ରାହୁଲ, ପ୍ରିୟଙ୍କାଙ୍କୁ ପ୍ରସବ କରାଇଥିବା ଖ୍ୟାତନାମା ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ଏସ.କେ. ଭଣ୍ଡାରୀଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ସାର୍‌ ଗଙ୍ଗାରାମ ଡାକ୍ତରଖାନାର ବରିଷ୍ଠ ଡାକ୍ତର ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ତାଙ୍କ ପିଲାମାନଙ୍କୁ ପ୍ରସବ କରାଇଥିବା ଖ୍ୟାତନାମା ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ଏସ.କେ. ଭଣ୍ଡାରୀଙ୍କ ମୃତ୍ୟୁ ଘଟିଛି। କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ତାଙ୍କର ଦେହାନ୍ତ ହୋଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା।

ଦୁଇ ସପ୍ତାହ ତଳେ ଡା. ଭଣ୍ଡାରୀ ଛାତିରେ ଯନ୍ତ୍ରଣା ହେବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସା ସମୟରେ ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା ବୋଲି ସାର୍‌ ଗଙ୍ଗାରାମ ଡାକ୍ତରଖାନାର ଅଧ୍ୟକ୍ଷ ଡା. ଡି.ଏସ. ରାଣା କହିଛନ୍ତି। କରୋନା ଯୋଗୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଯାଇଥିଲା, ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଲା ବୋଲି ସେ କହିଛନ୍ତି। ଡା. ଭଣ୍ଡାରୀଙ୍କୁ କରୋନା ଟିକାର ଦୁଇଟି ଯାକ ପାନ ଦିଆଯାଇଥିଲା।

ତେବେ ବଡ଼ ଦୁଃଖର ବିଷୟ ହେଉଛି, ଡା. ଭଣ୍ଡାରୀଙ୍କ ସ୍ବାମୀ, ଯିଏକି ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ, ଏବେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ସେ ବି କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଖବର ବିଷୟରେ ତାଙ୍କୁ ଅବଗତ କରାଯାଇ ନାହିଁ ବୋଲି ରାଣା କହିଛନ୍ତି। ଡା. ଭଣ୍ଡାରୀଙ୍କ ମୃତ୍ୟୁ ପରେ ପ୍ରିୟଙ୍କା ଗାନ୍ଧୀ ଏକାଧିକ ଟ୍ବିଟ କରି ଶୋକ ପ୍ରକାଶ କରିଛନ୍ତି।

 

Comments are closed.