ଓଡ଼ିଶା ଏକ ଉତ୍କୃଷ୍ଟ ହସ୍ତଶିଳ୍ପ କଳାର ରାଜ୍ୟ, ଟେରାକୋଟା ସାମଗ୍ରୀ ଉତ୍ପାଦିତ କରନ୍ତି ପାରମ୍ପରିକ କୁମ୍ଭକାର ଓ ପ୍ରଶିକ୍ଷଣପ୍ରାପ୍ତ କାରିଗର
ପଞ୍ଚଦଶ ମୃତ୍ତିକା ହସ୍ତଶିଳ୍ପ ‘ମୃତ୍ତିକା-୨୦’ ପ୍ରଦର୍ଶନୀ ଉଦ୍ଘାଟିତ

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଆଜି ସନ୍ଧ୍ୟା ୬ ଘଟିକା ସମୟରେ ଭର୍ଚୁଆଲ୍ ମୋଡ୍ରେ ପଞ୍ଚଦଶ ମୃତ୍ତିକା ହସ୍ତଶିଳ୍ପ ‘ମୃତ୍ତିକା-୨୦’ ପ୍ରଦର୍ଶନୀର ଶୁଭ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ପଦ୍ମିନୀ ଦିଆନ୍ କହିଛନ୍ତି ଯେ ଆମ ଓଡ଼ିଶା ଏକ ଉତ୍କୃଷ୍ଟ ହସ୍ତଶିଳ୍ପ କଳାର ରାଜ୍ୟ। ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ୫୦ଟି ହସ୍ତଶିଳ୍ପକୁ ଆଧାର କରି ୧ ଲକ୍ଷ ୩୦ ହଜାରରୁ ଊର୍ଦ୍ଧ୍ୱ କାରିଗରମାନେ ବିଭିନ୍ନ ସାମଗ୍ରୀ ଉତ୍ପାଦନ କରୁଛନ୍ତି। ହସ୍ତଶିଳ୍ପ କଳାକୃତି ପାଇଁ ଆମ ରାଜ୍ୟ ଓଡ଼ିଶା ବହୁସଂଖ୍ୟାରେ ଜାତୀୟ ସ୍ତରୀୟ ପୁରସ୍କାର ପ୍ରାପ୍ତ ହେବାର ଗୌରବ ଅର୍ଜନ କରିଛି। ଅଦ୍ୟାବଧି ୧୬୮ ଜଣ ହସ୍ତଶିଳ୍ପୀ ଜାତୀୟ ପୁରସ୍କାର ପ୍ରାପ୍ତ ହୋଇଛନ୍ତି ଏବଂ ତନ୍ମଧ୍ୟରୁ ୪ ଜଣ ପଦ୍ମ ପୁରସ୍କାର, ୧୧ ଜଣ ଶିଳ୍ପଗୁରୁ ଭାବେ ସମ୍ମାନିତ ହୋଇଛନ୍ତି। ଏତଦ୍ବ୍ୟତୀତ ୨୯୦ ଜଣ ହସ୍ତଶିଳ୍ପୀ ରାଜ୍ୟସ୍ତରୀୟ ପୁରସ୍କାର ଗ୍ରହଣ କରିଛନ୍ତି।
‘ଟେରାକୋଟା’ ହସ୍ତଶିଳ୍ପଟି ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ହସ୍ତଶିଳ୍ପ ଅଟେ। ଏହାର ସାମଗ୍ରୀମାନ ପ୍ରାୟ ପ୍ରତି ଜିଲ୍ଲାରେ ପାରମ୍ପରିକ କୁମ୍ଭକାର ଏବଂ ପ୍ରଶିକ୍ଷଣ ପ୍ରାପ୍ତ କାରିଗରମାନଙ୍କ ଦ୍ୱାରା ଉତ୍ପାଦିତ ହେଉଛି । ଆମ ରାଜ୍ୟରେ ୧୦ ହଜାରରୁ ଊର୍ଦ୍ଧ୍ୱ କାରିଗର ଟେରାକୋଟା କାମ କରି ବିଭିନ୍ନ ପାରମ୍ପରିକ, ଗୃହସଜ୍ଜା ଉପକରଣ ଓ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ରାଜ୍ୟରେ ୪୦ରୁ ଊର୍ଦ୍ଧ୍ୱ ଟେରାକୋଟା ହସ୍ତଶିଳ୍ପ ପୁଞ୍ଜ ରହିଛି। ତନ୍ମଧ୍ୟରୁ କେତେକ ମୁଖ୍ୟ ଟେରାକୋଟା ପୁଞ୍ଜଗୁଡ଼ିକ ହେଲା ସୋନପୁର (ସୁବର୍ଣ୍ଣପୁର), ବରପାଲି (ବରଗଡ଼), ହଳଧରପୁର (କେନ୍ଦୁଝର), ନୂଆଗାଁ (ଖୋର୍ଦ୍ଧା), ଲୁଣୁକିଆ (ଜଗତସିଂହପୁର), କୁସୁମି(କୋରାପୁଟ) ଇତ୍ୟାଦି । ଆମ ରାଜ୍ୟର ୩ ଜଣ ମୃତ୍ତିକା ହସ୍ତଶିଳ୍ପୀ ଜାତୀୟସ୍ତରୀୟ ପୁରସ୍କାର ଏବଂ ୧୮ ଜଣ ରାଜ୍ୟସ୍ତରୀୟ ପୁରସ୍କାର ପାଇଛନ୍ତି।
