୧୦ ରାଜ୍ୟପଥ ହେବ ଜାତୀୟ ରାଜପଥ

୯ ସଡ଼କ ନିର୍ମାଣ କରିବ ଏନଏଚଏଆଇ, ଏନଏଚ-୩୨୦ଡି ନିର୍ମାଣ କରିବ ଏନଏଚ

ଭୁବନେଶ୍ବର : ଦଶଟି ରାଜ୍ୟ ରାଜପଥକୁ ଜାତୀୟ ରାଜପଥରେ ସମ୍ପ୍ରସାରଣ କରିବାକୁ ଭାରତ ସରକାରଙ୍କ ସଡ଼କ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ଅନୁମତି ମିଳିଛି। ୧୦ ମଧ୍ୟରୁ ୯ଟି ସଡ଼କ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ନିର୍ମାଣ କରିବାକୁ ଥିବାବେଳେ ଏନଏଚ-୩୨୦ଡି ରାଜ୍ୟ ସରକାରଙ୍କ ଜାତୀୟ ରାଜପଥ(ଏନ୍‌ଏଚ୍‌)କରିବ ବୋଲି ଜଣାପଡିଛି। ମନ୍ତ୍ରାଳୟ ପକ୍ଷରୁ ଅନୁମତି ଦିଆଯିବା ପରେ ଜାତୀୟ ରାଜପଥ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପୂର୍ତ୍ତ ବିଭାଗକୁ ଏ ସଂକ୍ରାନ୍ତରେ ଅବଗତ କରାଯାଇଛି।
ରାଜ୍ୟ ରାଜପଥରୁ ଜାତୀୟ ରାଜପଥକୁ ସମ୍ପ୍ରସାରଣ କରାଯାଇଥିବା ସଡ଼କଗୁଡିକ ହେଲା, ଏନଏଚ-୧୨୬, ଏନଏଚ-୧୩୦ସିଡି, ଏନଏଚ-୩୧୬ଏ, ଏନଏଚ-୫୧୬ଏ, ଏନଏଚ-୧୫୭ଏ, ଏନଏଚ-୧୨୬ଏ, ଏନଏଚ-୬୫୫, ଏନଏଚ-୭୨୦, ଏନଏଚ-୧୪୩ଏ ଏବଂ ଏନଏଚ-୩୨୦ଡି। ଉପରୋକ୍ତ ସଡ଼କ ଗୁଡିକ ଅନୁଗୋଳ, ଢେଙ୍କାନାଳ, ଚାରବାଟିଆ, ବରଗଡ, ସୋନପୁର, ଫୁଲବାଣୀ, ନବରଙ୍ଗପୁର, ଘଟଗାଁ, ରାଉରକେଲା ଏବଂ ସୁନ୍ଦରଗଡ ଆର ଆଣ୍ଡ ବି ଡିଭିଜନ ଅଧିନରେ ରହିଛି। ଏନଏଚ- ୧୨୬ ନିର୍ମାଣ ଏନଏଚ-୨୬ର ବରପାଲି ନିକଟରୁ ନିର୍ମାଣ ଆରମ୍ଭ ହୋଇ ଏନଏଚ-୫୩ରେ ସୋହେଲାଠାରେ ମିଶିବ। ଏନଏଚ-୧୩୦ଡି ନିର୍ମାଣ ଏନଏଚ-୩୦ର ଆମ୍ବପୁର ଜଙ୍କିଆ ପାଖରୁ ଆରମ୍ଭ ହୋଇ ଏନଏଚ-୩୮କୁ ଆନ୍ଧ୍ରପ୍ରଦେଶ ପିନାଗଡିଠାରେ ସଂଯୋଗ କରିବ। ଏନଏଚ-୩୧୬ଏ ନିର୍ମାଣ ଏନଏଚ-୩୧୬ର କୋଣାର୍କରୁ ଆରମ୍ଭ ହେବ ଏବଂ ବାଲେଶ୍ବର ଜିଲା ଚନ୍ଦନେଶ୍ବରଠାରେ ପଶ୍ଚିମବଙ୍ଗ ସୀମାକୁ ସଂଯୋଗ କରିବ। ଏନଏଚ-୫୧୬ଏ ନିର୍ମାଣ ଏନଏଚ-୫୧୬ର ଗୋପାଳପୁରଠାରୁ ଆରମ୍ଭ ହୋଇ ଏନଏଚ-୩୧୬କୁ ସାତପଡ଼ାଠାରେ ସଂଯୋଗ କରିବ।
