ଆଜିଠୁ ସବୁ ରବିବାର ଦର୍ଶନ ବନ୍ଦ : ବାହାର ଭକ୍ତଙ୍କ ପାଇଁ ଲାଗିପାରେ କଟକଣା

ଶ୍ରୀମନ୍ଦିର ପ୍ରଶାସନର ନୂଆ ବ୍ୟବସ୍ଥାବଳୀ

ପୁରୀ : ଶ୍ରୀଜୀଉମାନଙ୍କ ଦର୍ଶନ ଲାଗି ନୂଆ ଦର୍ଶନ ବ୍ୟବସ୍ଥାବଳୀ ଶନିବାର ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। ସବୁ ରବିବାର ସର୍ବସାଧାରଣ ଦର୍ଶନ ବନ୍ଦପାଇଁ ସ୍ଥିର କରାଯାଇଛି। ରବିବାର ସମେତ ସପ୍ତାହରେ ଦୁଇଦିନ ଶ୍ରୀମନ୍ଦିର ଭିତର ଏବଂ ବାହାର ବିଶୋଧନ କରାଯିବ। ଠାକୁରଙ୍କ ଦର୍ଶନ ବନ୍ଦ ପରେ ରାତିରେ ବିଶୋଧନ ପାଇଁ ପ୍ରଶାସନ ସ୍ଥିର କରିଛି। କରୋନା କଟକଣା କଡାକଡି ପାଳନ ପାଇଁ ବ୍ୟବସ୍ଥାବଳୀରେ ଭକ୍ତଙ୍କୁ ପରାମର୍ଶ ଦିଆଯାଇଛି। ବ୍ୟାରିକେଡ୍‌ ଭିତରେ ଓ ଠାକୁରଙ୍କୁ ଦର୍ଶନ ବେଳେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବ ପାଳନ ବାଧ୍ୟତାମୂଳକ କରାଯାଇଛି।
ଏହାଛଡା ରାଜ୍ୟ ବାହାର ଲୋକଙ୍କ ପାଇଁ ସରକାର ଯଦି କୌଣସି କଟକଣା ଜାରି କରନ୍ତି ଶ୍ରୀମନ୍ଦିରରେ ତାହାକୁ ପାଳନ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର ପ୍ରକାଶ କରିଛନ୍ତି। ରବିବାର ବ୍ୟତୀତ ଅନ୍ୟଦିନ ଗୁଡିକ ସକାଳ ୬ଟାରୁ ଠାକୁରଙ୍କ ଦର୍ଶନ ଆରମ୍ଭ ହେବ। ରବିବାର ଦର୍ଶନ ବନ୍ଦ କଟକଣା ଆସନ୍ତାକାଲି ଠାରୁ କାର୍ଯ୍ୟକାରୀ ହେବ। ଗତମାସ ୨୩ତାରିଖରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଗୃହୀତ ନିଷ୍ପତ୍ତି ଅନୁଯାୟୀ ଏଭଳି କଟକଣା ଜାରି କରାଯାଇଛି। ଦର୍ଶନ ବ୍ୟବସ୍ଥାବଳୀ ସମୀକ୍ଷା କରାଯାଇ କରୋନା ବିପତ୍ତି ପରିଚାଳନାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ମନ୍ଦିର ପ୍ରଶାସନ ନିଷ୍ପତ୍ତି ଗ୍ରହଣ କରିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ଦର୍ଶନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ପାଇଁ ଶନିବାର ଏକ ବୈଠକ ମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ପ୍ରଶାସକ ଡଃ କୁମାର ସେଥିରେ ଅଧ୍ୟକ୍ଷତା କରିଥିଲେ। ଜିଲାପାଳ ସମର୍ଥ ବର୍ମା, ଏସ୍‌ପି କନୱର ବିଶାଲ ସିଂହ, ପ୍ରଶାସକ (ନୀତି) ଜିତେନ୍ଦ୍ର କୁମାର ସାହୁ, ପ୍ରଶାସକ (ଉନ୍ନୟନ) ଅଜୟ କୁମାର ଜେନା ପ୍ରମୁଖ ସେଥିରେ ଉପସ୍ଥିତ ଥିଲେ। ବର୍ତ୍ତମାନ ପାଇଁ କେବଳ ରବିବାର ସର୍ବସାଧାରଣ ଦର୍ଶନ ବନ୍ଦ ଲାଗି ସ୍ଥିର ହୋଇଛି। ସ୍ବତନ୍ତ୍ର ରିଲିଫ କମିସନରଙ୍କ ପରବର୍ତ୍ତୀ ନିର୍ଦେଶନାମାକୁ ଭିତ୍ତିକରି ମନ୍ଦିର ପ୍ରଶାସନ ଆବଶ୍ୟକୀୟ ନିଷ୍ପତ୍ତି ଗ୍ରହଣ କରିବ ବୋଲି ପ୍ରଶାସକ(ନୀତି) ଶ୍ରୀ ସାହୁ ଗଣମାଧ୍ୟମକୁ କହିଛନ୍ତି।

Comments are closed.