କଲ ଡ୍ରପକୁ ଧିର ଇଣ୍ଟରନେଟ ଯୋଗୁଁ ଗ୍ରାହକ ହଟହଟା, ରାତି ୮ଟାରୁ ରିଲାଏନ୍ସ ଜିଓ ଠପ

ସମ୍ବଲପୁର: ସମ୍ବଲପୁର ଜିଲାରେ ମୋବାଇଲ ଓ ଇନ୍ଟରନେଟ ସେବା ପ୍ରଦାନକାରୀ ସଂସ୍ଥା ଗୁଡିକର ସେବା ଦିନ କୁ ଦିନ ତଳଗାମି ହେବାରେ ଲାଗିଛି। ଗତ କିଛି ମାସ ହେବ ସହର ତଥା ଜିଲାର ବିଭିନ୍ନ ଅଞ୍ଚଳରେ ପ୍ରାୟତଃ ସବୁ ମୋବାଇଲ ଓ ଇନ୍ଟରନେଟ ସେବା ପ୍ରଦାନ କରୁଥିବା ସରକାରୀ ଓ ବେସରକାରୀ ସଂସ୍ଥା ଗୁଡିକର ସେବାରେ ଗୁରୁତର ବିଭ୍ରାଟ ଦେଖିବାକୁ ମିଳୁଛି। ଏଣୁ ଗ୍ରାହକ ଅହେତୁକ ହନ୍ତସନ୍ତ ଓ ମାନସିକ ଯନ୍ତ୍ରଣା ସହିତ ହରିଲୁଟର ଶିକାର ହେଉଛନ୍ତି। ଓଡ଼ିଶାରେ ଏବେ ସର୍ବବୃହତ ନେଟୱର୍କର ଦାବି କରୁଥିବା ରିଲାଏନ୍ସ ଜିଓ କମ୍ପାନୀ ଅନ୍ୟ ଦୂର ସଂଚାର କମ୍ପାନୀ ଗୁଡିକ ସହିତ ସେବା ଦେଉଛନ୍ତି। କିନ୍ତୁ ଗୋଟିଏ ମୋବାଇଲ ନେଟୱର୍କରୁ ଆଉ ଗୋଟିଏ ନେଟୱର୍କକୁ କଲ କଲେ ସହଜରେ ନ ଲାଗିବା, କଲ ଡ୍ରପ ହେବା, କଲ ୱାନ ସାଇଡ ହେବା, କ୍ଲିୟର ଭୟସ ନ ଆସିବା, କଲ ଭଏସ ଅଫ ଡାଉନ ହେବା ଜିଓ ନେଟୱର୍କରେ ଏକ ସାଧାରଣ ଘଟଣାରେ ପରିଣତ ହୋଇସାରିଲାଣି।

ସମସ୍ତ ପ୍ରକାରର ଇନ୍ଟରନେଟ ସେବା, ପ୍ରଦାନକାରୀ କମ୍ପାନୀ ଗୁଡିକଙ୍କ ଦାବି ଅନୁରୂପ କାର୍ଯ୍ୟ ନ କରି ଧିରମନ୍ଥର ଗତିରେ ଚାଲିବା ଦ୍ୱାରା ଗ୍ରାହକ ମାନେ ଅହେତୁକ ମାନସିକ ଯନ୍ତ୍ରଣା ସହିତ ସେମାନଙ୍କର କାର୍ଯ୍ୟରେ ବହୁ ବିଳମ୍ବ ହେଉଥିବାରୁ ମୂଲ୍ୟବାନ ସମୟ ଅପଚୟ ହେଉଛି। ଏଭଳି ସମୟରେ ଶନିବାର ସନ୍ଧ୍ୟାରୁ ରିଲାଏନ୍ସ ଜିଓ ର ଫାଇବର ଇନ୍ଟରନେଟ ସେବା ଧିରମନ୍ଥର ଗତିରେ ଚାଲୁଥିବା ବେଳେ ଅଚାନକ ରାତ୍ର ୮ଟା ସମୟରେ ସମ୍ପୁର୍ଣ୍ଣ ରୁପେ ଠପ ହୋଇଯାଇଛି। ସମ୍ବଲପୁର ଠାରେ କମ୍ପାନୀର