ସମାଜସେବୀଙ୍କ ସ୍ମୃତିରେ ଶିଶୁ ପତ୍ରିକା ଉନ୍ମୋଚିତ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନଏସି ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ସମାଜସେବୀ ସ୍ବର୍ଗତ ବିପିନ ବିହାରୀ ପଧାନଙ୍କ ସ୍ମୃତିରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୁଗପୋଯୋଗୀ ଶିଶୁ ପତ୍ରିକା ସୁବର୍ଣ୍ଣ ଦୀପର ଆଗାମୀ ରଜ ଓ ରଥ ସଂଖ୍ୟା ଉନ୍ମୋଚିତ ହୋଇ ଯାଇଛି। ବିଦ୍ୟାଳୟର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପତ୍ରିକାର ସମ୍ପାଦକ ପ୍ରଦୀପ୍ତଭାନୁ ମହାନ୍ତି ପତ୍ରିକା ସମ୍ପାଦନାର ବିବରଣୀ ଉପସ୍ଥାପନ କରିଥିଲେ। ମୁଖ୍ୟ ଅତିଥି ଭାବେ ବରଗଡ଼ର ଯୁବ ଆଇନଜୀବୀ କିରଣ କୁମାର ମିଶ୍ର, ସମ୍ମାନୀତ ଅତିଥି ଭାବେ ସ୍କୁଲର ପ୍ରଧାନ ଶିକ୍ଷକ ଟିକେଲାଲ ଚାନ୍ଦ, ସ୍କୁଲ ସଭାପତି ଶେଷଦେଵ ନାୟକ ପ୍ରମୁଖ ଯୋଗଦେଇ ପତ୍ରିକାର ଉପାଦେୟତା ଉପରେ ବିସ୍ତୃତ ଆଲୋଚନା କରିଥିଲେ।

ମୁଖ୍ୟ ବକ୍ତା ଭାବେ ପଣ୍ଡିତ ଗୋପବନ୍ଧୁ ପୁରୋହିତ ଯୋଗ ଦେଇ ଶିଶୁ ଓ କିଶୋରମାନଙ୍କ ମଧ୍ୟରେ ରହିଥିବା ଅନ୍ତର୍ନିହିତ ପ୍ରତିଭାକୁ ଲୋକାଭିମୁଖୀ କରିବାର ଏକ ଉତ୍କୃଷ୍ଟ ମାଧ୍ୟମ ହେଉଛି ପତ୍ରିକା, ଆଉ ପତ୍ରିକାର ପାଠକୀୟ ଆଦୃତି ହି ପତ୍ରିକାର ସଫଳତା ବୋଲି ମତବ୍ୟକ୍ତ କରିଥିଲେ। ଏହି ଅଵସରରେ ସମାଜସେବୀ ସ୍ୱର୍ଗତ ବିପିନ ବିହାରୀ ପ୍ରଧାନ ସ୍ମୃତି କମିଟି ଆନୁକୂଲ୍ୟରେ ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ରକୁ ଉତ୍ତମ ପରୀକ୍ଷା ଫଳ ପାଇଁ ଓ ଛାତ୍ର ବିବେକରାଜ ସାହୁଙ୍କୁ ସର୍ବାଧିକ ମାର୍କ ରଖିଥିବାରୁ ସ୍ୱତନ୍ତ୍ର ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଜାତୀୟ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରଗଡ଼ ଭିଏସଏସ ନଗର ନିବାସୀ ଅନୁପମା ଘିବିଲା ଓ ଅରୁଣା ଘିବିଲାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Comments are closed.