ଗଙ୍ଗାକୁ ପ୍ରଦୂଷିତ କରୁଥିବା ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଉପରେ ୨୫ ଲକ୍ଷ ଲେଖାଏ ଜରିମାନା

ନୂଆଦିଲ୍ଲୀ: ଗଙ୍ଗା ନଦୀକୁ ବାରମ୍ବାର ପ୍ରଦୂଷିତ କରୁଥିବା ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ଉପରେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନଜିଟି) ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ନେଇ ଏନଜିଟି ଏହି ୩ଟି ରାଜ୍ୟକୁ ୨୫ ଲକ୍ଷ ଟଙ୍କା ଲେଖାଏ ଜରିମାନା ଲାଗୁ କରିଛନ୍ତି। ରାଜ୍ୟଗୁଡ଼ିକ ଦୂଷିତ ପାଣିକୁ ଟ୍ରିଟମେଣ୍ଟ ନ କରି ସିଧାସଳଖ ଗଙ୍ଗାକୁ ଛାଡ଼ୁଥିବାରୁ ନଦୀର ଦଳ ଦୂଷିତ ହେଉଛି। ତେଣୁ ଏନଜିଟି ଉପରୋକ୍ତ ୩ ରାଜ୍ୟକୁ ସିୱେଜ ପ୍ରକଳ୍ପ ନିର୍ମାଣ କରିବାକୁ ନିର୍ଦେଶ ଦେଇଥିଲେ ମଧ୍ୟ କୌଣସି ରାଜ୍ୟ ତାହାକୁ ପାଳନ କରିନାହାନ୍ତି। ବିହାର ବର୍ତ୍ତମାନ ସୁଦ୍ଧା ଗୋଟିଏ ହେଲେ ସିୱେଜ ପ୍ରକଳ୍ପ ଶେଷ କରି ନ ଥିବାବେଳେ ପଶ୍ଚିମବଙ୍ଗା ୨୨ଟିରୁ ୩ଟି ପ୍ରକଳ୍ପ ସମ୍ପୂର୍ଣ୍ଣ କରିଛି। ଝାଡ଼ଖଣ୍ଡ ବି ଆବଶ୍ୟକ ସଂଖ୍ୟକ ସୱେଜ ପ୍ରକଳ୍ପ କରିବାରେ ବିଫଳ ହୋଇଛି। ଏ ନେଇ ଏନଜିଟି ୩ ରାଜ୍ୟକୁ ନୋଟିସ ଜାରି କରିଥିଲେ ବି କୌଣସି ରାଜ୍ୟ ପକ୍ଷରୁ ପ୍ରତିନିଧି ହାଜର ହୋଇ ନ ଥିଲେ। ତେଣୁ ରାଜ୍ୟଗୁଡ଼ିକର ଆଭିମୁଖ୍ୟ ଉପରେ ଟ୍ରିବ୍ୟୁନାଲ ଅସନ୍ତୋଷ ପ୍ରକାଶ କରିବା ସହ ଏଭଳି ଗମ୍ଭୀର ମାମଲାରେ ସରକାରଙ୍କ ସମ୍ବେଦନହୀନତା ଚିନ୍ତାର ବିଷୟ ବୋଲି କହିଛନ୍ତି।

ସେହିପରି କ୍ରିକେଟ ପଡ଼ିଆରେ ପାନୀୟଜଳ ସିଞ୍ଚନ କରାଯାଉଥିବାରୁ ଏହା ଉପରେ ଏନଜିଟି ଚିନ୍ତାବ୍ୟକ୍ତ କରିଛନ୍ତି। ଏହା ସହିତ ଅଧ୍ୟକ୍ଷ ଜଷ୍ଟିସ ଆଦର୍ଶ କୁମାର ଗୋୟଲ ଏକ ବିଶେଷଜ୍ଞ କମିଟିକୁ ପାଣି ସଂରକ୍ଷଣ କରିବାକୁ ଉପାୟ ସମ୍ପର୍କରେ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି।

Comments are closed.