୨୬ ନମ୍ବର ଜାତୀୟ ରାଜପଥ ମରାମତି ଅଭାବରୁ ହଇରାଣ ହେଉଛନ୍ତି ଯାତ୍ରୀ

ଲୋଇସିଂହା : ୨୬ ନମ୍ବର ଜାତୀୟ ରାଜପଥରେ ନିୟମିତ ହଜାର ସଂଖ୍ୟାରେ ଗାଡି ଚଳାଚଳ କରୁଛି। ଏଥିପାଇଁ ଗାଡି ମାଲିକମାନେ ରାଜସ୍ୱ ମଧ୍ୟ ଦେଉଛନ୍ତି। ରାସ୍ତାର ରକ୍ଷଣାବେକ୍ଷଣ ପାଇଁ ବିଭାଗୀୟ ଇଞ୍ଜିନିୟର ଥିବାବେଳେ ରକ୍ଷଣାବେକ୍ଷଣ ଲାଗି ସରକାରୀ ଅନୁଦାନ ମଧ୍ୟ ଆସୁଛି। ମାତ୍ର ରାସ୍ତା ଯେଉଁଭଳି ଢଙ୍ଗରେ ମରାମତି ହେବା କଥା ତାହା ହୋଇ ପାରୁ ନାହିଁ। ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ନୀରବ ଦ୍ରଷ୍ଟା। ଅଞ୍ଚଳବାସୀ ଆନ୍ଦୋଳନାତ୍ମକ ପନ୍ଥାଗ୍ରହଣ ନକଲେ ମରାମତି ହୋଇ ପାରୁ ନାହିଁ। ଏହିଭଳି ଅବସ୍ଥା ଦେଖାଯାଇଛି ଲୋଇସିଂହା ବ୍ଲକ ରୁଗୁଡିଖାଲ ଛକରୁ ହିରାପୁର ଛକ ପର୍ଯ୍ୟନ୍ତ। ଅନେକ ସ୍ଥାନରେ ରାସ୍ତାରୁ ମେଟାଲ, ପିଚୁ ଉଠିଯାଇ ଖାଲ ହୋଇ ଯାଉ ଥିବାରୁ ଗାଡି ଚଳାଚଳ ବେଳେ ଡ୍ରାଇଭରମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛିନ୍ତି। ଗତ ବର୍ଷ ଏହି ରାସ୍ତାର ଅବସ୍ଥା ଏତେ ଶୋଚନୀୟ ହୋଇ ପଡିଥିଲା ଯେ, କୌଣସି ଗାଡି ଗଲା ପରେ ପଥର ଗୁଣ୍ଡ ଓ ଧୂଳି ଉଡୁଥିବା ଯୋଗୁଁ ପଛରେ କିଛି ଅଛି ତାହା ଦେଖା ଯାଉ ନ ଥିଲା। ବିଭାଗ ପକ୍ଷରୁ କିଛି ଦିନ ପାଇଁ ରାସ୍ତାରେ ପାଣି ଛିଞ୍ଚା ଯାଇଥିଲା। ବାରମ୍ବାର ଅନୁରୋଧ ସତ୍ବେ ମରାମତି ନହେବାରୁ ଲୋଇସିଂହାବାସୀ ବାଧ୍ୟ ହୋଇ ଆନ୍ଦୋଳନ କରିବା ପରେ ସଂପୂର୍ଣ୍ଣ ଭାବରେ ରାସ୍ତା ମରାମତି ହୋଇଥିଲା। ବର୍ଷକ ପରେ ପୁଣି ରାସ୍ତାରେ ଅନେକ ସ୍ଥାନରେ ପିଚୁ ମେଟାଲ ଉଠି ବଡବଡ ଗାତ ସବୁ ହୋଇଯାଇଛି। ଗତ ମାସଠାରୁ ବିିଭାଗ ପକ୍ଷରୁ ମରାମତି କରାଯାଉ ଥିଲେ ହେଁ ତାହା ନାମକୁ ମାତ୍ର। ରୁଗୁଡିଖାଲରୁ ଲୋଇସିଂହା ପର୍ଯ୍ୟନ୍ତ ମରାମତି ପରେ ମଧ୍ୟ ଅନେକ ସ୍ଥାନରେ ରାସ୍ତା ମଝିରେ ଖାଲ ସବୁ ରହିଛି। ଏହାବ୍ୟତୀତ ରାଜପଥର ଉଭୟ ପାର୍ଶ୍ବରେ ପ୍ରାୟ ଦେଢ ମିଟର ଲେଖାଏଁ ସମାନ୍ତରାଳ ଭାବେ ପାଦ ଚଲା ରାସ୍ତା ରହିବା କଥା। ମାତ୍ର ପିଚୁ ତଳକୁ ପ୍ରାୟ ପାଦଚଲା ରାସ୍ତା ନାହିଁ। ଲଟା ବୁଦାରେ ଭର୍ତ୍ତି ହୋଇ ରହିଛି। ପିଚୁ ରାସ୍ତା ତଳକୁ ପାଦଚଲା ମାଟି ରାସ୍ତା ଅନେକ ସ୍ଥାନରେ ଖାଲୁଆ ରହିଥିବାରୁ ସାଇକେଲ ଓ ବାଇକ୍ ଚାଳକ ଦୁର୍ଘଟଣାର ଶିକାର ହେଉଛନ୍ତି। ରାସ୍ତାର ଦୂରାବସ୍ଥା ସଂପର୍କରେ ସ୍ଥାନୀୟ ସରପଞ୍ଚ ସୁନୀଲ ଅଗ୍ରୱାଲା ନିଜ ପ୍ରତିକ୍ରିୟାରେ ରାସ୍ତା ମରାମତି ନାମରେ ଠିକାଦାର ପୋଷା ଚାଲିଛି ବୋଲି କଟାକ୍ଷ କରିଛନ୍ତି। ଜାତୀୟ ରାଜପଥ ବିଭାଗ ନିୟମିତ ଭାବରେ ଜାତୀୟ ରାଜପଥ ଓ ଉଭୟ ପାର୍ଶ୍ବରେ ପାଦଚଲା ରାସ୍ତାର ମରାମତି ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ ନକଲେ ଦୁର୍ଘଟଣା ବୃଦ୍ଧି ପାଇବ ବୋଲି ଅଞ୍ଚଳବାସୀ ମତ ଦେଇଛନ୍ତି।

Comments are closed.