ଜାତୀୟ ରାଜପଥକୁ ପ୍ରଶାସନର ଦୃଷ୍ଟି କେବେ

ବେଲଗାଁ : ମହାମାରୀ ଯୋଗୁଁ ଯାତ୍ରିବାହୀ ବସ୍ ଚଳାଚଳ ବନ୍ଦ ଯୋଗୁଁ ବାଇକ୍ ହିଁ ଗମନାଗମନର ମୁଖ୍ୟ ପନ୍ଥା ପାଲଟିଛି। ଏହିପରିପ୍ରେକ୍ଷୀରେ ଛୁଆରୁ ବୁଢା ସଭିଏଁ ବାଇକ୍ ରେ ଯାଉଥିବାବେଳେ ନିତ୍ୟ ଛୋଟବଡ ଦୁର୍ଘଟଣା ସାମାନ୍ୟ ହୋଇଛି। ବିଶେଷ କରି ଜାତୀୟ ରାଜପଥ ୫୯ ଏବଂ ୨୬ର ମିଳନ ସ୍ଥଳ ବେଲଗାଁ ଚାରିଛକ ଠାରୁ ସଇଁନ୍ତଲା ପର୍ଯ୍ୟନ୍ତ ସକାଳୁ ସନ୍ଧ୍ୟା ପିମ୍ପୁଡି ଲାଇନ ଲାଗିବା ପରି ବାଇକ ଧାଡି ଲାଗିଥିବା ଦେଖାଯାଉଛି। ମୁଣ୍ଡରେ ହେଲମେଟ ନଥିବା ବାଇକ୍ ସବାର ନିଜ ନିଜ ମଧ୍ୟରେ ପ୍ରତିଯୋଗିତା କଲା ଭଳି ବିପଜ୍ଜନକ ଭାବରେ ତୀବ୍ର ଗତିରେ ଛୁଟି ଚାଲୁଛନ୍ତି। ଏନେଇ ସମସ୍ତ ନିୟମ ମାନି ବାଇକ୍ ଚଳାଉଥିବା ଲୋକେ ଭୟରେ ଥରି ଉଠୁଥିବା ବେଳେ ସାମାନ୍ୟ ଅସାବଧାନ ହେଲେ କଚାଡି ହୋଇ ପଡିବା ସାର ହେଉଛି। ଆଜି ଅପରାହ୍ନରେ ଜଣେ ଭଦ୍ରଲୋକ ଏକୁଟିଆ ବାଇକରେ ନିଜ ଘର ସାମଗ୍ରୀ ନେଇ ଯାଉଥିବାବେଳେ ପ୍ରତିଯୋଗିତାମୂଳକ ବେଲଗାଁ ସଇଁନ୍ତଲା ରାସ୍ତାର ମହଗାଁ ବ୍ରିଜ ନିକଟରେ ରାସ୍ତାରେ କଚାଡି ହୋଇପଡି ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତିଥିବା ଆଲୋଚନାର ବିଷୟ ହୋଇଛି। ପରେ ତାଙ୍କୁ କିଛି ଲୋକ ସଇଁନ୍ତଲା ଡାକ୍ତରଖାନାକୁ ନେଇ ପ୍ରାଥମିକ ଚିକିତ୍ସା କରାଇଥିଲେ। ଏହି ରାସ୍ତାରେ ନିୟମିତ ଏଭଳି ଦୁର୍ଘଟଣା ଘଟି ଲୋକେ ନିଜେ ନିଜେ କିମ୍ବା ୧୦୮ ଆମ୍ବୁଲାନ୍ସ ଡାକି ଚିକିତ୍ସା ପାଇଁ ଯାଉଥିବାବେଳେ ପୁଲିସ ମଧ୍ୟ ଟେର ପାଉନଥିବା ଜଣାଯାଇଛି। ଏକ୍ଷେତ୍ରରେ ଇଚ୍ଛୃଙ୍ଖଳ ବାଇକ ଚାଳକଙ୍କୁ ନିୟନ୍ତ୍ରଣ ସହ ନୀରିହ ଲୋକଙ୍କ ଧନଜୀବନ ସୁରକ୍ଷା ପାଇଁ ପୁଲିସ ପ୍ରଶାସନ ଜାତୀୟ ରାଜପଥରେ ଅଚାନକ ଚେକିଙ୍ଗ କରିବା ପାଇଁ ଦାବି ହୋଇଛି।

Comments are closed.