ଖବରକାଗଜ ସୁରକ୍ଷିତ, ବିନା ବାଧାରେ ଲୋକଙ୍କ ଘରେ ପହଞ୍ଚୁ; ସବୁ ରାଜ୍ୟକୁ କେନ୍ଦ୍ରର ସର୍କୁଲାର

ନୂଆଦିଲ୍ଲୀ: ଖବରକାଗଜ ସୁରକ୍ଷିତ। ଖବରକାଗଜ ଦ୍ବାରା କରୋନା ଭୂତାଣୁ ବ୍ୟାପେ ନାହିଁ। ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ)ର ଗାଇଡ୍‌ଲାଇନକୁ ଆଧାର କରି କେନ୍ଦ୍ର ସରକାର ମଙ୍ଗଳବାର ଏହା ସ୍ପଷ୍ଟ କରିଛନ୍ତି। ଏହା ସହିତ ଲୋକଙ୍କ ନିକଟରେ କିପରି ଖବରକାଗଜ ନିର୍ବିଘ୍ନରେ ପହଞ୍ଚି ପାରିବ ସେ ଦିଗରେ ସହାୟତା କରିବାକୁ କେନ୍ଦ୍ର ସରକାର ସବୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ସର୍କୁଲାର ଜାରି କରିଛନ୍ତି। ରାଜ୍ୟ ମୁଖ୍ୟ ସଚିବମାନଙ୍କୁ ଏହି ସର୍କୁଲାର ପଠାଯାଇଥିବା ଜଣାପଡ଼ିଛି।

ବର୍ତ୍ତମାନ କରୋନା ଭୂତାଣୁ ବ୍ୟାପୁଥିବାରୁ ଲୋକେ ଘରୁ ବାହାରକୁ ବାହାରୁ ନାହାନ୍ତି। ଏପରି କି ଭୂତାଣୁ ବ୍ୟାପିବା ଭୟରେ ଖବରକାଗଜ ମଗାଇବା ମଧ୍ୟ ବନ୍ଦ କରିଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଖବରକାଗଜ ସୁରକ୍ଷିତ ବୋଲି କହିଛନ୍ତି। ଏଭଳି ସମ୍ବେଦନଶୀଳ ସମୟରେ ଲୋକମାନେ ସଠିକ୍‌ ତଥ୍ୟ ଏବଂ ସର୍ବଶେଷ ଖବର ବିଷୟରେ ଜାଣିବା ଲାଗି  ଖବରକାଗଜ ଯୋଗାଣ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। ତେଣୁ ଛାପା ଏବଂ ବୈଦ୍ୟୁତିକ ଗଣମାଧ୍ୟମର କାର୍ଯ୍ୟକୁ ଗୁରୁତ୍ଵପୂର୍ଣ୍ଣ ଦର୍ଶାଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ଏହି ସେବାକୁ ସୁବିଧାଜନକ କରାଇବାକୁ ସର୍କୁଲାର ଜାରି କରିଛନ୍ତି। ସର୍କୁଲାରରେ କୁହାଯାଇଛି, ଗଣମାଧ୍ୟମ ସଂସ୍ଥାଗୁଡ଼ିକ କେବଳ ଉପଯୁକ୍ତ ଭାବେ କାର୍ଯ୍ୟ କରିବା ଓ ଗୁରୁତ୍ଵପୂର୍ଣ୍ଣ ଖବର ପ୍ରକାଶନ ତଥ ପ୍ରସାରଣ କରିବା ନିତାନ୍ତ ଜରୁରୀ ନୁହେଁ, ବରଂ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ଲୋକଙ୍କୁ ସଠିକ୍‌ ତଥ୍ୟ ପ୍ରଦାନ କରିବା, ଅପଡେଟେଡ୍‌ ଖବର ପ୍ରସାରଣ କରିବା ଏବଂ ମିଥ୍ୟା ଓ ଗୁଜବକୁ ଅଟକାଇବାରେ ମଧ୍ୟ ବଡ଼ ଭୂମିକା ଗ୍ରହଣ କରିପାରିବ। ସୂଚନାଯୋଗ୍ୟ, ଲକ୍‌ଡାଉନ ସମୟରେ ଗଣମାଧ୍ୟମ କିପରି ସୂଚାରୁରୂପେ କାର୍ଯ୍ୟ କରିପାରିବ ସେଥିଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଅତ୍ୟାବଶ୍ୟକ ସେବା ତାଲିକାଭୁକ୍ତ କରିଥିଲେ।

Comments are closed.