ଏନଏଚ-୧୫୭ଏ ଏନଏଚ-୧୫୭ର ଫୁଲବାଣୀଠାରୁ ନିର୍ମାଣ ଆରମ୍ଭ ହେବ ଏବଂ ଖଜୁରିପଡା ଦେଇ ମାଧପୁରଠାରେ ଏନଏଚ-୫୭କୁ ସଂଯୋଗ କରିବ। ଏନଏଚ-୧୨୩୬ଏ ଏନଏଚ-୨୬ର ବରପାଲିଠାରୁ ନିର୍ମାଣ ଆରମ୍ଭ ହୋଇ ସୋନପୁରଠାରେ ଏନଏଚ-୫୭ରେ ମିଶିବ। ଏନଏଚ-୬୫୫ ନିର୍ମାଣ ଏନଏଚ-୫୫ର ଅନୁଗୋଳରୁ ଆରମ୍ଭ ହୋଇ ମହିଧରପୁର, ରସୋଲ, ଭାପୁର ଏବଂ ଆଠଗଡ ଦେଇ ଏନଏଚ-୫୫କୁ କୃଷ୍ଣଶମ୍ୟାପୁରଠାରେ ସଂଯୋଗ କରିବ। ଏନଏଚ- ୭୨୦ର ନିର୍ମାଣ ଏନଏଚ-୨୦ କେନ୍ଦୁଝରଠାରୁ ଆରମ୍ଭ ହେବ ଏବଂ ଏନଏଚ-୫୩କୁ ଡୁବୁରୀଠାରେ ସଂଯୋଗ କରିବ। ଏନଏଚ-୧୪୩ଏଚ ଏନଏଚ-୧୪୩ର ଜୋରାମଠାରୁ ନିର୍ମାଣ ଆରମ୍ଭ ହୋଇ ଝାଡ଼ଖଣ୍ଡର ସୀମାନ୍ତବର୍ତ୍ତୀ ଆମ୍ବପାଣିଠାରେ ସଂଯୋଗ କରିବ।
ଏନଏଚଏଆଇ ମୁଖ୍ୟ ମହାପ୍ରବନ୍ଧକ (ଆଞ୍ଚଳିକ)ରାମପ୍ରସାଦ ପଣ୍ଡା କହିଛନ୍ତି, ସଡ଼କଗୁଡିକୁ ଜାତୀୟ ରାଜପଥରେ ସମ୍ପ୍ରସାରଣ କରିବାକୁ ଅନୁମତି ମିଳିଛି। ଏହା ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ମନ୍ତ୍ରାଳୟ ପାଖରୁ ଚିଠି ଆସିନାହିଁ। ଆସିଲେ ପଦକ୍ଷେପ ନିଆଯିବ। ଗାଡ଼ିମୋଟର ଚଳାଚଳ ଏବଂ ଟ୍ରାଫିକ୍ ସମସ୍ୟାକୁ ନେଇ ରାଜ୍ୟ ସରକାର ଏସବୁ ସଡ଼କକୁ ଜାତୀୟ ରାଜପଥରେ ପରିଣତ କରିବାକୁ ୨୦୦୫ ଅଗଷ୍ଟରେ ମନ୍ତ୍ରାଳୟକୁ ଜଣାଇଥିଲେ। ଆର ଆଣ୍ଡ ବି ଡିଭିଜନ ଏନଏଚଏଆଇ ଏବଂ ଏନଏଚକୁ ସଡ଼କ ହସ୍ତାନ୍ତର କରିବା ପ‌େ‌ର ସର୍ଭେ କରି ମନ୍ତ୍ରାଳୟକୁ ରିପୋର୍ଟ ଦିଆଯିବ। ପରେ ମନ୍ତ୍ରାଳୟର ବାର୍ଷିକ ପତ୍ରିକାରେ ଜାତୀୟ ରାଜପଥଗୁଡିକ ସ୍ଥାନ ପାଇବ। ପରବର୍ତ୍ତୀ ସମୟରେ ଡିପିଆର ଦାଖଲ କରାଯିବ।

Comments are closed.