୨୦୨୨ ଜାନୁଆରୀରୁ ହୋଇପାରେ ଜନଗଣନା

ଭୁବନେଶ୍ୱର: କରୋନା ପାଇଁ ବନ୍ଦ ଥିବା ଜନଗଣନା ପ୍ରକ୍ରିୟା ୨୦୨୨ ଜାନୁଆରୀରୁ ଆରମ୍ଭ ହେବା ନେଇ ସବୁଜ ସଙ୍କେତ ମିଳିଛି। ଭାରତର ରେଜିଷ୍ଟ୍ରାର ଜେନେରାଲ ତଥା ଜନଗଣନା ଆୟୁକ୍ତ ଏବଂ ରାଜ୍ୟରେ ଅବସ୍ଥାପିତ ଜନଗଣନା ନିର୍ଦେଶକଙ୍କ ପତ୍ର ଆଧାରରେ ରାଜ୍ୟ ସରକାର ପ୍ରଶାସନିକ ପ୍ରକ୍ରିୟା ଆରମ୍ଭ କରିବାକୁ ରାଜସ୍ୱ ବିଭାଗ ମଙ୍ଗଳବାର ବିଜ୍ଞପ୍ତି ଜାରି କରିଛି। ଡିସେମ୍ବର ୩୧ ମଧ୍ୟରେ ରାଜ୍ୟ ସରକାର ଚାହୁଁଥିବା ଜିଲା, ଉପଖଣ୍ଡ, ତହସିଲ, ରାଜସ୍ୱ ଗ୍ରାମ ଏବଂ ପୌରାଞ୍ଚଳର ପ୍ରଶାସନିକ ସୀମା ପରିବର୍ତ୍ତନ କରି ଆୟୁକ୍ତଙ୍କୁ ଜଣାଇବାକୁ ରାଜସ୍ୱ ବିଭାଗ ପକ୍ଷରୁ ସମସ୍ତ ବିଭାଗୀୟ ମୁଖ୍ୟ, ରାଜସ୍ବ ଆୟୁକ୍ତ (ଆରଡିସି), ଜିଲାପାଳ, ଉପଜିଲାପାଳ, ତହସିଲଦାର ଓ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଯାଇଛି। ନିର୍ଦ୍ଧାରିତ ସମୟସୀମା ପରେ ଏହି କାର୍ଯ୍ୟ କରାଯାଇପାରିବ ନାହିଁ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

ସୂଚନାଯୋଗ୍ୟ ଯେ ୨୦୨୦ ଆରମ୍ଭରୁ ଜନଗଣନା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେହିବର୍ଷ ଏପ୍ରିଲ ୧୬ ତାରିଖରୁ ମେ ୩୧ ପର୍ଯ୍ୟନ୍ତ ଗୃହ ଗଣନା ଏବଂ ୨୦୨୧ ଫେବୃଆରୀରୁ ମୁଣ୍ଡଗଣତି କରାଯାଇ ମାର୍ଚ୍ଚ ଶେଷ ସୁଦ୍ଧା ପ୍ରାଥମିକ ତାଲିକା ପ୍ରକାଶ ପାଇଥାନ୍ତା। କରୋନା ଯୋଗୁଁ କାର୍ଯ୍ୟ ବନ୍ଦ ରହିଥିଲା। ୨୦୨୨ ପ୍ରଥମ ଭାଗରୁ ପ୍ରକ୍ରିୟା ଆରମ୍ଭ ହୋଇ ୨୦୨୩ ମାର୍ଚ୍ଚ ଶେଷ ବେଳକୁ ଜନଗଣନାର ପ୍ରାଥମିକ ତାଲିକା ପ୍ରକାଶ ପାଇବ ବୋଲି ନିର୍ଦେଶକ ପ୍ରେମାନନ୍ଦ ଖୁଣ୍ଟିଆ ସୂଚନା ଦେଇଛନ୍ତି। ଜନଗଣନା ପାଇଁ ପ୍ରକ୍ରିୟା ଆରମ୍ଭ ପୂର୍ବରୁ ରାଜ୍ୟର ତହସିଲ, ବ୍ଲକ, ପୌରାଞ୍ଚଳ ଆଦିରେ କିଛି ଗ୍ରାମ ମିଶାଇବା ବା ବାଦ ଦେବା ଆବଶ୍ୟକ ପଡୁଥିଲେ ତାହା ଡିସେମ୍ବର ୩୧ ସୁଦ୍ଧା ସରକାର କରିପାରିବେ। ଏହି ସମୟ ଭିତରେ ସମସ୍ତ ପ୍ରଶାସନିକ ସୀମା ପରିବର୍ତ୍ତନ କରାଯାଇପାରିବ। ନୂଆ ଜିଲା, ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ, ତହସିଲ, ବ୍ଲକ ଆଦି ଘୋଷଣା କରିବାର ଥିଲେ ତାହା କରାଯାଇପାରିବ ବୋଲି ରାଜସ୍ୱ ବିଭାଗ ପ୍ରମୁଖ ସଚିବଙ୍କ ସ୍ୱାକ୍ଷରରେ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

Comments are closed.