କୃଷକ ଆନ୍ଦୋଳନ : କେନ୍ଦ୍ର ସରକାର-କୃଷକ ସଙ୍ଗଠନ ମଧ୍ୟରେ ଆଜି ଆଉ ଏକ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ :  କେନ୍ଦ୍ର ସରକାର ଏବଂ ବିଭିନ୍ନ କୃଷକ ସଙ୍ଗଠନ ମଧ୍ୟରେ ଆଜି ଅର୍ଥାତ ସୋମବାର  ନୂଆଦିଲ୍ଲୀରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ହେବ। ଗତମାସ ୩୦ ତାରିଖରେ ଦୁଇ ପକ୍ଷଙ୍କ ମଧ୍ୟରେ ଷଷ୍ଠ ପର୍ଯ୍ୟାୟ ଆଲୋଚନା ହୋଇଥିଲା। ଆଲୋଚନା ସମୟରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଚାଷୀମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ କରିବା ଲାଗି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସଙ୍ଗଠନଗୁଡ଼ିକୁ ଆଶ୍ୱାସନା ଦେଇଥିଲେ। ତେବେ ଏହାର ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ଲାଗି ଉଭୟ ପକ୍ଷ ଆଗେଇ ଆସିବା ଉଚିତ ବୋଲି ସେ କହିଥିଲେ। ଶ୍ରୀ ତୋମାର କହିଥିଲେ, କୃଷକ ସଙ୍ଗଠନ
ପକ୍ଷରୁ ଉତ୍‍ଥାପିତ କରାଯାଇଥିବା ୪ଟି ପ୍ରସଙ୍ଗ ମଧ୍ୟରୁ ୨ଟି ଉପରେ ସହମତି ପ୍ରକାଶ ପାଇଛି। ପ୍ରଥମଟି ହେଉଛି – ପରିବେଶ ଜନିତ ଅଧ୍ୟାଦେଶ ଏବଂ ଦ୍ୱିତୀୟଟି ବିଦ୍ୟୁତ୍‍ ଆଇନ। ସେହିଭଳି ଗତ ବୈଠକରେ ମଣ୍ଡି ବ୍ୟବସ୍ଥା ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ପୂର୍ବଭଳି ଚାଲୁ ରହିବ ବୋଲି କୃଷିମନ୍ତ୍ରୀ କୃଷକ ସଙ୍ଗଠନ ପ୍ରତିନିଧିମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ତେବେ ସଙ୍ଗଠନ ପକ୍ଷରୁ ସର୍ବନିମ୍ନ ସହାୟକ ମୂଲ୍ୟ ସମ୍ପର୍କିତ ଏକ ବିଧେୟକ ଆଣିବାକୁ ଦାବି କରାଯାଇଥିଲା। ଏଥିସହିତ ଉତ୍ପାଦିତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ବଜାର ଦର ମଧ୍ୟରେ ରହୁଥିବା ପାର୍ଥକ୍ୟଜନିତ ସମସ୍ୟାର ସମାଧାନ ଲାଗି ପରବର୍ତ୍ତୀ ସମୟରେ ଗଠିତ ହେବାକୁ ଥିବା ଏକ କମିଟି ନିକଟକୁ ପଠାଇବା ଲାଗି ମଧ୍ୟ ସଙ୍ଗଠନ ଦାବି କରିଥିଲା। ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର କାର୍ଯ୍ୟକାରୀ କରୁଥିବା କୃଷି ଆଇନଗୁଡ଼ିକୁ ରଦ୍ଦ କରିବାକୁ ସଙ୍ଗଠନ ପକ୍ଷରୁ ହେଉଥିବା ଦାବି ପରିପ୍ରେକ୍ଷୀରେ କୃଷିମନ୍ତ୍ରୀ କହିଛନ୍ତି, ଚାଷୀମାନଙ୍କର କଲ୍ୟାଣକୁ ଦୃଷ୍ଟିରେ ରଖି ଏହି ଆଇନଗୁଡ଼ିକର
ସାମ୍ବିଧାନିକ ବୈଧତା ସମ୍ପର୍କରେ ଅଧିକ ତର୍ଜମା କରିବା ଲାଗି ଏହାକୁ ମଧ୍ୟ ସମ୍ପୃକ୍ତ କମିଟି ନିକଟକୁ ପଠାଯାଇପାରେ। ତେବେ ସରକାର ଚାଷୀମାନଙ୍କର ସମସ୍ତ ପ୍ରକାର ସମସ୍ୟାକୁ ଖୋଲା ହୃଦୟରେ ସମାଧାନ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ତୋମାର ସଙ୍ଗଠନ ପ୍ରତିନିଧିମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ଏହି ଅବସରରେ କେନ୍ଦ୍ରୀୟ ନେତୃବୃନ୍ଦ ମଧ୍ୟ ଏ ସମ୍ପର୍କିତ ସେମାନଙ୍କର ପ୍ରସ୍ତାବ ଦେବା ଲାଗି କୃଷିମନ୍ତ୍ରୀ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ସେହି ପ୍ରସ୍ତାବଗୁଡ଼ିକ ଉପରେ ସରକାର ଉପଯୁକ୍ତ ତର୍ଜମା ଓ ଆଲୋଚନା କରିବା ସହ ଚାଷୀମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ଉପଯୁକ୍ତ ପଦକ୍ଷେପ ନେବେ। କୃଷକ ସଙ୍ଗଠନଗୁଡ଼ିକ ଶୃଙ୍ଖଳିତ ତଥା ଶାନ୍ତିପୂର୍ଣ୍ଣ ଭାବେ ନିଜର ଆନ୍ଦୋଳନ କରୁଥିବାରୁ ଶ୍ରୀ ତୋମାର ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Comments are closed.