୧୬ ବିଦେଶୀ ଖଲିସ୍ତାନୀଙ୍କ ବିରୋଧରେ ଆରୋପ ପତ୍ର ଦାଖଲ କଲା ଏନଆଇଏ

ଆତଙ୍କବାଦ ବିରୋଧୀ ଅନୁସନ୍ଧାନ ସଂଗଠନ, ଏନଆଇଏ ରେଫରେଣ୍ଡମ୍ ୨୦୨୦ (ଜନମତ ୨୦୨୦) ମାମଲାରେ ୧୬ ଅଭିଯୁକ୍ତଙ୍କ ବିରୋଧରେ ଆରୋପ ପତ୍ର ଦାଖଲ କରିଛି। ଆଇପିସିର ୧୨୦ବି, ୧୨୪ଏ, ୧୫୩ଏ, ୧୫୩ବି ଏବଂ ୫୦୫ ଏବଂ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ, ୧୯୬୭ର ୧୩, ୧୭ ଏବଂ ୧୮ ଅନୁଯାୟୀ ସେମାନଙ୍କ ବିରୋଧରେ ଆରୋପ ପତ୍ର ସ୍ୱତନ୍ତ୍ର ଏନଆଇଏ କୋର୍ଟରେ ଦାଖଲ କରାଯାଇଛି।

‘ରେଫରେଣ୍ଡମ ୨୦୨୦’ ବ୍ୟାନରରେ ‘ଖଲିସ୍ତାନ’ ସୃଷ୍ଟି ପାଇଁ ଅଭିଯୁକ୍ତଙ୍କ ଦ୍ୱାରା ସଂଗଠିତ ଷଡ଼ଯନ୍ତ୍ର ସ୍ୱରୂପ ଏକ ମିଳିତ ବିଚ୍ଛିନ୍ନତାବାଦୀ ଅଭିଯାନ ଆରମ୍ଭ କରାଯାଇଥିଲା । ଏନ୍ଆଇଏ ଏବଂ ଅନ୍ୟାନ୍ୟ ସୁରକ୍ଷା ସଂଗଠନ ଦ୍ୱାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ ପୂର୍ବରୁ ‘ଶିଖ ଫର ଜଷ୍ଟିସ’ର ମୁଖ୍ୟ ପୃଷ୍ଠପୋଷକ ଗୁରୁପତନ୍ତ ସିଂ ପନ୍ନୁନ୍, ହରଦୀପ ସିଂ ନିଜାର୍ ଏବଂ ପରମଜିତ୍ ସିଂ ଆକା ପମ୍ମାକୁ ସଂଶୋଧିତ ଅଧିନିୟମ ଅନୁଯାୟୀ ‘ଆତଙ୍କବାଦୀ’ ଘୋଷଣା କରାଯାଇସାରିଛି।

ଅନ୍ୟ ଅଭିଯୁକ୍ତମାନେ ହେଉଛନ୍ତି ଗୁରୁପତନ୍ତ ସିଂ ପନ୍ନୁନ୍, ଅବତାର ସିଂ ପନ୍ନୁନ୍, ହରପ୍ରୀତ ସିଂ ଓରଫ ରାଣା ସିଂ, ଏସ୍ ହିମ୍ମତ ସିଂ, ଅମରଦୀପ ସିଂ ପୁରୱାଲ ଆକା ଅମରଦୀପ ସିଂ ଖାଲସା, ହରଜାପ ସିଂ, ସରବଜିତ ସିଂ ଓରଫ ସାବି ସିଂ, ଗୁରୁପ୍ରୀତ ସିଂ ବାଗୀ, ପରମଜିତ୍ ସିଂ ଆକା ପମ୍ମା, ସରବଜିତ୍ ସିଂ ବନ୍ନୁର, କୁଲୱନ୍ତ ସିଂ ମୋଥାଡା, ଦୁପିନ୍ଦରଜିତ୍ ସିଂ, କୁଲୱନ୍ତ ସିଂ ଆକା କାଣ୍ଟା, ଜେଏସ୍ ଧଲିୱାଲ, ହାରଦୀପ ସିଂ ନିଜାର, ଜତିନ୍ଦର ସିଂ ଗ୍ରେୱାଲ। ଏହି ଅଭିଯୁକ୍ତଙ୍କ ବିରୋଧରେ ମଧ୍ୟ ଏନଆଇଏ ଆରୋପ ପତ୍ର ଦାଖଲ କରିଛି। ଏହି ଅଭିଯୁକ୍ତମାନେ ବେଆଇନ ଘୋଷିତ ‘ଶିଖ ଫର ଜଷ୍ଟିସ’ର ସଦସ୍ୟ ଅଟନ୍ତି ଓ ସେମାନେ ଆମେରିକା, ବ୍ରିଟେନ ଓ କାନାଡ଼ାରେ ବସବାସ କରୁଥିବା ସୂଚନା ମିଳିଛି।

ଏନଆଇଏ ଅନୁଯାୟୀ, ଶିଖ୍ ଫର ଜଷ୍ଟିସ୍ ନାମରେ ଅଭିଯୁକ୍ତମାନେ ଆମେରିକା, କାନାଡା, ବ୍ରିଟେନ ଓ ଅଷ୍ଟ୍ରେଲିଆ ଭଳି ବିଭିନ୍ନ ଦେଶରେ ଏହାର କାର୍ଯ୍ୟାଳୟ ଖୋଲି ମାନବାଧିକାର ଆଳରେ ଫେସବୁକ୍, ଟ୍ୱିଟର, ହ୍ୱାଟ୍ସ ଆପ୍, ୟୁଟ୍ୟୁବ୍ ଚ୍ୟାନେଲ ଏବଂ ଅନେକ ୱେବସାଇଟରେ ଦେଶ ତଥା ଧର୍ମ ଆଧାରରେ ଦେଶଦ୍ରୋହ ତଥା ଶତ୍ରୁତା ପ୍ରଚାର କରୁଥିଲେ ଏବଂ ପ୍ରଭାବଶାଳୀ ଯୁବକମାନଙ୍କୁ ଶାନ୍ତି ଏବଂ ସୌହାର୍ଦ୍ଦ୍ୟରେ ବ୍ୟାଘାତ ସୃଷ୍ଟି କରିବା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ସଂଗ୍ରହ କରୁଥଲେ।

Comments are closed.