ଓଡ଼ିଶା ସରକାର ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ମାଧ୍ୟମରେ ହସ୍ତଶିଳ୍ପର ବିକାଶ ପାଇଁ ବିଭିନ୍ନ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। ବଜାର ସହାୟତା ପାଇଁ ପ୍ରଦର୍ଶନୀମାନ ଆୟୋଜନ କରାଯାଉଛି। ବ୍ୟକ୍ତିଗତ କାରିଗର, ସ୍ୱୟଂ ସହାୟକ ଗୋଷ୍ଠୀ, ଶୀର୍ଷ ଅନୁଷ୍ଠାନ ଓ ସମବାୟ ସମିତିମାନଙ୍କୁ ଦକ୍ଷତା ବୃଦ୍ଧି, କାରିଗରୀ କୌଶଳ ବୃଦ୍ଧି ତାଲିମ, ଉନ୍ନତ ମାନର ଯନ୍ତ୍ରପାତି, ବ୍ୟାଙ୍କ ଋଣ ସହାୟତା, ଭିତ୍ତିଭୂମିର ବିକାଶ, ନମୂନା ବିକାଶ, ପ୍ରଦର୍ଶନୀ ମାଧ୍ୟମରେ ବଜାର ସହାୟତା ଇତ୍ୟାଦି ଯୋଗାଇ ଦିଆଯାଉଛି। ଏତଦ୍ବ୍ୟତୀତ ‘ଉତ୍କଳିକା’ ମାଧ୍ୟମରେ ଅନ୍ଲାଇନ୍ ମାର୍କେଟିଂର ବ୍ୟବସ୍ଥା କରାଯାଇଛି।
ଉତ୍ପାଦିତ ଟେରାକୋଟା ସାମଗ୍ରୀଗୁଡ଼ିକର ବିକି୍ରବଟାର ସହାୟତା ନିମନ୍ତେ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ମାଧ୍ୟମରେ ୨୦୦୬ ମସିହାଠାରୁ ‘ମୃତ୍ତିକା’ ନାମରେ ଏକ ବାର୍ଷିକ ପ୍ରଦର୍ଶନୀ ଆୟୋଜିତ ହୋଇଆସୁଛି । ଚଳିତ ବର୍ଷ ଦୀପାବଳିକୁ ଦୃଷ୍ଟିରେ ରଖି ‘ମୃତ୍ତିକା-୨୦’ ନାମରେ ଏକ ପ୍ରଦର୍ଶନୀ, ୟୁନିଟ୍-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆ ଭୁବନେଶ୍ୱରଠାରେ ନଭେମ୍ବର ୬ରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯାଉଛି । ଏହି ଅବସରରେ ୧୦୧ଟି ଷ୍ଟଲ୍ ନିର୍ମାଣ କରାଯାଇ ୧୫୭ରୁ ଊର୍ଦ୍ଧ୍ୱ କଳାକାରମାନଙ୍କୁ ବିନା ଦେୟରେ ପ୍ରଦାନ କରାଯାଇଛି । ଅଂଶଗ୍ରହଣ କରୁଥିବା ଜିଲ୍ଲାଗୁଡ଼ିକ ହେଉଛି କେନ୍ଦୁଝର, ଯାଜପୁର, ବାଲେଶ୍ୱର, ସୁବର୍ଣ୍ଣପୁର, ବରଗଡ଼, ରାୟଗଡ଼ା, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, ମୟୂରଭଞ୍ଜ, ଜଗତସିଂହପୁର, ଭଦ୍ରକ, କଟକ, ନବରଙ୍ଗପୁର, ସମ୍ବଲପୁର, ବଲାଙ୍ଗୀର, କେନ୍ଦ୍ରାପଡ଼ା, ପୁରୀ, ସୁନ୍ଦରଗଡ଼ ଓ କୋରାପୁଟ। ଏହି ପ୍ରଦର୍ଶନୀ ମାଧ୍ୟମରେ ପ୍ରାୟ ୧୨୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟେରାକୋଟା ସାମଗ୍ରୀ ବିକ୍ରି ହେବାର ଆକଳନ କରାଯାଇଛି। ଏହି ମେଳାରେ ଟେରାକୋଟା ହସ୍ତଶିଳ୍ପର କାର୍ଯ୍ୟ କୌଶଳର ପ୍ରତ୍ୟକ୍ଷ ପ୍ରଦର୍ଶନ ମଧ୍ୟ କରାଯାଉଛି ବୋଲି ମନ୍ତ୍ରୀ ପଦ୍ମିନୀ ଦିଆନ୍ ପ୍ରକାଶ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଶାସନ ସଚିବ ଶୁଭା ଶର୍ମା, ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶକ ବସନ୍ତ କୁମାର ଦାଶ, ସ୍ପେସାଲ୍ ଅଫିସର ସନାତନ ନାୟକ ଓ ସୁଧାଂଶୁ ରଞ୍ଜନ ପ୍ରଧାନ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଏହି ଉଦ୍ଘାଟନ କାର୍ଯ୍ୟକ୍ରମ ଅବସରରେ ଅନ୍ଲାଇନ୍ରେ ଯୋଗଦେଇଥିଲେ।