କାର୍ଯ୍ୟାଳୟ, ପ୍ରତିନିଧି କିମ୍ବା ଅଭିଯୋଗ କେନ୍ଦ୍ର ନ ଥିବା ବେଳେ ଇନ୍ଟରନେଟ ମାଧ୍ୟମରେ କେବଳ ଏକ ଟୋଲ ଫ୍ରି ନମ୍ବର ସମସ୍ତଙ୍କୁ ଯୋଗାଇ ଦିଆଯାଇଛି। ଫଳରେ ଗ୍ରାହକ ମାନେ ଇନ୍ଟରନେଟ ସେବା ନ ପାଇ ଗ୍ରାହକ ସେବା କେନ୍ଦ୍ରକୁ ଫୋନ କରିବାରୁ ଯାନ୍ତ୍ରିକ ତ୍ରୁଟି ଦର୍ଶାଇ ରାତ୍ର ୧୨ଟା ପରେ ଯାଇ ଅଞ୍ଚଳର ଇନ୍ଟରନେଟ ସେବା ପୁନଃ କାର୍ଯ୍ୟକ୍ଷମ ହେବ ବୋଲି ଗ୍ରାହକ ସେବା କର୍ମଚାରୀ ସୁଚନା ଦେଇଛନ୍ତି। ଫଳରେ ଶନିବାର ସନ୍ଧ୍ୟା ସମୟରେ ଲୋକେ ନିଜର ଜରୁରୀକାଳୀନ ସେବା ପାଇ ନ ପାରି ବ୍ୟାପକ ହନ୍ତସନ୍ତ ହେବା ସହିତ କଣ କରିବେ ଚିନ୍ତାରେ ରହିଛନ୍ତି। ଅପରପକ୍ଷରେ ଦିନର ବ୍ୟସ୍ତତମ ସମୟ ଗୁଡିକରେ ନେଟୱର୍କ ଜାମ ରହିବା ଏବଂ କଲ ଡ୍ରପ ଆଦି ବିଭିନ୍ନ ସମସ୍ୟା ସମସ୍ତଙ୍କୁ ବିସ୍ମିତ କରୁଛି। ପୋଷ୍ଟ ପେଡ ଗ୍ରାହକ ଅପେକ୍ଷା ପ୍ରିପେଡ ଗ୍ରାହକ ସଂଖ୍ୟା ଢ଼େର ଅଧିକ ଥିବା ବେଳେ ଆଗୁଆ ଟଙ୍କା ନେଇ ସେବା ଠିକ ଭାବରେ ସେବା ଦିଆଯାଉ ନ ଥିବା ଯୋଗୁଁ ଲୋକେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେବା ସହିତ ସେମାନଙ୍କୁ କମ୍ପାନୀ ମାନଙ୍କ ଦ୍ୱାରା ଠକେଇର ଶିକାର ହେଉଥିବାର ଅନୁଭବ କରୁଛନ୍ତି। ଏଣୁ ସବୁ ଗ୍ରାହକ ମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ମୋବାଇଲ ନେଟୱର୍କ ଜନିତ ସମସ୍ୟା ଗୁଡିକ ସାମାଧାନ ନାମରେ କିଛି ପଦକ୍ଷେପ ନିଆଯାଉ ନାହିଁ। ଏଣୁ ତୁରନ୍ତ ମୋବାଇଲ ଓ ଇନ୍ଟରନେଟ ସେବା ଗୁଡିକର ସମସ୍ୟା ଗୁଡିକୁ ତୁରନ୍ତ ସମାଧାନ କରାଯାଉ ବୋଲି ଗ୍ରାହକ ମାନେ ଦାବି କରୁଛନ୍ତି।

