ଅଭିଯୋଗ ହୋଇଛି। ଏହି ଅମାନୁଷିକ ଯୌନ ଅତ୍ୟାଚାରରୁ ମୁକ୍ତି ପାଇବା ପାଇଁ ସମ୍ପୃକ୍ତା ଯୁବତୀ ଲୁଚି ପଳାଇବାକୁ ଚେଷ୍ଟା କରୁଥିବା ସମୟରେ ଅଭିଯୁକ୍ତ ହୋଟେଲ ମାଲିକ ପପୁ, ସମ୍ପର୍କୀୟ ଭଉଣୀ ମାମା ଓ ସହଯୋଗୀମାନେ ତାଙ୍କୁ ଦି ମହଲା ଛାତ ଉପରୁ ତଳକୁ ଠେଲି ଦେଇଥିଲେ। ଯାହା ଫଳରେ ଯୁବତୀଙ୍କ ଦୁଇଗୋଡ଼ ନଷ୍ଟ ହୋଇ ସମ୍ପ୍ରତି ସେ ଏସସିବିରେ ଚିକିତ୍ସାଧୀନ ରହିଛନ୍ତି। ପୀଡ଼ିତାଙ୍କଠାରୁ ଏହି ବର୍ବରତା ଖବର ପାଇବା ପରେ ଏକ ସ୍ୱେଛାସେବୀ ସଂଗଠନ ତାଙ୍କୁ ସହଯୋଗର ହାତ ବଢ଼ାଇଛି। ଏନେଇ ବାଙ୍କି ଥାନା କେସ ନଂ. ୧୪୩/୨୦, ଦଫା ୩୫୪, ୩୨୩, ୩୨୫, ୫୦୬, ୨୯୪, ୩୪୨, ୩୭୬ (୨)(ଏନ), ୩୭୬ ଡି, ୩୪ଆଇପିସି ମୂଳେ ଏକ ମାମଲା ରୁଜୁ ହୋଇଛି। ଏସସିବିରେ ଭର୍ତ୍ତି କରାଇ ଫେରାର ହୋଇଯାଇଥିବା ସମ୍ପର୍କୀୟ ଭଉଣୀ ମାମାର ଭାଇ ଈଶ୍ୱର ନାୟକଙ୍କୁ ବାଙ୍କି ପୁଲିସ ଗିରଫ କରିଥିବା ଜଣାଯାଇଛି। ଅନ୍ୟପକ୍ଷରେ ଅଭିଯୁକ୍ତ ହୋଟେଲ ମାଲିକ ଓ ତାଙ୍କ ସହଯୋଗୀଙ୍କୁ ଧରିବା ପାଇଁ ବାଙ୍କି ପୁଲିସ ଏବଂ ନୀଳଗିରି ପୁଲିସ କିଛିଦିନ ହେବ ନୀଳଗିରିର ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ପଇଁତରା ମାରୁଥିଲେ ହେଁ ଅଭିଯୁକ୍ତମାନଙ୍କ ସନ୍ଧାନ ପାଇପାରିନାହିଁ। ସେପଟେ ଅଭିଯୁକ୍ତ ହେଟେଲ ମାଲିକ ଗାଁରେ ବୁଲୁଥିବା ଏବଂ ରାତି ହେଲେ ଜଣେ ସହଯୋଗୀଙ୍କ ଘରେ ଲୁଚି ରହୁଥିବା ସୂଚନା ମିଳିଛି। ସେହିପରି ଏଭଳି ସମ୍ବେଦନଶୀଳ ଘଟଣାକୁ ଚାପି ଦେବା ପାଇଁ ଅଭିଯୁକ୍ତ ହୋଟେଲ ମାଲିକଙ୍କ ପକ୍ଷରୁ ରିତିମତ ପ୍ରୟାସ ଚାଲିଥିବା ଅଭିଯୋଗ ଉଠିଛି। ଅପରପକ୍ଷରେ ଜଣେ ହୋଟେଲ ମାଲିକର କେଳେଙ୍କାରୀ ପାଇଁ ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଶୋଭା ବର୍ଦ୍ଦନ କରୁଥିବା ବାବା ପଞ୍ଚଲିଙ୍ଗେଶ୍ୱର ଶୈପପୀଠ ବଦନାମ ହେଉଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ପୁଲିସ ଓ ପ୍ରଶାସନ ପକ୍ଷରୁ ଉକ୍ତ ହୋଟେଲକୁ ସିଲ କରାଯାଇ ଅଭିଯୁକ୍ତଙ୍କୁ ଧରିବାକୁ ଦାବି ହୋଇଛି।

Comments are closed.