ଦିଲ୍ଲୀରେ ପୁଣି ପ୍ରଦୂଷଣର ମାତ୍ରା ବୃଦ୍ଧି

ନୂଆଦିଲ୍ଲୀ : ଦିଲ୍ଲୀରେ ପୁଣି ପ୍ରଦୂଷଣର ମାତ୍ରା ବୃଦ୍ଧି । ରାଜଧାନୀ ଦିଲ୍ଲୀ, ହରିୟାଣା ଏବଂ ପଞ୍ଜାବରେ ଦୀପାବଳି ରାତିରେ ବାଣ ଫୁଟାଇବା ପରେ ଶୁକ୍ରବାର ଦିନ ବିଭିନ୍ନ ସ୍ଥାନରେ ବାୟୁ ଗୁଣବତ୍ତା ରେକର୍ଡ କରାଯାଇଥିଲା। ଲୋକମାନଙ୍କୁ ବିଭିନ୍ନ ସ୍ଥାନରେ ବିଶେଷ କରି ଜାତୀୟ ରାଜଧାନୀ ଅଞ୍ଚଳରେ ଆଜି ଘନ କୁହୁଡ଼ିର ସମ୍ମୁଖୀନ ହେବାକୁ ପଡିଲା । ଚଳିତ ବର୍ଷ ପାଞ୍ଚ ବର୍ଷ ମଧ୍ୟରେ ଦିଲ୍ଲୀ ସର୍ବାଧିକ ପ୍ରଦୂଷଣ ସ୍ତରକୁ ରେକର୍ଡ କରିଛି। ପର୍ବପର୍ବାଣି ପୂର୍ବରୁ ବାଣ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିବା ସହ ଏହାର ବ୍ୟବହାର ଉପରେ ମଧ୍ୟ କଟକଣା ଲଗାଇଥିଲେ।
ବାୟୁମଣ୍ଡଳର ସ୍ଥିତି ଖରାପ ଯୋଗୁଁ ୨୦୦ ମିଟର ଆଗକୁ କିଛି ଦେଖାଯାଉ ନାହିଁ। ସହରର ଅଧିକାଂଶ ଭାଗର ଲୋକମାନେ ଗଳାରେ ଯନ୍ତ୍ରଣା ଅନୁଭବ କରିବା ସହ ନାନା ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ପରିଲକ୍ଷିତ ହେଉଛି। ପୂର୍ବରୁ ସ୍ୱାଭାବିକ ଥିବା ଦିଲ୍ଲୀର ବାୟୁମଣ୍ଡଳ ଦୀପାବଳୀ ପରେ ହିଁ ବିଗିଡି ଯାଇଛି। ଏବେ ସବୁଆଡେ ଧୂଆଁମୟ ଦେଖାଯାଉଛି।
ଗୁରୁବାର ରାତିରେ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ ) ‘ଗୁରୁତର’ ବର୍ଗରେ ପ୍ରବେଶ କରି ଶୁକ୍ରବାର ଦିନ ୩ ଟାରେ ୪୬୩ ଛୁଇଁଛି। ଫରିଦାବାଦ (୪୬୪), ଗ୍ରେଟର ନୋଏଡା (୪୪୧), ଗାଜିଆବାଦ (୪୬୧), ଗୁରୁଗ୍ରାମ (୪୭୦) ଏବଂ ନୋଏଡା (୪୭୧) ରେ ଅପରାହ୍ନ ୩ ଟାରେ ବାୟୁ ଗୁଣବତ୍ତା ରେକର୍ଡ କରାଯାଇଥିଲା ।
ଶୂନରୁ ୫୦ ମଧ୍ୟରେ ଏକ୍ୟୁଆଇ ହେଉଛି ‘ଭଲ’, ୫୧ ଏବଂ ୧୦୦ ‘ସନ୍ତୋଷଜନକ’, ୧୦୧ ଏବଂ ୨୦୦ ‘ମଧ୍ୟମ’, ୨୦୧ ଏବଂ ୩୦୦ ‘ଖରାପ’, ୩୦୧ ଏବଂ ୪୦୦ ‘ବହୁତ ଖରାପ’ ଏବଂ ୪୦୧ ଏବଂ ୫୦୦ ‘ଅତ୍ୟନ୍ତ ଗମ୍ଭୀର’  କୁହାଯାଏ।

Comments are closed.