ସୂଚନାଯୋଗ୍ୟ ଯେ, ଆଜିର ଯୁଗ ହେଉଛି ସୂଚନା ଓ ପ୍ରଯୁକ୍ତିର ଯୁଗ। ସୂଚନା କ୍ରାନ୍ତି ଯୋଗୁଁ ଲୋକେ ବିଶ୍ୱର ଗୋଟିଏ କୋଣରେ ବସିଥାଇ ଅନ୍ୟ କୋଣରେ ଥିବା ବ୍ୟକ୍ତି ଙ୍କ ନିକଟକୁ ମାତ୍ର କେଇ ସେକେଣ୍ଡ ମଧ୍ୟରେ ବିଭିନ୍ନ ସୂଚନା ପଠାଇବା ସହିତ ସିଧାସଳଖ କଥାବାର୍ତ୍ତ ମଧ୍ୟ ହୋଇ ପାରୁଛନ୍ତି। ଏହି ସୁଚନା ଓ ପ୍ରଯୁକ୍ତି କ୍ରାନ୍ତି ଦ୍ୱାରା ବିଶ୍ୱକୁ ମୋବାଇଲ ଓ ଇନ୍ଟରନେଟ ଦ୍ୱାରା ହାତମୁଠାରେ ରଖୁଥିବା ଆଜିର ମନୁଷ୍ୟ, କିନ୍ତୁ ଏହା ଦ୍ୱାରା ନିଜେ ମଧ୍ୟ ବାନ୍ଧି ହୋଇଗଲାଣି। ଅବସ୍ଥା ଏଭଳି ହେଲାଣି ଯେ ଜଣେ ବ୍ୟକ୍ତି ଦୁଇ ଘଣ୍ଟା ପାଣି ନ ପିଇ ରହିଯିବ, କିନ୍ତୁ ଦୁଇ ଘଣ୍ଟା ମୋବାଇଲ ଓ ଇନ୍ଟରନେଟ ବିନା ରହିବା ଏକ ପ୍ରକାର ଅସମ୍ଭବ। ଏଣୁ ଆଜିର ଡିଜିଟାଲ ଯୁଗରେ ମୋବାଇଲ ଓ ଇନ୍ଟରନେଟ ମନୁଷ୍ୟର ଏକ ଅବିଚ୍ଛେଦ ଅଙ୍ଗ ଭାବରେ ଉଭା ହୋଇଛି। କିନ୍ତୁ ଦିନକୁ ଦିନ ଉନ୍ନତମାନର ସେବା ଯୋଗାଇ ଦେବାର ନୁଆ ନୁଆ ଭେଳିକି ଦେଖାଇ ନୁତନ ଗ୍ରାହକ ଯୋଡୁଥିବା ଦେଶର ମୋବାଇଲ ସେବା ପ୍ରଦାନକାରୀ ସଂସ୍ଥା ଗୁଡିକ ସେଭଳି ଆଖିଦୃଶିଆ ସଫଳ ସେବା ଦେବାରେ ବାରମ୍ବାର ବିଫଳ ରହୁଛନ୍ତି। ଏଥି ପାଇଁ ଟେଲିକମ ରେଗୁଲେଟାରୀ ଅଥରିଟି ଅଫ ଇଣ୍ଡିଆ ବହୁବାର ମୋବାଇଲ ସେବା ପ୍ରଦାନକାରୀ ସଂସ୍ଥା ମାନଙ୍କୁ ତାଗିଦ, ନୋଟିସ କରିବା ସହିତ ଜରିମାନା ମଧ୍ୟ କରିସାରିଛନ୍ତି। କିନ୍ତୁ ପରିତାପର ବିଷୟ ଯେ, ମୋବାଇ କମ୍ପାନୀ ଗୁଡିକ ସୁଧରିବାର ନାମ ନେଉ ନାହାନ୍ତି କି ସେବାରେ ମଧ୍ୟ କୌଣସି ସୁଧାର ପରିଲକ୍ଷିତ ହେଉ ନାହିଁ। ମୋବାଇଲ ଗ୍ରାହକ ଦିନକୁ ଦିନ ବଢ଼଼ୁଥିବା ବେଳେ ଗ୍ରାହକ ଅନୁରୁପ ଭାବରେ ଉନ୍ନତ ସେବାରୁ ବଞ୍ଚିତ ହେବା ସହ ମୋବାଇଲ ସେବା ପ୍ରଦାନକାରୀ ସଂସ୍ଥା ମାନଙ୍କ ଦ୍ୱାରା ହରିଲୁଟର ଶିକାର ହେଉଛନ୍ତି।

Comments are closed.